ପୁରୀ: ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି । ଏହା ଭିତରୁ ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି । ଅନ୍ୟ ୬ ରାଜ୍ୟରେ ମହାପ୍ରଭୁଙ୍କ ନାଁରେ ୩୯୫.୨୫୨ ଏକର ଜମି ରହିଛି ବୋଲି ଆଜି ବିଧାନସଭା ଅଧିବେଶନରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି ୨୦୨୨ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡ଼ ଜମିର ପରିମାଣ ଯେତିକି ଥିଲା, ୨୦୨୫ରେ ବି ସେତିକି ଅଛି । ୩ ବର୍ଷ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଗୋଟେବି ଜମି ଆସିନି। ମହାପ୍ରଭୁଙ୍କ ନାମରେ ଜମି ରେକର୍ଡ ପରେ ଏଠାରେ ଥିବା ଜବରଦଖଲ ହଟାଇବା ନିମନ୍ତେ ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ର ୧୬-ଏ(୧) ଅନୁଯାୟୀ ମାମଲା କରାଯାଉଛି । ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନ୍କ୍ଲୋଚମେଣ୍ଟ ଆକ୍ଟ-୧୯୭୨ ଅନୁଯାୟୀ ଜବରଦଖଲ ହଟାଇବାକୁ ପଦକ୍ଷେପ ନିଆଯାଉଛି । ଏହାସତ୍ତ୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଚିହ୍ନଟ ଜମିକୁ ମହାପ୍ରଭୁଙ୍କ ନାଁରେ ରେକର୍ଡ ହୋଇପାରୁନାହିଁ ।



