www.samajalive.in
Saturday, December 6, 2025
15.1 C
Bhubaneswar

ଅଙ୍ଗନବାଡ଼ି ପରିଦର୍ଶିକା ପାଇଁ ସ୍ନାତକ ଡିଗ୍ରୀ

ଭୁବନେଶ୍ବର: ଏଣିକି ଅଙ୍ଗନବାଡ଼ି (ପରିଦର୍ଶିକା) ସୁପରଭାଇଜର ଚାକିରି ପାଇଁ ସ୍ନାତକ ଡିଗ୍ରୀ ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ପ୍ରଚଳିତ ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା ନିୟମ-୧୯୮୯ରେ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପ୍ରସ୍ତାବ ସହ ରାଜ୍ୟ କ୍ୟାବିନେଟ୍‌ରେ ୫ଟି ବିଭାଗର ମୋଟ୍ ୬ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଅବକାରୀ ବିଭାଗର ୨ଟି ପ୍ରସ୍ତାବ ସମେତ ଜଳସମ୍ପଦ, ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ଶିଶୁବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ନିଷ୍ପତ୍ତି ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ, ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା(ସଂଶୋଧନ) ନିୟମ, ୨୦୨୫କୁ ଅନୁମୋଦନ ମିଳିଛି। ଏହି ସଂଶୋଧନ ଅନୁଯାୟୀ, ଅଙ୍ଗନବାଡ଼ି ସୁପରଭାଇଜର ପଦରେ ମନୋନୟନ ଭିତ୍ତିକ ନିଯୁକ୍ତି ନିମନ୍ତେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ନାତକ ଡିଗ୍ରୀ ହାସଲ କରିବା ଜରୁରୀ। ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କନିଷ୍ଠ ବର୍ଗ ସେବାରେ (ସୁପର ଭାଇଜର) ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ପରିବର୍ତ୍ତନ କରାଯାଇଛି। ୧୯୮୯ ନିୟମାବଳୀ ଅନୁଯାୟୀ ପୂର୍ବରୁ ହାଇସ୍କୁଲ ସାର୍ଟିଫିକେଟ ବା ସମକକ୍ଷ ଯୋଗ୍ୟତା ଆବଶ୍ୟକ ଥିଲା। ନୂଆ ନିୟମ ଅନୁଯାୟୀ ନୂତନ ଅଙ୍ଗନବାଡ଼ି କର୍ମୀମାନଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ (ଗ୍ରାଜୁଏସନ) ବା ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେବ। ଏହି ନୂଆ ନିୟମ ବର୍ତ୍ତମାନର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଲାଗୁ ହେବ ନାହିଁ। ସେମାନେ ପୂର୍ବ ଯୋଗ୍ୟତା ଆଧାରରେ ନିଯୁକ୍ତି ପାଇଁ ବିବେଚିତ ହେବେ। ଏହି ପରିବର୍ତ୍ତନ ଟେକ୍ନୋଲୋଜି, ଆଇଟି ଓ ବୈଜ୍ଞାନିକ ପଦ୍ଧତିର ବୃଦ୍ଧି ସହିତ ଶିଶୁ ଯତ୍ନ ଓ ଗର୍ଭାବସ୍ଥା ପରିଚାଳନାରେ ଉନ୍ନତ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଜରୁରୀକାଳୀନ ଆମ୍ବୁଲାନ୍ସ ସେବା (ଇଏମ୍‌ଏଏସ୍‌-୧୦୮) ଯୋଜନାକୁ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ସମନ୍ୱିତ ରୋଗୀ ପରିବହନ ଓ ସ୍ୱାସ୍ଥ୍ୟ ସହାୟତା ସେବା ଅନ୍ତର୍ଗତ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ଯୋଜନା ପାଇଁ ୫ ବର୍ଷ ମଧ୍ୟରେ ୨୩୯୮ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଜାତୀୟ ଆମ୍ବୁଲାନ୍ସ ସେବା ଅଧୀନରେ ଏହି ଯୋଜନା ୫ ମାର୍ଚ୍ଚ ୨୦୧୩ରୁ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ରାଜ୍ୟରେ ୮୬୬ଟି ୧୦୮ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି। ସେଥିମଧ୍ୟରେ ୪୧୧ଟି ଏଏଲଏସ, ୪୪୯ଟି ବିଏଲ୍‌ଏସ୍‌ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି। ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧୧-୧୨ ଲକ୍ଷ ଜରୁରୀ ରୋଗୀ (ଗର୍ଭବତୀ ଓ ଶିଶୁ ସମେତ)ଙ୍କୁ ୨୦ ମିନିଟ୍ ମଧ୍ୟରେ ନିର୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏହି ସେବା ଏକ ଘରୋଇ ଏଜେନ୍ସି ଦ୍ୱାରା ପରିଚାଳିତ ହେଉଛି। ଖୋଲା ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ମନୋନୀତ କରାଯାଇଛି।
ଅବକାରୀ କନ‌େ‌ଷ୍ଟବଳ କ୍ୟାଡରକୁ ଡିଭିଜନାଲ ସ୍ତରରୁ ଜିଲା କ୍ୟାଡରରେ ପରିଣତ କରାଯାଇଛି। ଏଥିନିମନ୍ତେ ଓଡ଼ିଶା ନିମ୍ନ ଅବକାରୀ ସେବା (ଅବକାରୀ କନ‌େ‌ଷ୍ଟବଳଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମ, ୨୦୨୫କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଓଡ଼ିଶା ଅବକାରୀ ନିୟମ, ୨୦୧୭ର ନିୟମ ୭୯କୁ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ ଡି‌ଷ୍ଟିଲେରୀଜ, ବଟଲିଂ ୟୁନିଟ୍ ଓ ବ୍ରିୱେରୀ ୟୁନିଟ୍‌ଗୁଡ଼ିକ ପାଇଁ ଅତିରିକ୍ତ ଘଣ୍ଟା ପରିଚାଳନା ଫି ଛାଡ଼ ହୋଇଛି। ଅନ୍ୟପକ୍ଷରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ପାଇଁ ‘ଓଡ଼ିଶା ମଙ୍ଗଳ ସେବା’ ଓ ‘ଓଡ଼ିଶା ଅଧସ୍ତନ ମଙ୍ଗଳ ସେବା’ର ପୁନର୍ଗଠନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଏବଂ ପରିଚାଳନାକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ମଙ୍ଗଳ ସେବା ଏବଂ ଓଡ଼ିଶା ଅଧସ୍ତନ ମଙ୍ଗଳ ସେବାର ପୁନଃଗଠନ କରାଯାଇ ବିଭିନ୍ନ ପାହ୍ୟାରେ ୨୪ଟି ନୂତନ ପଦ ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ପାହ୍ୟାରେ ୨ଟି, ଉପନିର୍ଦେଶକ ପାହ୍ୟାରେ ୧୧ଟି, ଯୁଗ୍ମ ନିର୍ଦେଶକ ପାହ୍ୟାରେ ୮ଟି, ଅତିରିକ୍ତ ନିର୍ଦେଶକ ପାହ୍ୟାରେ ୩ଟି ଅତିରିକ୍ତ ପଦବୀ ସୃଷ୍ଟି ହୋଇଛି।
ରାଜ୍ୟ କ୍ୟାବିନେଟ୍ କେନ୍ଦୁଝର ଜିଲାରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅଧୀନରେ ଜଳସେଚନ ବ୍ୟବସ୍ଥା ନିର୍ମାଣ ପାଇଁ ୧୦୮ କୋଟି ଓ ୧ ପଇସା (ଜିଏସଟି ବ୍ୟତୀତ) ମୂଲ୍ୟରେ ଟେଣ୍ଡରକୁ ଅନୁମୋଦନ କରିଛନ୍ତି। କେନ୍ଦୁଝର ଓ ବାଲେଶ୍ବର ଜିଲାର ୬୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ଥିବା ସମନ୍ବିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଏହା ଏକ ଅଂଶ। ଏହି ପ୍ରକଳ୍ପରେ ବୈତରଣୀ ବାମ ପାର୍ଶ୍ବ କେନାଲର ୦.୦୦ କି.ମି.ରୁ ୨୮.୫୦ କି.ମି. ପର୍ଯ୍ୟନ୍ତ ୨୨୨୧ ହେକ୍ଟର ଏବଂ ବୈତରଣୀ ଦକ୍ଷିଣ ପାର୍ଶ୍ବ କେନାଲର ୦.୦୦ କି.ମି.ରୁ ୯.୦୦ କି.ମି. ପର୍ଯ୍ୟନ୍ତ ୧୨୨୯ ହେକ୍ଟର ଚାଷଜମିରେ ଭୂତଳ ପାଇପଲାଇନ ଜଳ ବଣ୍ଟନ ବ୍ୟବସ୍ଥା ଓ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟ (ସିଏଡି) ଦ୍ବାରା ସମୁଦାୟ ୩୪୫୦ ହେକ୍ଟର ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କେନ୍ଦୁଝର ଜିଲାର ଆନନ୍ଦପୁର, ହାଟଡିହି, ଘଷିପୁରା ବ୍ଲକ୍‌ର ଚାଷୀ ଉପକୃତ ହେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories