www.samajalive.in
Saturday, December 6, 2025
16.1 C
Bhubaneswar

ଅସମ୍ଭାଳ ତାତି: ୧୧ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ସତର୍କତା

ଭୁବନେଶ୍ୱର : ଦିନକୁ ଦିନ ଅସମ୍ଭାଳ ହେଉଛି ତାତି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ତେଜିବା ସହିତ ପୁଣି ଝାରସୁଗୁଡା ରାଜ୍ୟ ତଥା ଦେଶର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ବୁଧବାର ଝାରସୁଗୁଡାରେ ଦିନ ତାପମାତ୍ରା ୪୫.୪ଡିଗ୍ରୀ ଛୁଇଁଛି। ଟିଟିଲାଗଡ଼ରେ ୪୪ ଡିଗ୍ରୀ ରହିଛି। ଉପକୂଳରୁ ଦକ୍ଷିଣ ଏବଂ ପଶ୍ଚିମରୁ ଉତ୍ତର ସବୁଠି ତାପମାତ୍ରା ବଢ଼ିବା ସହ ଆର୍ଦ୍ରତା ଅଧିକ ରହିବା କାରଣରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟର ୧୬ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ଏହିସବୁ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଲୋକେ ପଦାକୁ ବାହାରିବାକୁ ଡ଼ରୁଛନ୍ତି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଲାଗି ରହିବାର ସମ୍ଭାବନା ଥିବାରୁ ଜନସାଧାରଣ ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି।
ଅନୁଗୋଳରେ ପାରଦ ୪୨.୯ଡିଗ୍ରୀ ଥିବାବେଳେ ବାରିପଦା ୪୦.୨, ସୁନ୍ଦରଗଡ ଓ ହୀରାକୁଦରେ ୪୩.୪, ସମ୍ବଲପୁର ଓ ବୌଦ୍ଧରେ ୪୩.୮, ତାଳଚେର ୪୨.୪, ଭବାନୀପାଟଣା ୪୨.୫, ବଲାଙ୍ଗିର ୪୩.୭, ସୁବର୍ଣ୍ଣପୁର ୪୩.୨, ପାରଳାଖେମୁଣ୍ଡି ୪୧, ବରଗଡ ୪୨.୨, ନୂଆପଡା ୪୨, ରାଉରକେଲା ୪୨.୪, ଭୁବନେଶ୍ବର ଏବଂ କଟକରେ ୩୭.୬ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଏବଂ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ଏହିସବୁ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାତିରେ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବାର ସମ୍ଭାବନା ଥିବାରୁ ସମ୍ବଲପୁର, ସୁନ୍ଦରଗଡ ଏବଂ ବଲାଙ୍ଗିର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କଳାହାଣ୍ଡି, ନୂଆପଡା, ଦେବଗଡ ଓ ଅନୁଗୋଳ ଜିଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲାର ଅନେକ ସ୍ଥାନରେ ବାୟୁମଣ୍ଡଳର ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଥିବାବେଳେ ମୟୂରଭଞ୍ଜ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଝାରସୁଗୁଡା, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ବରଗଡ, ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲାରେ ପାରଦ ୪୩ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିବାର ସମ୍ଭାବନା ରହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories