ପାକିସ୍ତାନର ୩ କୂଟନୀତିଜ୍ଞଙ୍କୁ ମୋଷ୍ଟ ୱାଣ୍ଟେଡ ଘୋଷଣା କଲା ଏନ୍‌ଆଇଏ

0

ନୂଆଦିଲ୍ଲୀ : ପ୍ରଥମ ଥର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପାକିସ୍ତାନର ୩ କୂଟନୀତିଜ୍ଞଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷିତ କରିଛି । ଏନ୍‌ଆଇଏ ମୋଷ୍ଟ ୱାଣ୍ଟେଡ ତାଲିକାରେ ଏହି କୂଟନୀତିଜ୍ଞଙ୍କୁ ସାମିଲ କରିବା ସହ ସେମାନଙ୍କ ଫଟୋ ଜାରି କରିଛି । ମୋଷ୍ଟ ୱାଣ୍ଟେଡ ତାଲିକାର ସର୍ବାଗେ ଥିବା ପାକିସ୍ତାନ କୂଟନୀତିଜ୍ଞ ନାମ ଜୁବୈର ସିଦ୍ଦିକି । ସେ ଶ୍ରୀଲଙ୍କାର କଲମ୍ବୋସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତରେ ଭିସା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ । ସେ ଅନ୍ୟ ୨ କୂଟନୀତିଜ୍ଞଙ୍କ ସହ ମିଶି ଆମେରିକା ଓ ଇସ୍ରାଏଲର ଦୂତାବାସ ଉପରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଶ୍ରୀଲଙ୍କାରେ ନିଯୁକ୍ତ ପାକିସ୍ତାନର ଅନ୍ୟ ଜଣେ କୂଟନୀତିଜ୍ଞ ବି ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଏନ୍‌ଆଇଏ ଏହି କୂଟନୀତିଜ୍ଞଙ୍କୁ ଧରିବା ପାଇଁ ଇଣ୍ଟରପୋଲର ସାହାଯ୍ୟ ଲୋଡିଛି । ସେମାନଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ୍‌ ଜାରି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ପାକିସ୍ତାନ ଏହି କୂଟନୀତିଜ୍ଞଙ୍କୁ ଶ୍ରୀଲଙ୍କାରୁ ଫେରାଇ ନେଇଛି । ଏନ୍‌ଆଇଏ ଗତ ଫେବୃଆରୀରେ ଅମିର ଜୁବୈର ସିଦ୍ଦିକିଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଅନ୍ୟ ୨ କୂଟନୀତିଜ୍ଞଙ୍କ ନାମ ଜଣାପଡିନଥିଲେ ବି ସେମାନଙ୍କ କୋର୍ଡ ଜଣାପଡିଛି । କୋର୍ଡ ଆଧାରରେ ଅନ୍ୟ ୨ କୂଟନୀତିଜ୍ଞଙ୍କୁ ମୋଷ୍ଟ ୱାଣ୍ଟେଡ ତାଲିକାରେ ସାମିଲ କରାଯାଇଛି । ଏନ୍‌ଆଇଏ ସୂଚନା ଅନୁସାରେ ପାକିସ୍ତାନର କୂଟନୀତିଜ୍ଞ ଅମିର ଜୁବୈର ସିଦ୍ଦିକି କଲମ୍ବୋରେ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ପାକିସ୍ତାନର ଭିସା ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ସେ ଏହି ସମୟରେ ଚେନ୍ନଇ ଏବଂ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏଥିପାଇଁ ସେ ଶ୍ରୀଲଙ୍କା ନାଗରିକ ମୋହମ୍ମଦ ସାଫିର ହୁସୈନ ଏବଂ ଅନ୍ୟ ୨ ଜଣଙ୍କୁ ନିଯୁକ୍ତି ଦେଇଥିଲେ । ସିଦ୍ଦିକି ସେମାନଙ୍କୁ ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନ, ପରମାଣୁ ପ୍ରତିଷ୍ଠାନ, ସେନାର ଗତିବିଧି ଏବଂ କିଛି ସ୍ଥାନର ଫଟୋ ଉଠାଇ ପଠାଇବାକୁ କହିଥିଲା । ମାତ୍ର ଏହା ପୂର୍ବରୁ ସେମାନେ ଏନ୍‌ଆଇଏ ହାତରେ ଗିରଫ ହୋଇଥିଲେ । ଏନ୍‌ଆଇଏ ଦ୍ୱାରା ଜେରା ସମୟରେ ମୋହମ୍ମଦ ସାଫିର ସମସ୍ତ କଥା ପ୍ରଘଟ କରିଛି।

Leave A Reply