ଡେସ୍କ: ନିକଟରେ ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପରେ ୩୪୭୧ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସାରା ବିଶ୍ୱ ଶୋକ ପ୍ରକାଶ କରୁଥିବା ବେଳେ ଜାପାନ ଏକ ସମ୍ଭାବ୍ୟ ବଡ ଭୂମିକମ୍ପ (ମେଗାକ୍ୱାକ୍) ବିଷୟରେ ଚେତାବନୀ ଜାରି କରିସାରିଛି ଯାହା ଅକଳ୍ପନୀୟ କ୍ଷୟକ୍ଷତି କରିପାରେ ଏବଂ ପାଖାପାଖି ୩ ଲକ୍ଷ ଲୋକଙ୍କ ଜୀବନହାନୀ ହୋଇପାରେ। ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି ହିମାଳୟରେ ସୃଷ୍ଟି ହେଉଥିବା ସମାନ ବିପଦ ବିଷୟରେ ଚେତାବନୀ ଦେଇ ଆସୁଛନ୍ତି, ଯେଉଁଠାରେ ଯେକୌଣସି ସମୟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଆସିପାରେ ।
ନିକଟରେ ଜାପାନ ସରକାରଙ୍କ ଏକ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ନାନକାଇ ଟ୍ରଫରେ ଦୀର୍ଘ ଦିନ ଧରି ଆଶା କରାଯାଉଥିବା ବଡ ଭୂମିକମ୍ପ ଦେଶର ଭୟଙ୍କର କ୍ଷୟକ୍ଷତି କରିପାରେ। ଯଦି ୯ ତୀବ୍ରତାର ଭୂମିକମ୍ପ ହୁଏ, ତେବେ ଜାପାନ ୧.୮୧ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ସହିପାରେ, ପ୍ରବଳ ସୁନାମିର ସମ୍ମୁଖୀନ ହୋଇପାରେ, ଶତାଧିକ କୋଠା ଭୁଶୁଡ଼ି ପଡିବା ସହ ପ୍ରାୟ ୩ ଲକ୍ଷ ମୃତ୍ୟୁ ହେବାର ସମ୍ଭାବନା ରହିଛି।
ନାନକାଇ ଟ୍ରଫ୍ ଜାପାନର ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଅବସ୍ଥିତ। କ୍ୟାବିନେଟ୍ କାର୍ଯ୍ୟାଳୟ ରିପୋର୍ଟ ଅନୁଯାୟୀ, ଏଭଳି ଭୂମିକମ୍ପ ହେବାର ସମ୍ଭାବନା ପ୍ରାୟ ୮୦ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶେଷକରି ଶୀତଦିନେ ରାତିରେ ଏହି ବଡ ଭୂମିକମ୍ପ ଘଟିଲେ ପ୍ରାୟ ୧.୨୩ ନିୟୁତ ଲୋକ ସ୍ଥାନାନ୍ତର ଏବଂ ମାରାତ୍ମକ ଧ୍ୱଂସ ହୋଇପାରେ। ଏପରିକି ୨୦୨୩ ମସିହାରେ ସେହି ଟ୍ରଫ କୂଳରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ଜାପାନ ଏକ ବିରଳ ମେଗାକ୍ୱାକ୍ ଆଡଭାଇଜରି ଜାରି କରିଥିଲା।
ଜାପାନ ଭୂମିକମ୍ପ ପ୍ରବଣ ହୋଇଥିବା ବେଳେ ବିଶେଷ କରି ହିମାଳୟରେ ମଧ୍ୟ ଭାରତ ବିପଦରେ ରହିଛି। ଏହି ଅଂଚଳରେ ଏକ ବିରାଟ ଭୂମିକମ୍ପ ହେବାର ଆଶଙ୍କା ରହିଛି, ଯାହାକୁ ପ୍ରାୟତଃ ମହାନ ହିମାଳୟ ଭୂମିକମ୍ପ ବୋଲି କୁହାଯାଏ। ଆମେରିକୀୟ ଭୂତତ୍ତ୍ୱ ବିଜ୍ଞାନୀ ରୋଜର ବିଲହାମ୍ ୨୦୨୦ରେ କହିଥିଲେ ଯେ ହିମାଳୟ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ଏତେ ବଡ଼ ଧରଣର ଭୂମିକମ୍ପ ଅନିବାର୍ଯ୍ୟ।
ହିମାଳୟରେ ବଡ଼ ଭୂମିକମ୍ପ ହେଲେ ଏହା ଚଣ୍ଡିଗଡ଼, ଡେରାଡୁନ୍ ଏବଂ ଏପରିକି ଦିଲ୍ଲୀ ଭଳି ସହରକୁ ଦୋହଲାଇ ଦେଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସିସ୍ମୋଲୋଜିକାଲ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ୨୦୨୦ର ଏକ ଅଧ୍ୟୟନରେ କୁହାଯାଇଛି ଯେ ସମଗ୍ର ହିମାଳୟ ଆର୍କ ବଡ଼ ଭୂମିକମ୍ପର କ୍ରମ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛି। ଗବେଷକ ଷ୍ଟିଭେନ୍ ଜି ୱେସ୍ନୋସ୍କି ପିଟିଆଇକୁ କହିଛନ୍ତି, ଯଦି ପରବର୍ତ୍ତୀ ମହାଭୂକମ୍ପ ଆମ ଜୀବନକାଳ ମଧ୍ୟରେ ଘଟିଥାଏ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।



