ଗୁଣୁପୁର: ଗତ କିଛି ବର୍ଷ ହେବ ଗୁଣୁପୁର ପୈାରପରିଷଦ କପିଳପରୁ ଠାରେ ଲକ୍ଷ୍ମଣ ଲାବନ୍ୟ ( ମାତୃ) ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ନାମରେ ୬ ମହଲା ବିଶିଷ୍ଟ କ୍ଲିନିକ୍ ଗଢିଉଠିଥିଲା। ଏହି କ୍ଲିନିକ୍ ରେ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ପ୍ରଦୀପ କୁମାର ପଣ୍ଡା ଏହି କ୍ଲିନିକ୍ ରେ ବିଭିନ୍ନ ବେଆଇନ କାର୍ୟ୍ୟ କରି ଚିକିତ୍ସା କରିବା, ପ୍ରସୂତିଙ୍କୁ ଅପରେସନ କରି ପ୍ରସବ କରାଇବା, ଶିଶୁ ବିକ୍ରି କରିବା, ପ୍ରସୂତିଙ୍କ ଅଲଟ୍ରାସାଉଣ୍ଡ ମାଧ୍ୟମରେ ଫୋଟ ଉତୋଳନ କରିବା, ଗର୍ଭପାତ କରାଇବା ଭଳି ସାଂଘାତିକ ଘଟଣା ଲୋକଲେଚନକୁ ଆସିଥିଲା।
ଏପରିକି ଅସ୍ତ୍ରପୋଚାର ପରେ ପ୍ରସୂତି ମାନେ ସେଠାରେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି। ଅଗଷ୍ଟ ୧ ତାରିଖ ଢେପ ଭଣ୍ଡାରି ସାହିର ଗୌତମି ବାଉରି ନାମକ ପ୍ରସୂତି ଏହି କ୍ଲିନିକ୍ ରେ ପ୍ରସବ କରିବା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ପଣ୍ଡା ତାଙ୍କୁ ଅସ୍ତ୍ରପୋଚାର କରି ପ୍ରସବ କରାଇଥିଲେ। ଏହାପରେ ଅଗଷ୍ଟ ୬ ତାରିଖ ଗୌତମିଙ୍କ ମୃତ୍ୟୁ ଘଟିଥିଲା। ବର୍ତମାନ ୪ ଦିନର ଛୁଆ ଧରି ପରିବାର ଲୋକେ ରହିଥିଲେ। ଅଞ୍ଚଳ ବାସିନ୍ଦା ଏହାକୁ ନେଇ କ୍ଲିନିକ୍ ବିରୋଧରେ ସ୍ବର ଉତୋଳନ କରିଥିଲେ। ଏହାପରେ ଘଟଣା ଚପାଇବାକୁ ଉଦ୍ୟମ କରିଥିଲେ କ୍ଲିନିକ୍ କର୍ତୁପକ୍ଷ।
ସ୍ଥାନୀୟ ଜଣେ ସଙ୍କେତ ତାଙ୍ଗୁଡୁ ନାମକ ଯୁବକ ଏନେଇ ଅନଲାଇନ୍ ମାଧ୍ୟମରେ ଥାନାରେ କ୍ଲିନିକ୍ ବିରୋଧରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଜିଲ୍ଲା ସ୍ବସ୍ଥ୍ୟ ବିଭାଗ ଡାକ୍ତର ପଣ୍ଡାଙ୍କୁ ନୋଟିସ୍ କରିବା ପରେ କାଗଜପତ୍ର ଯାଞ୍ଚ କରିବା ପାଇଁ ଅବଗତ କରିଥିଲେ। ଡାକ୍ତର କୌଣସି କାଗଜପତ୍ର ଦେଖାଇନପାରିବାରୁ ବେଆଇନ କ୍ଲିନିକ୍ କୁ ଅଗଷ୍ଟ ୧୬ ତାରିଖରେ ସିଲ୍ କରାଯାଇଥିଲା। ଜଣେ ସରକାରୀ ଡାକ୍ତର ଏହି ବେଆଇନ କ୍ଲିନିକ୍ ଚଳେଇଥିବା ଜଣାପଡିବା ପର କ୍ଲିନିକ୍ ରେ ତାଲା ପକାଇ ଚୁପ୍ ବସିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ।
ଏପରିକି ସିଲ୍ କରିବା ପୁର୍ବରୁ ଡାକ୍ତର କ୍ଲିନିକ୍ ଭିତରେ ଥିବା ସମସ୍ତ ଗୁରୁତ୍ବପୁଣ୍ଣ ମେସିନ ଘୁଞ୍ଚେଇବା ପାଇଁ ସୁଯୋଗ ପାଇଥିଲେ। ସ୍ବାସ୍ଥ୍ୟ ବିଭାଗର ଭୁମିକାକୁ ତଦନ୍ତ ପରିସର ଭୁକ୍ତ କରିବା ସହ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।ଆଜି ମା ମାଝିଘୋରି ସି ବି ଓ ତୃତୟ ଲିଙ୍ଗି ମହାସଂଘ ପକ୍ଷରୁ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାସହ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କୁ ମଧ୍ୟ ଦାବି ଜଣାଇବା ସହ ତୁରନ୍ତ ପଦକ୍ଷେପ ନେବାପାଇଁ ତୃତୀୟଲିଙ୍ଗିମାନେ ଅଭିଯୋଗ କରିଥିଲେ। ବିଧାୟକ ଓ ଉପଜିଲ୍ଲାପାଳଙ୍କୁ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସ୍ବାର୍ଥକୁ ନେଇ ସ୍ବାସ୍ଥ୍ୟ ବିଭାଗ ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।



