ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଉଦ୍ଧାର
କୋଲକତା: କୋଲକତାରୁ ୧୦୦ କିମି ଦୂର କଲ୍ୟାଣୀଗ୍ରାମର ହଂସଖାଲିରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ୫୦୦ ପାଉଣ୍ଡ ଓଜନର ଦୁଇଟି ବୋମା ଉଦ୍ଧାର କରାଯାଇଛି। ୫୦ ଇଞ୍ଚ ଲମ୍ବ ଓ ୩୮ ଇଞ୍ଚ ଚଉଡ଼ା ବିଶିଷ୍ଟ ବମ୍ ଦୁଇଟିକୁ ମାଟି ଖୋଳିବା ବେଳେ ଉଦ୍ଧାର କରାଯାଇଛି। ବମ୍ ଦୁଇଟିକୁ ସେନାବାହିନୀର ବିଶେଷଜ୍ଞମାନେ ଜବତ କରିଛନ୍ତି। ପୂର୍ବରୁ ରୁଜ୍ଭେଲ୍ଟ ନଗର ଭାବରେ ସେହି ଅଞ୍ଚଳର ପରିଚୟ ରହିଥିଲା। ଏହାର ଆଖପାଖ ୪୫ଟି ଗ୍ରାମକୁ ମିଶାଇ ଆମେରିକାର ବାୟୁସେନା ବାହିନୀ ଏକ ବିଶାଳ ବେସ୍ମେଣ୍ଟ ନିର୍ମାଣ କରିଥିଲା। ଜାପାନ୍ ବିରୋଧୀ ଯୁଦ୍ଧରେ ଚୀନ୍କୁ ସହାୟତା ପାଇଁ ସେଠାରେ ବେସ୍ମେଣ୍ଟ ନିର୍ମାଣ ପାଇଁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଏଫ୍ ଡି ରୁଜଭେଲ୍ଟ ନିର୍ଦେଶ ଦେଇଥିଲେ। ୧୯୪୫ ପରେ ଆମେରିକା ସୈନ୍ୟ ସେଠାରୁ ଚାଲିଯିବା ପରେ ୧୯୫୦ରେ ଏକ ସାଟେଲାଇଟ୍ ଟାଉନ୍ ସିପ୍ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏବେ ମଧ୍ୟ ସେଠାରେ ଆମେରିକା ସୈନ୍ୟବାହିନୀର କିଛି ଅଂଶାବଶେଷ ଦେଖିବାକୁ ମିଳୁଛି। ଉଦ୍ଧାର କରାଯାଇଥିବା ବୋମା ଦୁଇଟି ସେହି ସମୟର ହୋଇଥିବା ଅନୁମାନ କରାଯାଉଛି।