www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ଧୁକ କାରଖାନା ଠାବ ଘଟଣା: ଆଜି ବିହାର ଓ କଲକାତା ଯିବ ଏସ୍‌ଟିଏଫ୍‌ ଦଳ

ଭୁବନେଶ୍ବର : କଟକ ବୟାଳିଶ ମୌଜା ଅଞ୍ଚଳରେ ବେଆଇନ ବନ୍ଧୁକ କାରଖାନା ଠାବ ପରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଏହାର ଖିଅ ଖୋଜୁଛି। ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ଚୋରା ବନ୍ଧୁକ କାରବାର୍‌ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। ଜଙ୍ଗଲ ଭିତରେ କେବଳ ବ୍ୟାରେଲ, ସ୍ଲାଇଡ଼, ହ୍ୟାଣ୍ଡଗ୍ରିପ ତିଆରି ହେଉଥିଲା। ସେସବୁକୁ ମୁଙ୍ଗେର ପଠାଯାଉଥିଲା। ମାତ୍ର ୫ ହଜାର ଟଙ୍କାରେ ଏଠାରୁ ଅର୍ଦ୍ଧନିର୍ମିତ ପିସ୍ତଲ ମୁଙ୍ଗେର ଯାଉଥିଲା। ସେଠାରେ ଫିନିସିଂ ପରେ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। ବିହାରର ଗ୍ୟାଙ୍ଗଷ୍ଟର ଶତାଧିକ ପିସ୍ତଲ ପାଇଁ ଅର୍ଡର ଦେଇଥିଲେ ବୋଲି ଅଭିଯୁକ୍ତଙ୍କ ବୟାନରୁ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। କଲକାତାରୁ ସେମାନେ କଞ୍ଚାମାଲ ଆଣୁଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏସଟିଏଫର ଏକ ଟିମ୍‌ ଆଜି ବିହାର ଓ କଲକାତା ଗସ୍ତ କରିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରବି ନାରାୟଣ ଶତପଥୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ସେମାନେ କେତେ ବନ୍ଧୁକ ବିକ୍ରି କରିଛନ୍ତି ସେନେଇ ମଧ୍ୟ ତନାଘନା ଆରମ୍ଭ ହୋଇଥିବା ଶ୍ରୀ ଶତପଥୀ କହିଛନ୍ତି।
ବିହାର ମୁଙ୍ଗେରରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଚୋରା ବନ୍ଧୁକ ଚାଲାଣ କରାଯାଉଥିଲା। ଏବେ ଓଡ଼ିଶାରୁ ମୁଙ୍ଗେରକୁ ବନ୍ଧୁକ ଚାଲାଣ ହେବା ଘଟଣାକୁ ଏସ୍‌ଟିଏଫ୍‌ ଗୁରୁତ୍ବର ସହ ଗ୍ରହଣ କରିଛି। କଟକ ବେଣ୍ଟକର ଥାନା ଧୂଳେଶ୍ୱର ଗାଁ ସିଢ଼ୁଆ ନଦୀ କୂଳରେ ଏକ ଚାଳ ଛପର ଗୁହାଳ ଘରେ ଏହି କାରଖାନା ଚାଲିଥିଲା। ଏସଟିଏଫ୍ କାରଖାନାରେ ଚଢ଼ଉ କରି ବନ୍ଧୁକ ତିଆରିରେ ନିୟୋଜିତ ଥିବା ବିହାରୀ କାରିଗରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। କାରାଖାନାରେ ବନ୍ଧୁକ ତିଆରି ସରିବା ପରେ ରାଜ୍ୟ ଓ ରାଜ୍ୟ ବାହାରକୁ ଅଭିଯୁକ୍ତ ଚଗଲା ଖୁଣ୍ଟିଆ ଚାଲାଣ କରୁଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲା। ପରେ ଚଗଲାକୁ ଗିରଫ କରିବା ଲାଗି ଜାଲ ବିଛାଇଥିଲା। ଶେଷରେ କଟକରୁ ତାକୁ ଗିରଫ କରିବାରେ ଏସ୍‌ଟିଏଫ ସଫଳ ହୋଇଥିଲା। ଚଗଲା ଶହ ଶହ ବନ୍ଧୁକ ଚାଲାଣ କରିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। କେତେ ଜଣ ଅପରାଧୀ ଏମାନଙ୍କ ଠାରୁ ବନ୍ଧୁକ କିଣିଛନ୍ତି, କେତେ ଟଙ୍କାରେ ଏମାନେ ବିକ୍ରି କରୁଥିଲେ, ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories