ଜଷ୍ଟିସ୍ ଅଜିତ୍ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ
ଭୁବନେଶ୍ବର : ଗୁଆହାଟୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅଜିତ୍ ସିଂହଙ୍କୁ ଓଡ଼ିଶାର ପ୍ରଥମ ଲୋକାୟୁକ୍ତର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ମନୋନୟନ କମିଟି ଦ୍ବାରା ସୁପାରିସ ଜଷ୍ଟିସ ସିଂହଙ୍କ ନାମ ଉପରେ ଶେଷରେ ମୋହର ମାରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ୬ ସେପ୍ଟେମ୍ବର ୧୯୫୬ ମସିହାରେ ଜନ୍ମିତ ଅବସରପ୍ରାପ୍ତ ବିଚାରପତି ଶ୍ରୀ ସିଂହ ୧୮ ଅକ୍ଟୋବର ୧୯୭୯ରେ ପ୍ରଥମେ ଜବଲପୁରର ମଧ୍ୟପ୍ରଦେଶ
ହାଇକୋର୍ଟରେ ଓକିଲାତି ପେଶା ଆରମ୍ଭ କରିଥିଲେ। ଦେୱାନୀ, ଫୌଜଦାରୀ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ଶ୍ରୀ ସିଂହଙ୍କ ବିଶେଷ ଦକ୍ଷତା ରହିଥିଲା। ଏପ୍ରିଲ ପହିଲା ୨୦୦୨ରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ଯୋଗଦେଇଥିଲେ। ୨୧ ମାର୍ଚ୍ଚ ୨୦୦୩ରେ ତାଙ୍କୁ ସେଠାରେ ସ୍ଥାୟୀ ବିଚାରପତି କରାଯାଇଥିଲା। ପରେ ତାଙ୍କୁ ରାଜସ୍ଥାନ ହାଇକୋର୍ଟ ବଦଳି କରାଯାଇଥିଲା। ୧୯ ମାର୍ଚ୍ଚ ୨୧୫ରେ ତାଙ୍କୁ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ସିଂହ ଶପଥ ନେଇଥିଲେ। ୫ ମାର୍ଚ୍ଚ ୨୦୧୬ରେ ସେ ଆସାମର ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାପତି ଭାବେ ନିଯୁକ୍ତି ପାଇଥିଲେ। ୫ ସେପ୍ଟେମ୍ବର ୨୦୧୮ରେ ସେ ମୁଖ୍ୟ ବିଚାରପତି ଭାବେ ଅବସର ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ଆଇନକୁ ବିଧାନସଭାରେ ଅତୀତରେ ଗୃହୀତ କରାଇଯାଇଥିଲା। ତେବେ ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟିଥିଲା। ଲୋକପାଳ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଫଳରେ ଏନେଇ ନିଯୁକ୍ତି ମନୋନୟନ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇ କେତେଜଣଙ୍କ ନାମ ଶେଷରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେବାନିବୃତ୍ତ ବିଚାରପତି ଶ୍ରୀ ସିଂହଙ୍କ ନାମରେ ମୋହର ଲଗାଇ ତାଙ୍କୁ ଓଡ଼ିଶାର ପ୍ରଥମ ଲୋକୟୁକ୍ତ ଭାବେ ନିଯୁକ୍ତି ଦେଇଛନ୍ତି।