ଦେଶର ପ୍ରଥମ ହାଇସ୍ପିଡ୍‌ ଲୋକୋମୋଟିଭ୍‌ ଲୋକାର୍ପିତ

0

ପାଟନା : ଦଳିତ ପ୍ରସଙ୍ଗକୁ ନେଇ ବିହାରରେ ବନ୍ଦପାଳନ କରାଯିବା ସହ ବ୍ୟାପକ ହିଂସାକାଣ୍ଡ ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚମ୍ପାରନଠାରେ ଭାରତର ପ୍ରଥମ ଦ୍ରୁତଗତି ସମ୍ପନ୍ନ(ହାଇସ୍ପିଡ୍‌) ବୈଦ୍ୟୁତିକ ଲୋକୋମୋଟିଭ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି; ଯାହା ଚର୍ଚ୍ଚାର ବିଷୟ ହୋଇଛି। ନୀତୀଶଙ୍କୁ ମୋଦି ଧୈର୍ଯ୍ୟଶୀଳ ବ୍ୟକ୍ତି ଓ ଦକ୍ଷ ପ୍ରଶାସକ ଭାବେ ବର୍ଣ୍ଣନା କରିବା ସହ ଅସାମାଜିକ ଶକ୍ତିଙ୍କ ବିରୋଧରେ ତାଙ୍କର ଲଢ଼େଇକୁ ପ୍ରଶଂସା କରିଛନ୍ତି। ନୀତୀଶ କୁମାର ମଧ୍ୟ ମୋଦିଙ୍କୁ ପ୍ରଶଂସାକରି ଦେଶର ବିକାଶ ପାଇଁ ତାଙ୍କ ସରକାର ସର୍ବଧର୍ମ ସମନ୍ୱୟ, ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାରେ ସଫଳ ହୋଇଥିବା କହିଛନ୍ତି।
ଚମ୍ପାରନ ସତ୍ୟାଗ୍ରହର ଶତବାର୍ଷିକ ସମାରୋହ ପୂର୍ତ୍ତି ଉତ୍ସବରେ ଯୋଗଦେଇ ମୋଦି କହିଛନ୍ତି, ‘ନୀତୀଶଙ୍କ ଦୃଢ଼ ନେତୃତ୍ୱରେ ବିହାରରେ ସ୍ୱଚ୍ଛଭାରତ ଅଭିଯାନ ସଫଳତା ହାସଲ କରିଛି। ମାତ୍ର କିଛି ସପ୍ତାହ ମଧ୍ୟରେ ରାଜ୍ୟରେ ୮ଲକ୍ଷ ପାଇଖାନା ନିର୍ମାଣ ହୋଇପାରିଛି। ନୀତୀଶ ସତ୍ୟାଗ୍ରହକୁ ସ୍ୱଚ୍ଛାଗ୍ରହରେ ପରିଣତ କରିଛନ୍ତି। ମୁଁ ଏଥିପାଇଁ ଗର୍ବିତ।’ ଏହି ଅବସରରେ ମୋଦି ସ୍ୱଚ୍ଛାଗ୍ରହୀମାନଙ୍କୁ ୫୧ହଜାର ଟଙ୍କାର ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛନ୍ତି। ଏହାଛଡ଼ା ୧୧୧୧କୋଟି ୫୬ଲକ୍ଷ ଟଙ୍କାର ୪ଟି ସ୍ୱେରେଜ୍‌ ପ୍ରକଳ୍ପ ଏବଂ କେତେକ ରେଳବାଇ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ରେଳଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି।

Leave A Reply