ଗେରୁଆ ପରେ ନୀଳରେ ରଙ୍ଗାୟିତ ହେଲା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

0

ନୂଆଦିଲ୍ଲୀ : ଦେଶବ୍ୟାପୀ ବିଶିଷ୍ଟ ବ୍ୟକ୍ତିଙ୍କ ମୂର୍ତ୍ତିଭଙ୍ଗାକୁ ନେଇ ଚାଲିଥିବା ରାଜନୀତି କିଛିଟା ଥମିଥିବାବେଳେ ଏବେ ଉତ୍ତରପ୍ରଦେଶରେ ମୂର୍ତ୍ତିର ରଙ୍ଗ ପରିବର୍ତ୍ତନ ରାଜନୀତି ଜୋର ହୋଇଛି। ଏଠାକାର ଶାସକ ତଥା ବିରୋଧୀ ଦଳଗୁଡ଼ିକ ଦଳୀୟ ରଙ୍ଗରେ ସମ୍ବିଧାନର ପ୍ରଣେତା ଡକ୍ଟର ବି. ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ରଙ୍ଗାୟିତ କରି ରଙ୍ଗ ରାଜନୀତିର ସୂତ୍ରପାତ କରିଛନ୍ତି। ଉତ୍ତରପ୍ରଦେଶର ବଦାଉଁ ଅନ୍ତର୍ଗତ ଦୁଗ୍ରେୟା ଗ୍ରାମରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଏପ୍ରିଲ ୭ରେ କେହି ଦୁର୍ବୁତ୍ତ ଭାଙ୍ଗି ଦେଇଥିଲେ। ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ଆମ୍ବେଦକରଙ୍କ ଭଙ୍ଗା ପ୍ରତିମୂର୍ତ୍ତି ହଟାଯାଇ ଆଗ୍ରାରୁ ବରାଦ ଦେଇ ଅଣାଯାଇଥିବା ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା; କିନ୍ତୁ ଏହି ପ୍ରତିମୂର୍ତ୍ତିର ରଙ୍ଗ ଗେରୁଆ ହୋଇଥିବାରୁ ଏହା ପଛରେ ବିଜେପି ନେତୃତ୍ୱାଧୀନ ପ୍ରଶାସନର ହାତ ଥିବା ଆଲୋଚନା ହୋଇଥିଲା। ମାତ୍ର ବିଜେପି ଜାଣିଶୁଣି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଗେରୁଆ କରିଥିବା ଅଭିଯୋଗକୁ ଦଳର ପୂର୍ବତନ ବିଧାୟକ ପ୍ରେମ ସ୍ୱରୂପ ପାଠକ ଅସ୍ୱୀକାର କରିଥିଲେ। ଏଥିସହ ‘ଗେରୁଆ’ ଭାରତୀୟ ସଂସ୍କୃତିର ରଙ୍ଗ ବୋଲି ଦର୍ଶାଇଥିଲେ।
ବିଜେପିର ଏତାଦୃଶ ମନ୍ତବ୍ୟରେ ଅସନ୍ତୁଷ୍ଟ ବିରୋଧୀ ଦଳ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିକ୍ରମେ ଦଳୀୟ ନେତାମାନେ ଆମ୍ବେଦରଙ୍କ ମୂର୍ତ୍ତିକୁ ଏବେ ନୀଳ ରଙ୍ଗରେ ରଙ୍ଗାୟିତ କରିଛନ୍ତି। ଏହାର ଏକ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି।
କିଛି ଦିନ ପୂର୍ବେ ଆମ୍ବେଦକରଙ୍କ ନାମ ସହିତ ‘ରାମ’ ଶବ୍ଦ ଯୋଡିବା ନେଇ ଗତ ମାସରେ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏଥିକ୍ରମେ ସମସ୍ତ ସରକାରୀ କାଗଜପତ୍ରରେ ଡକ୍ଟର ବି. ଆର୍‌. ଆମ୍ବେଦକର ପରିବର୍ତ୍ତେନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ଉଲ୍ଲେଖ କରିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟପାଳ ରାମ ନାଏକଙ୍କ ସୁପାରିସକ୍ରମେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା।

Leave A Reply