www.samajalive.in
Friday, December 5, 2025
26.1 C
Bhubaneswar

ଟ୍ରମ୍ପ୍‌ଙ୍କ ଶହେ ଦିନ

ଭୁବନେଶ୍ଵର: ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶହେ ଦିନ ପ୍ରାୟ ଅସ୍ଥିରତା ମଧ୍ୟରେ ବିତିଛି। ବାଣିଜ୍ୟ ଯୁଦ୍ଧ, ପଶ୍ଚିମ ଇଉରୋପୀୟ ମିତ୍ରରାଷ୍ଟ୍ର ସହ ପାରମ୍ପରିକ ସମ୍ବନ୍ଧର ଉଚ୍ଛେଦ, ବିଭାଜନକାରୀ ପ୍ରବାସନ (ଇମିଗ୍ରେସନ) ନୀତି, ପ୍ରତିଷ୍ଠିତ ଉଦାରବାଦୀ ବ୍ୟବସ୍ଥା ଉପରେ ଆକ୍ରମଣ ଇତ୍ୟାଦି ଭଳି ତାଙ୍କର ପଦକ୍ଷେପ ଆମେରିକା ଓ ଆନ୍ତର୍ଜାତିକ ବ୍ୟବସ୍ଥାରେ ଅଭୂତପୂର୍ବ ବିଘ୍ନ ସୃଷ୍ଟି କରିଛି। ଏହା ଭାରତ ଭଳି ଦେଶଗୁଡ଼ିକ ପାଇଁ ମଧ୍ୟ ଅନେକ ଅନିଶ୍ଚିତତାକୁ ଆମନ୍ତ୍ରଣ ସହ ତାକୁ ସାମ୍ନା କରିବାର ଆହ୍ବାନ ଉପସ୍ଥାପନ କରିଛି। ଏହାର ଭବିଷ୍ୟତ ପ୍ରଭାବର ଆକଳନ କରିବା ପାଇଁ ଟ୍ରମ୍ପଙ୍କ ଅଧୀନସ୍ଥ ଆମେରିକାର ଘରୋଇ ରାଜନୀତିରେ ହେଉଥିବା ଆଦର୍ଶଗତ ପରିବର୍ତ୍ତନକୁ ଦେଖିବା ଜରୁରୀ।
ଟ୍ରମ୍ପ୍‌ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବାର ଶହେ ଦିନ ମଧ୍ୟରେ ଅନେକ ବିଶ୍ବ ବାଣିଜ୍ୟିକ ସଂସ୍ଥାଠୁ ଆରମ୍ଭ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ୟୁଏସ୍‌ଏଡ୍‌, ଏପରିକି ଦେଶର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଉପରେ ଆର୍ଥିକ ଓ ନୀତିଗତ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଟ୍ରମ୍ପ୍‌ ‘ଅପବ୍ୟୟ’ ରୋକିବାକୁ ବିଭିନ୍ନ ପଦକ୍ଷେପ ନେଇଥିବା କହିଆସୁଛନ୍ତି; କିନ୍ତୁ ଏହାଦ୍ବାରା କେବଳ ଆମେରିକା ନୁହେଁ, ବିଶ୍ବର ବହୁ ଦେଶ ଉପରେ ତାହାର ସିଧାସଳଖ ପ୍ରଭାବ ପଡ଼ୁଛି ଏବଂ ତାଙ୍କ ନିଷ୍ପତ୍ତିମାନ ଗ୍ରହଣୀୟ ହେଉ ନାହିଁ। ଅବଶ୍ୟ ସେଥିକୁ ତାଙ୍କର ପରବାୟ ନଥିବା ଦେଖାଯାଉଛି। ତାଙ୍କ ନିଜ ଦେଶରେ ମଧ୍ୟ ସେ ମହିଳା, ହିସ୍ପାନିକ୍‌ ଆମେରିକୀୟ ଓ ସ୍ବାଧୀନ ଚିନ୍ତାଧାରା ବିଶିଷ୍ଟ ବୁଦ୍ଧିଜୀବୀ ବର୍ଗ ତାଙ୍କର ଅନେକ ପଦକ୍ଷେପକୁ ନେଇ ଅସନ୍ତୁଷ୍ଟ। ଟ୍ରମ୍ପ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ଯେଉଁମାନେ ସ୍ବାଗତ କରିଥିଲେ, ସେମାନେ ବି ଏବେ ତାଙ୍କର ସମାଲୋଚକ ପାଲଟିଯାଇଥିବା ଦେଖିବାକୁ ମିଳୁଛି। ତେବେ ଏସବୁ ତାଙ୍କ ପାଇଁ ଏକ ରାଜନୈତିକ ଆହ୍ବାନରେ ପରିଣତ ହେବ କି ନାହିଁ, ତାହା ଦେଖିବା କଥା।
ବିଶେଷତଃ ଟ୍ରମ୍ପ୍‌ଙ୍କ ପ୍ରଣୀତ କଠୋର ପ୍ରବାସନ ନୀତି ଜନମତକୁ ଅଧିକ ଧ୍ରୁବୀକରଣ କରିଛି। ବ୍ୟାପକ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ଆଇନଗତ ସମସ୍ୟା ଜନପ୍ରତିବାଦ ସୃଷ୍ଟି କରିଛି। ଯୁବ ଓ ସଂଖ୍ୟାଲଘୁ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଶ୍ୱ ସ୍ତରରେ ଟ୍ରମ୍ପଙ୍କ ବୈଦେଶିକ ନୀତି ପାଇଁ ପାରମ୍ପରିକ ସହଯୋଗୀଙ୍କ ସହ ସମ୍ବନ୍ଧ ଶିଥିଳ ହୋଇଛି; କାରଣ ତାଙ୍କ ‘ଆମେରିକା ପ୍ରଥମ’ର ସ୍ଲୋଗାନ୍‌ ଆମେରିକାର ସମସ୍ତ କୂଟନୈତିକ ଚତୁରତାକୁ ପଦାରେ ପକାଇ ଦେଇଛି। ଗ୍ରୀନଲ୍ୟାଣ୍ଡ ଦଖଲ କିମ୍ବା ପାନାମା କେନାଲକୁ ଅକ୍ତିଆର କରିବା ଭଳି ତାଙ୍କର ଉତ୍ତେଜନାମୂଳକ ମନ୍ତବ୍ୟ ଟ୍ରମ୍ପ୍‌ଙ୍କୁ ଗଣମାଧ୍ୟମର ଶିରୋନାମାରେ ରଖିଛି ସତ; କିନ୍ତୁ ଏହା ଅନେକ ଦେଶ ଓ ଦେଶବାସୀଙ୍କ ମନରେ ରୋଷ ଓ କ୍ଷୋଭ ସୃଷ୍ଟି କରିଛି।
ଟ୍ରମ୍ପ୍‌ଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ବାଇଟ୍‌ ହାଉସ୍‌ ପରିଦର୍ଶନ କରିଥିବା ନେତାଙ୍କ ମଧ୍ୟରୁ ଥିଲେ ଅନ୍ୟତମ। ତାଙ୍କ ସମ୍ମୁଖରେ ଏବଂ ପରେ ଅନେକ ଥର ଭାରତର ଅଧିକ ଶୁଳ୍କ ଆଦାୟକୁ ନେଇ ଟ୍ରମ୍ପ୍‌ ନକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଆସିଛନ୍ତି। ତେବେ ଏ କ୍ଷେତ୍ରରେ ଭାରତ ପକ୍ଷରୁ କୂଟନୈତିକ ସମାଧାନକୁ ଗୁରୁତ୍ବ ଦିଆଯାଉଥିବା ମନେ ହେଉଛି। ଚଳିତ ମାସ ଆରମ୍ଭରେ ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସଙ୍କ ଭାରତ ଗସ୍ତ ଏ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆମେରିକା ପାକିସ୍ତାନ ପ୍ରତି କୌଣସି ପ୍ରକାରର ସକାରାତ୍ମକ ମନ୍ତବ୍ୟ ଦେଇ ନଥିବା ଭାରତ ସପକ୍ଷରେ ସଙ୍କେତ ଦିଏ। ଆଗାମୀ ଦିନରେ ଦ୍ବିପାକ୍ଷିକ ସମ୍ବନ୍ଧର ବିସ୍ତୃତି ନିମନ୍ତେ ଚେଷ୍ଟା କରିବା ଜରୁରୀ। ତେବେ ଟ୍ରମ୍ପ୍‌ ଗତ ଶହେ ଦିନରେ ଯେଭଳି ବିବାଦୀୟ ପଦକ୍ଷେପମାନ ନେଇଛନ୍ତି, ସେଥିରେ ସଂଶୋଧନ ନହେଲେ ତାଙ୍କର ଅବଶିଷ୍ଟ କାର୍ଯ୍ୟକାଳ ଆହୁରି ଅଶାନ୍ତ ହୋଇପାରେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories