www.samajalive.in
Saturday, December 6, 2025
15.1 C
Bhubaneswar

ଅକ୍ଷୟ ତୃତୀୟା: ବହୁ ପର୍ବପର୍ବାଣିର ତିଥି

ଭୁବନେଶ୍ଵର:  ଓଡ଼ିଶାର କୃଷିପ୍ରଧାନ ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଜୀବନରେ ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଆମ ପରମ୍ପରାରେ ବୈଶାଖ ମାସରୁ ଚନ୍ଦ୍ରମାସ ଗଣନା ଆରମ୍ଭ ହୁଏ। ବୈଶାଖ ଓ ଜ୍ୟେଷ୍ଠ ଦୁଇଟି ମାସର ଗ୍ରୀଷ୍ମଋତୁ ୠତୁରାଜ ବସନ୍ତ ପରେ ଆଗମନ ହୁଏ। ଶହଶହ ବର୍ଷ ଧରି ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିଟିକୁ ଆମ ସମାଜରେ ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ପବିତ୍ର ଓ ଅତୀବ ଶୁଭଦିନ ବୋଲି ଗ୍ରହଣ କରାଯାଇ ଏହି ଦିନରେ ସତ୍ୟ ଯୁଗର ଆରମ୍ଭ, ଗଙ୍ଗାଙ୍କ ଧରାବତରଣ ହୋଇଥିଲା ବୋଲି ସଂସ୍କୃତି ଗବେଷକମାନେ ମତ ଦିଅନ୍ତି। ତେଣୁ ଏକ ଅନୁକୂଳ ଦିନ ଭାବରେ ଏହି କଲ୍ୟାଣକାରୀ ତିଥିରେ ରଥ ନିର୍ମାଣର ଶୁଭାରମ୍ଭ, ଚନ୍ଦନ ଯାତ୍ରା ଆରମ୍ଭ, ଘର ଭୂମି ପୂଜା କରାଯିବା ସହ ଅଖିମୁଠିବୁଣା ଓ ଘଡି ପଥୁଲି ପୂଜା କରାଯାଇଥାଏ। ପୁରାଣ କହେ ମହର୍ଷି ଜନକ ଏକ ପ୍ରତିକୂଳ ପରିସ୍ଥିତିରେ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧିରୂପେ ଭୂମି ପୂଜାକରି ଏକଦା ହଳ କରୁଥିବା ସମୟରେ ସୀତାଙ୍କୁ ଲାଭ କରିଥିବାରୁ ଲକ୍ଷ୍ମୀରୂପୀ ସୀତା ବୀଜଦାତ୍ରୀ ରୂପେ ବର୍ଣ୍ଣିତ। ତେଣୁ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ତାଙ୍କୁ ସ୍ତୁତି କରାଯାଇଥାଏ।
ଉତ୍କଳର ଗାଁ ଗଣ୍ଡାରେ ଏହି ଦିନ କୃଷିଜୀବୀମାନେ ପୂର୍ବଦିନରୁ ହଳ ଲଙ୍ଗଳ ସହ ଚାଷବାସର ସମସ୍ତ ସରଞ୍ଜାମକୁ ଧୁଆଧୋଇ କରି ଚୂନରେ ଚିତ୍ର ଆଙ୍କି ରଖିଥାନ୍ତି। ଅକ୍ଷୟ ତୃତୀୟା ଦିନ ସକାଳୁ ନୂଆ ବସ୍ତ୍ର ପିନ୍ଧି ହଳ ଲଙ୍ଗଳ ସହ ନୂତନ ସଜ୍ଜିତ ତାଟରେ ଭୂମିପୂଜାର ସାମଗ୍ରୀରେ ପାଞ୍ଚ ପ୍ରକାର ଫଳ, ଫୁଲ, ଚନ୍ଦନ, କର୍ପୂର, ଧୂପ, ଦୀପ ସହ ସୁନା ନେଇ ଅଖିମୁଠି ଜମିକୁ ଯାଇଥାନ୍ତି। ଜମିର ଐଶାନ୍ୟ କୋଣରେ ଲକ୍ଷ୍ମୀଙ୍କ ନାମରେ ପୂଜାକୁ ବିଧିପୂର୍ବକ କରିବା ପରେ ମୁଠିବାର ଜମିରେ ହଳ କରି ଅଖି ମୁଠି ବୁଣି ଥାଆନ୍ତି। ଘରେ ଯାଇ ପିଠାପଣା ସହ ହବିଷ ଭୋଜନ କରିଥାନ୍ତି। ସମଗ୍ର ଓଡ଼ିଶାରେ ପାଳିତ ହେଉଥିବା ପର୍ବ ଅନୁଷ୍ଠାନକୁ ମୁଠିପକା, ମୁଠିଛୁଆଁ, ମୁଠି ଅନୁକୂଳ ନାମରେ ନାମିତ କରାଯାଇଥାଏ।
ଏହି ଦିନରେ ଦାନ ଧର୍ମର ମହତ୍ତ୍ବ ରହିଛି। ଦାନ କଲେ ଅକ୍ଷୟ ପୁଣ୍ୟ ଲାଭର ବିଶ୍ୱାସକୁ ଭବିଷ୍ୟ ପୁରାଣରେ ବର୍ଣ୍ଣନା ରହିଛି। ସେହିପରି ଏହି ଦିନରେ ଦାନ, ଧର୍ମ କଲେ ସୂର୍ଯ୍ୟମଣ୍ଡଳରେ ସ୍ଥାନ ମିଳେ ବୋଲି ଆଗ୍ନେୟ ପୁରାଣରେ କୁହାଯାଇଛି। କେବଳ ସେତିକି ନୁହେଁ; ଏହି ଦିନ ଧ୍ୟାନ ଧାରଣା, ତୀର୍ଥସ୍ନାନ, ତପସ୍ୟା, ବେଦପାଠ, ପିତୃତର୍ପଣ, ବିଷ୍ଣୁପୂଜା କଲେ ବିଷ୍ଣୁଲୋକ ପ୍ରାପ୍ତିର ବିଶ୍ୱାସ ରହିଛି।
ଅକ୍ଷୟ ତୃତୀୟାର ଦିନଟି ଚନ୍ଦନ ଯାତ୍ରାର ପ୍ରଥମ ଦିନରୂପେ ବିଶେଷଭାବେ ପାଳିତ। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ନିଆରା ଚନ୍ଦନଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ପାଳିତ ହୁଏ। ଏହି ଯାତ୍ରାର ମାହାତ୍ମ୍ୟ ଅନେକ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ‘ନୀଳାଦ୍ରି ମହୋଦୟ’ରେ ପ୍ରଭୁ ଶ୍ରୀ ଜଗନ୍ନାଥ ନିଜର ଏହି ଯାତ୍ରାକୁ କେଉଁ ବିଧିବିଧାନରେ କିପରି କରିବ ଓ କିପରି ଚତୁର୍ବଗ ପ୍ରାପ୍ତି କରିବ ତାହାର ବର୍ଣ୍ଣନା କରିଛନ୍ତି- “ବୈଶାଖ ଶୁକ୍ଳ ତୃତୀୟାରେ। ଯେ ମୋତେ ଗନ୍ଧ ଚନ୍ଦନରେ।। ସୁବାସ କରିବ ଲେପନ। ଯେ ଅନ୍ୟ ମହୋତ୍ସବ ମାନ।। ମୋ ପ୍ରୀତି ଅର୍ଥେ ଯାତ୍ରା କରି। ସେ ଚଉବର୍ଗ ଅଧିକାରୀ।’’
ଏକୋଇଶି ଦିନ ପର୍ଯ୍ୟନ୍ତ ପାଳିତ ଏହି ଚନ୍ଦନ ଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଲକ୍ଷ୍ମୀ ଓ ସରସ୍ବତୀଙ୍କ ସହ ମଣି ବିମାନରେ ବସାଇ ନରେନ୍ଦ୍ର ପୋଖରୀକୁ ନିଆଯାଏ। ତାଙ୍କ ସହ ଶ୍ରୀଲୋକନାଥ, ଜମେଶ୍ୱର, କପାଳ ମୋଚନ, ମାର୍କଣ୍ଡେୟ, ଓ ନୀଳକଣ୍ଠେଶ୍ବରଙ୍କ ଚଳନ୍ତି ବିଗ୍ରହ ବିଜେ କରନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଥରେ ନୌକାବିହାର କରାଇବାପରେ ଚଳନ୍ତି ପ୍ରତିମାମାନଙ୍କୁ ଏହି ଦିନ ଜଳକ୍ରୀଡା ମଣ୍ଡପକୁ ନେଇ ସେଠାରେ ଚନ୍ଦନ ଲାଗି କରାଯାଇ ଫଳ ମୂଳ ଭୋଗ ଲଗାଯାଏ। ପୁନର୍ବାର ନୌକାରେ ଉପବେଶନ ପୂର୍ବକ ତିନିଥର ପୁଷ୍କରିଣୀରେ ନୌକାବିହାରକୁ କୋଡ଼ିଏ ଦିନ ପର୍ଯ୍ୟନ୍ତ କରାଯାଇଥାଏ। ଚାପସ୍ଥଳୀ ଶାସ୍ତ୍ରୀୟ ନୃତ୍ୟଗୀତରେ ଅପୂର୍ବ ପରିବେଶ ସୃଷ୍ଟି କରିଥାଏ। ଶେଷ ଏକୋଇଶ ଦିନରେ ଚୁଡ଼ଙ୍ଗ ହନୁମାନଙ୍କୁ ମାଳା ଦେଇ ଚନ୍ଦନଯାତ୍ରା ଶେଷହୁଏ। ଏହି ଦିନରେ, ପୁରୀରେ ସାହି ଭାଇମାନେ ଚନ୍ଦନ ମଉଜରେ ନରେନ୍ଦ୍ର ପୋଖରୀକୁ ବାହାରିଥାନ୍ତି। ଦେହରେ ଚନ୍ଦନ ବୋଳି ହାତରେ ବେକରେ ମଲ୍ଲୀମାଳ ପକାଇ, ଖିଲିପାନ ଖାଇ ବାହାରିବାର ଦୃଶ୍ୟରେ ଭାଇଚାରା ପ୍ରତୀକିତ ହୁଏ। ପୁରୀ ଚନ୍ଦନଯାତ୍ରା ବ୍ୟତୀତ ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେବା ସହ ସାକ୍ଷୀଗୋପାଳ, କାକଟପୁର ମଙ୍ଗଳା, ଝଙ୍କଡର ଶାରଳାପୀଠ, ବ୍ରହ୍ମପୁର ନୂଆଁ ଗାଁର ଜଗନ୍ନାଥ, ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ଚନ୍ଦନଯାତ୍ରା ଆନନ୍ଦ ଉଲ୍ଲାସରେ ମହା ସମାରୋହରେ ପାଳନ କରାଯାଏ। ପବିତ୍ର ରଥଯାତ୍ରା ନିମନ୍ତେ ରଥଖଳାରେ ରଥନିର୍ମାଣର କାଠ ଅନୁକୂଳ ଏହି ପବିତ୍ର ଦିନରେ ବିଧି ବିଧାନ ପୂର୍ବକ କରାଯାଇଥାଏ।
ଏହି ଦିନର ଅନ୍ୟ ଏକ ଆକର୍ଷଣ ହେଉଛି ଷଷ୍ଠୀ ମାର୍କଣ୍ଡିଙ୍କ ପାଖରେ ଘଡି ପଥୁଲି ପୂଜା। ନିଜ ସନ୍ତାନମାନଙ୍କର ସୁସ୍ଥ ନିରାମୟ ଦୀର୍ଘାୟୁ ଜୀବନପାଇଁ ଏହି ପୂଜା କରାଯାଇଥାଏ। ଅକ୍ଷୟ ତୃତୀୟାର ଦୁଇ ତିନିଦିନ ପୂର୍ବରୁ କୁମ୍ଭାରଠାରୁ ଘଡି ପଥୁଲି ଆସେ। ତାକୁ ଚୂନପାଣିରେ ବୁଡ଼ାଯାଇ ଶୁଖାଯାଏ। ପରେ ସେଥିରେ ଘରର ଝିଅବୋହୂମାନେ ବିଭିନ୍ନ ରଙ୍ଗବେରଙ୍ଗର ଚିତ୍ର କରିଥାନ୍ତି। ସେହି ଦିନ ସକାଳୁ ଘରଦ୍ୱାର ଲିପାପୋଛା କରି ଠାକୁର ଘରେ ଚିତା ମୁରୁଜ ପକାଇ କଳସ ବସାଇ ପିଢ଼ା ଉପରେ ଷଷ୍ଠୀ ଠାକୁରାଣୀଙ୍କୁ ସ୍ଥାପନା କରନ୍ତି। ଘଡିମାନଙ୍କରେ ସାତ, ଚଉଦ, ଏକୋଇଶ ବା ଏକାଧିକ ଘଡି ପଥୁଲି ଷଷ୍ଠୀ ମାର୍କଣ୍ଡିଙ୍କ ପାଖରେ ପାଣି ଛଡ଼ାଯାଇ ଭୋଗ ଦିଆଯାଏ। ପ୍ରଥମ ଘଡିପଥୁଲିରେ ନଡ଼ିଆ ଦୂବ ଫୁଲରଖି ନିଜ ଘର କୁଟୁମ୍ବର ପୁଅ କିମ୍ବା ଭଣଜାଙ୍କୁ ଦିଆଯିବା ପରେ ଅନ୍ୟ କୁନିପିଲାଙ୍କୁ ବଣ୍ଟନ କରାଯିବାର ପରମ୍ପରା ରହିଛି। ସେଦିନ ସକାଳୁ ସାହି ପିଲାମାନେ “ଘଡିଦିଅ ଘଡି ନହେଲେ ଘର ଦେବୁ ପୋଡ଼ି”, କିମ୍ବା କେହି କେହି “ଘଡି ଦେବ ଘଡି ନଦେଲେ ଘରବାଡ଼ିରେ ବୁଲିବ ବାଡି” କହି ଘରଘର ବୁଲି ସକାଳୁ ସକାଳୁ ଘଡି ପଥୁଲି ସଂଗ୍ରହ କରନ୍ତି। ଏହା ଉତ୍କଳୀୟ ସଂସ୍କୃତିର ଅନନ୍ୟ ପରମ୍ପରା ଯାହା ବ୍ରାହ୍ମଣ ଶାସନମାନଙ୍କରେ ବିଶେଷ ଭାବରେ ଦେଖାଗଲେ ମଧ୍ୟ ସମସ୍ତେ ଏହାକୁ କରିଥାନ୍ତି।
ଓଡ଼ିଶାରେ ଷଷ୍ଠୀ ପୂଜାଠାରୁ ଆରମ୍ଭକରି ଶ୍ରୀଜଗନ୍ନାଥଙ୍କ ପର୍ଯ୍ୟନ୍ତ, ଧାନବିଲଠାରୁ ଆରମ୍ଭକରି ରାଜ ଉଆସ ଓ ପଲ୍ଲୀ ଠାରୁ ପୁର ପର୍ଯ୍ୟନ୍ତ ଏହା ଏକ ସର୍ବଭାରତୀୟ ପର୍ବର ଦିନ। ଏହି ଦିନ ପ୍ରତ୍ୟେକ ମୁହୂର୍ତ୍ତ ମଙ୍ଗଳମୟ ଶୁଭମୟ ହେଇଥିବାରୁ ଭୂମି, ଦେବାଳୟ, ଘର, ଦୋକାନ, କଳକାରଖାନା, ଅନୁଷ୍ଠାନର ଶୁଭଦାନ ଓ ପ୍ରତିଷ୍ଠା ଏହି ଦିନରେ କରାଯାଏ। ବହୁପର୍ବ ଏକ ଦିନରେ ପାଳନର ଏହା ଏକ ଅପୂର୍ବ ସଂଯୋଗର ଦିବସ। ଅକ୍ଷୟ ତୃତୀୟାର ପୁଣ୍ୟ ଦିନଟି ହୁଏତ ସେହି ଦିନ ସରିଯାଏ ମାତ୍ର ତାହାର ଫଳାଫଳ ସବୁବେଳେ ଅକ୍ଷୟ ରହେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories