ଭୋଜନ ପରେ ଏସବୁ ଭୁଲ୍ କରୁଛନ୍ତି କି? ଭୋଗି ପାରନ୍ତି ଅନେକ କଷ୍ଟ
ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କେବଳ ସଠିକ୍ ସମୟରେ ଖାଇବା, କଣ ଖାଇବା ଏବଂ କେତେ ପରିମାଣର ଖାଇବା ଏହା ଉପରେ ଧ୍ୟାନ ଦେଲେ ଚଳିବ ନାହିଁ। ଖାଦ୍ୟ ଖାଇବା ପରେ ମଧ୍ୟ ବହୁତ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ମାତ୍ର ଆମ ଅଜଣାତରେ ଖାଦ୍ୟ ଖାଇବା ପାରେ ଏପରି କିଛି ଭୁଲ୍ କରିଦେଉ ଯାହାଦ୍ବାରା ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବା ସ୍ବାସ୍ଥ୍ୟ ଖରାପ ହୋଇଥାଏ। ବିଶେଷ କରି ରାତି ଏବଂ ଦ୍ବିପ୍ରହର ଖାଇବା ପରେ ଆମେ ଏପରି କିଛି ଭୁଲ କରନ୍ତି, ଯାହାଫଳରେ ଅନେକ ପ୍ରକାରର ଅସୁବିଧା ଭୋଗିବାକୁ ପଡ଼ିଥାଏ। ସେହି ଭୁଲ୍ ବିଷୟରେ ଜାଣନ୍ତୁ ଓ ଭୁଲକୁ ସୁଧାରି ସୁସ୍ଥ ଜୀବନ ଯାପନ କରନ୍ତୁ –
-ସାଧାରଣତଃ ଖାଇବା ପରେ ସଙ୍ଗେସଙ୍ଗେ ପାଣିପିଇବା ବହୁତ ଖରାପ ହୋଇଥାଏ। ସବୁବେଳେ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଉଚିତ। ତେବେ ଯଦି ତୁରନ୍ତ ପାଣି ପିଉଛନ୍ତି ତେବେ ଭୁଲରେ ମଧ୍ୟ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏହାଦ୍ବାରା ପାଚନ ପ୍ରକ୍ରିୟା ବିଗିଡ଼ି ଯାଇପାରେ। ଖାଇବା ପରେ ପାଣି ପିଇବା ପାଇଁ ହେଲେ ହାଲୁକା ଉଷୁମ ପାଣି ପିଅନ୍ତୁ। ଏହା ପାଚନ କ୍ରିୟାକୁ ସକ୍ରିୟ କରିଥାଏ।
-କିଛି ବ୍ୟକ୍ତିଙ୍କର ଖାଇବା ପରେ କଫି ବା ଚା’ ପିଇବାର ଅଭ୍ୟାସ ଥାଏ। ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ। ଏହା ଦ୍ବାରା ଖାଦ୍ୟରେ ଥିବା ଆଇରନ ଶରୀର ଅବଶୋଷିତ କରିପାରିନଥାଏ ଏଥିସହିତ ପ୍ରୋଟିନ ମଧ୍ୟ ମିଳିନଥାଏ।
-ଦ୍ବିପ୍ରହରରେ ଖାଇବା ପରେ ଭୁଲରେ ମଧ୍ୟ ଅଧିକ ଚଲାବୁଲା ବା କାମ କରନ୍ତୁ ନାହିଁ। ଖାଇବା ପରେ କିଛି ସମୟ ଆରାମ କରି ସମସ୍ତ କାର୍ଯ୍ୟ କରନ୍ତୁ। ନଚେତ୍ ଶରୀରରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ସ୍ବାସ୍ଥ୍ୟ ଖରାପ ହୋଇଥାଏ।
-ଖାଇବା ପରେ ତୁରନ୍ତ ଫଳରସ ବା ଜୁସ ପିଅନ୍ତୁ ନାହିଁ। ଏହା ପାଚନ କ୍ରିୟାକୁ ବିଗାଡ଼ିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରାଇଥାଏ।
-ଦ୍ବିପ୍ରହର ଖାଇବା ପରେ କିଛି ବ୍ୟକ୍ତିଙ୍କର ଶୋଇବା ଅଭ୍ୟାସ ରହିଥାଏ। ହେଲେ ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ। ଏଥିସହିତ ଖାଇବା ପରେ ଧୂମପାନ ମଧ୍ୟ କରନ୍ତୁ ନାହିଁ। ଏହା ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ।