ଆଠଗଡ: ଆଠଗଡରେ ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦାୟିତ୍ବରେ ଥିବା ଖଣି ବିଭାଗ ସ୍ଥାଣୁ ପାଲଟି ଯାଇଥିବାବେଳେ ସମୟେ ସମୟେ ଆଠଗଡ ଉପଜିଲ୍ଲାପାଳ ଓ ପୁଲିସ ଚୋରା ବାଲି, ମୋରମ, ମାଙ୍କଡା ପଥର, କଳା ମୁଗୁନି ପଥର ଓ ଚିପ୍ସ ପରିବହନ କରୁଥିବା ଟ୍ରକ ଆଦି ଜବତ କରି ଖଣି ବିଭାଗକୁ ହସ୍ତାନ୍ତର କରୁଛନ୍ତି। ଖଣି ବିଭାଗ ମୋଟା ଅଙ୍କର ଜୋରିମାନା ଆଦାୟ ପରେ ଗାଡି ଗୁଡିକୁ ଛାଡୁଛନ୍ତି । ସୋମବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଆଠଗଡ-ମୁଣ୍ଡଳି ରାସ୍ତାର ରାଜନଗର ନିକଟରୁ ଚୋରା ମାଙ୍କଡା ପଥର ଚାଲାଣ କରୁଥିବା ୩ଟି ଟ୍ରକ ପୁଲିସ ସହାୟତାରେ ଜବତ କରି ନିଜ କାର୍ଯ୍ୟାଳୟ ପରିସରକୁ ପଠାଇବା ସହ ଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି। ଆଠଗଡ ତହସିଲ ଅଞ୍ଚଳରେ ପଥର ଖାଦାନ ସବୁ ବନ୍ଦ ରହିଥିବାରୁ, ଢେଙ୍କାନାଳ ଅଞ୍ଚଳରୁ ନିୟମିତ ମାଙ୍କଡା ପଥର ଚୋରା ଚାଲାଣ ହେଉଛି। ଅଧିକାଂଶ ଟ୍ରକ ଜାଲ କାଗଜପତ୍ରରେ ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ କରୁଥିବା ଚଢାଉ ସମୟରେ ଦେଖିବାକୁ ମିଳୁଛି ।
ଖଣି ବିଭାଗର ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ରାଜ୍ୟ ସବୁ ଅଞ୍ଚଳରେ ଲଘୁ ଖଣିଜ ସାମଗ୍ରୀର କାରବାର ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ହେଉନାହିଁ । ରାଜ୍ୟର ବିଜେପି ସରକାର ରାଜସ୍ବ ବିଭାଗ ଉପରେ ଲଘୁ ଖଣିଜ ସାମଗ୍ରୀ ନିୟନ୍ତ୍ରଣ ଦାୟିତ୍ବ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ଏବଂ କୋଟି କୋଟି ଟଙ୍କାର ରାଜସ୍ବ ବଞ୍ଚିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।



