ସମାଜ ଡିଜିଟାଲ ଡେସ୍କ: ଏଣିକି ଋଣ ବାଣ୍ଟିବ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଅର୍ଥାତ ଆରବିଆଇ ପକ୍ଷରୁ ଫ୍ଲିପକାର୍ଟକୁ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି)ର ଲାଇସେନ୍ସ ପ୍ରଦାନ କରିଛି। ଏହାଫଳରେ ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ।
ଫ୍ଲିପକାର୍ଟ କମ୍ପାନୀ ପୂର୍ବରୁ ନିଜ ଇ-କମର୍ସ ସାଇଟ୍ରେ ତୃତୀୟ ପକ୍ଷ ଆର୍ଥିକ ଅନୁଷ୍ଠାନ ଜରିଆରେ ‘ବାୟ ନାଓ, ପେ ଲାଟର’ ଏବଂ ଇଏମଆଇ ଭଳି ସୁବିଧା ଯୋଗାଇ ଦେଉଥିଲା। ଏବେ ଏନବିଏଫସି ଲାଇସେନ୍ସ ସହିତ କମ୍ପାନୀ ବିନା କୌଣସି ତୃତୀୟ ପକ୍ଷ ଆର୍ଥିକ ଅନୁଷ୍ଠାନ ଉପରେ ନିର୍ଭର ନ କରି ନିଜେ ସ୍ଵାଧୀନ ଭାବେ ଋଣ ଦେବାର ସୁବିଧା ପ୍ରଦାନ କରିବ।
ଏହାଦ୍ଵାରା ଫ୍ଲିପକାର୍ଟ ନିଜର ବଡ଼ ପ୍ରତିଦ୍ଵନ୍ଦ୍ଵୀ ଆମାଜନକୁ କଡ଼ା ଟକ୍କର ଦେଇପାରିବ। କାରଣ ଆମାଜନ ଭାରତରେ ଆର୍ଥିକ ସେବା ପ୍ରଦାନ କ୍ଷେତ୍ରରେ ପାଦ ରଖିସାରିଛି।



