ଚାଉଳରୁ ପ୍ରସ୍ତୁତ ହେବ ମନୁଷ୍ୟ ରକ୍ତ !
ନୂଆଦିଲ୍ଲୀ : ଚାଉଳରୁ ମନୁଷ୍ୟର ରକ୍ତ ପ୍ରସ୍ତୁତ ସହ କର୍କଟ ରୋଗ ନିରୋଧ ଔଷଧ ତିଆରି କରିବା ପାଇଁ ଗବେଷଣା ଚାଲିଛି। ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର(ଇରି) ଫିଲିପାଇନ୍ସ ପକ୍ଷରୁ ଏହି ଗବେଷଣା କରାଯାଉଛି। ଇରିର ମହାନିର୍ଦେଶକ ଡ. ମାଥ୍ୟୁ ମାରିଲ କହିଛନ୍ତି ଯେ ଗବେଷଣାରେ ସଫଳତା ମିଳିଲେ ରକ୍ତର ଅଭାବ ଦୂର କରିହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଣାସୀରେ ଥିବା ଇରି କେନ୍ଦ୍ରରେ ଦେଶ ଓ ବିଦେଶର ବୈଜ୍ଞାନିକମାନେ ବିଭିନ୍ନ ଦେଶର ଚାଉଳ ସ୍ଥିତି ଏବଂ ଏପର୍ଯ୍ୟନ୍ତ ହୋଇଥିବା ଗବେଷଣା ଆଧାରରେ ଆଗାମୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ଅନୁଷ୍ଠିତ ବୈଠକରେ ଫିଲିପାଇନ୍ସ ମହାନିର୍ଦେଶକଙ୍କ ସହ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ସଚିବ ସଂଜୟ ଅଗ୍ରୱାଲ ଯୋଗ ଦେଇଥିଲେ। ଦକ୍ଷିଣ ଏସିଆରେ ଜେନେଟିକ ମୋଡିଫାଇଡ ଚାଉଳରେ ମନୁଷ୍ୟ ରକ୍ତର ପ୍ରମୁଖ ଉପାଦାନ ମିଳିଛି। ଏହାକୁ ମନୁଷ୍ୟ ଶରୀରରେ ପ୍ରତ୍ୟାରୋପଣ କରାଯାଇ ଗବେଷଣା କରାଯିବ। ଭାରତ ଓ ଅନ୍ୟ କେତେକ ଦେଶରେ ଉତ୍ପାଦିତ ହେଉଥିବା କଳା ଚାଉଳରେ କର୍କଟକୁ ଭଲ କରିବାର ଔଷଧୀୟ ଗୁଣ ରହିଛି। ଏଥିରୁ କର୍କଟ ନିରୋଧ ଔଷଧ ପ୍ରସ୍ତୁତି ପାଇଁ ଗବେଷଣା ଚାଲିଛି।