ସବୁ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ, ଅର୍ଥ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଇଲେ‌େ‌କ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଶକ୍ତି ବିଭାଗର ମୋଟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ବାରା ରାଜ୍ୟରେ ପୁଞ୍ଜିନିବେଶ ବଢିବା ସହ ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଆସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ରାଜ୍ୟରେ ପ୍ରତି ପଞ୍ଚାୟତରେ ଖୋଲିବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ। ରାଜ୍ୟର ମୋଟ ୬୭୯୪ଟି ପଞ୍ଚାୟତରେ ଏହା ଖୋଲାଯିବ। ଚଳିତବର୍ଷ ୧୧୪ଟି ପଞ୍ଚାୟତରେ ଏହି ବିଦ୍ୟାଳୟ ଖୋଲିବ। ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢ଼ି ପାରିବେ। ଆର୍ଥିକ ବର୍ଷ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଏହି ଆଦର୍ଶ ବିଦ୍ୟାଳୟ ଖୋଲିବ। ଏଥିପାଇଁ ୧୧, ୯୩୯.୪୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରତି ବିଦ୍ୟାଳୟ ପିଛା ମୋଟ ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧୧୪ଟି ପଞ୍ଚାୟତରେ ଏହି ଆଦର୍ଶ ବିଦ୍ୟାଳୟ ଖୋଲିବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତରେ ଖୋଲାଯିବ। ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାର ୫-‘ଟି’ ନାଁରେ ଉଚ୍ଚ ବିଦ୍ୟାଳୟ କାନ୍ଥରେ ରଙ୍ଗ ବୋଳି ରୂପାନ୍ତରଣ କରିଥିଲେ। ସେତେବେଳେ ଏହି ସ୍ମାର୍ଟ ସ୍କୁଲ ଯୋଜନା ଠିକ ନଥିଲା। ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ବ୍ୟୟବରାଦ ଆକଳନ କରାଯାଇ ନଥିଲା। ପିଲାଙ୍କ ଭବିଷ୍ୟତ ପ୍ରତି ଖେଳ ଖେଳିଥିଲେ ପୂର୍ବ ସରକାର। ତେଣୁ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରତି ପଞ୍ଚାୟତରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୋଟିଏ ଲେଖାଏଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ସେହିପରି କୃଷି ବିଭାଗ ଅଧୀନରେ ଶୀତଳ ଭଣ୍ଡାର ନିର୍ମାଣ ନେଇ କ୍ୟାବିନେଟ ନିଷ୍ପତ୍ତି ହୋଇଛି। ନୂଆ ଶୀତଳ ଭଣ୍ଡାର ଲାଗି ପୁଞ୍ଜି ବିନିଯୋଗରେ ରିଆତି ଦିଆଯିବ। ଏସସି, ଏସଟି, ମହିଳା ଓ ତୃତୀୟ ଲିଙ୍ଗୀ ଶୀତଳ ଭଣ୍ଡାର ନିର୍ମାଣ କଲେ ସେମାନଙ୍କୁ ୬୦ପ୍ରତିଶତ ରିଆତି ମିଳିବ। ସର୍ବାଧିକ ୬କୋଟି ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ଦିଆଯିବ। ଅନ୍ୟାନ୍ୟ ହିତାଧିକାରୀଙ୍କ କ୍ଷେତ୍ର‌େ‌ର ୫୦ପ୍ରତିଶତ ସର୍ବାଧିକ ୬କୋଟି ପର୍ଯ୍ୟନ୍ତ ରହିଛି। ସୁଧରେ ୬ପ୍ରତିଶତ (ରାଜ୍ୟ ସରକାର ଟପ-ଅପ୍ ମାଧ୍ୟମରେ ୩ପ୍ରତିଶତ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଏଆଇଏଫ ଆଧାରରେ ୩ପ୍ରତିଶତ) ଛାଡ ଦିଆଯିବ। କାର୍ଯ୍ୟ କରୁଥିବା ପୁଞ୍ଜି ସହାୟତା ୪ଟି ସ୍ଲାବରେ ଦିଆଯିବ। ଅଣ-କାର୍ଯ୍ୟକ୍ଷମ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଶୀତଳ ଭଣ୍ଡାର ୟୁନିଟ ପ୍ରଥମରୁ ବିଦ୍ୟୁତ ବିଲ୍‌ ଉପରେ ୫୦ ପ୍ରତିଶତ ରିଆତି ଦିଆଯିବ। ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପ୍ରଥମ ଦିନରୁ ୭ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲ୍‌ରେ ରିଆତି ମିଳିବ। ଏହି ଯୋଜନା ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ। ଯୋଜନା ପାଇଁ ୨୫୨ କୋଟି ଟଙ୍କା ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଓଡ଼ିଶାରେ ସିଲିକନ କାର୍ବାଇଡ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ଲାଗି ଆରଆଇଆର ପାୱାର ଇଲେ‌େ‌କ୍ଟ୍ରାନିକ୍ସ ଲିଃ. ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିପାଇଁ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିଃ.କୁ ୫୦ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ। ପୂର୍ବରୁ ୩୦ ପ୍ରତିଶତ ପ୍ରୋତ୍ସାହନ ଦିଆଯାଉଥିଲା। ଏଥିପାଇଁ ୨ଟି ପର୍ଯ୍ୟାୟ ୧୧୦ କୋଟି ଖର୍ଚ୍ଚ ହେବ ଏବଂ ୭୫୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ। ଏଥିରେ ମୋଟ ୬୧୮କୋଟି ଟଙ୍କା ନିବେଶ କରାଯିବ ଏବଂ ଏହି ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ।
ଫେବୃଆରୀ ୫, ୬ ଓ ୭ରେ ଷୋଡ଼ଶ ଅର୍ଥ ଆୟୋଗ ଓଡ଼ିଶା ଆସିବେ। ଅର୍ଥ ଆୟୋଗଙ୍କ ନିକଟରେ ଓଡ଼ିଶା ନିଜର ଦାବି ଉପସ୍ଥାପନ କରିବ। ଆର୍ଥିକ ବର୍ଷ ୨୦୨୬ରୁ ୨୦୩୧ ମଧ୍ୟରେ ରାଜ୍ୟର ଉନ୍ନତିକରଣ କାର୍ଯ୍ୟ ଲାଗି ଅର୍ଥ ଆୟୋଗଙ୍କ ନିକଟରେ ୫ ବର୍ଷ ପାଇଁ ୧୨ ଲକ୍ଷ ୫୬ ହଜାର ୧୪୮କୋଟି ଟଙ୍କାର ଦାବି ରଖାଯିବ। ଆଜି କ୍ୟାବିନେଟରେ ଉକ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
କ୍ୟାବିନେଟ୍‌ରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ମଞ୍ଜୁରି ମିଳିଛି। ଏଥିପାଇଁ ବଜେଟରେ ଥିବା ବ୍ୟୟବରାଦକୁ ବୃଦ୍ଧି କରାଯିବ। ଏହି ଯୋଜନାରେ ଗାଁରେ ଖେଳ ପଡ଼ିଆ, ଶିକ୍ଷା, କ୍ଷୁଦ୍ର ପର୍ଯ୍ୟଟନ ବିକାଶ, ଆଲୋକୀକରଣ, କୋଠଘର ଆଦି ଭିତ୍ତିଭୂମି ବିକାଶ କରାଯିବ। ଏହି ଯୋଜନା ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହାର ଅବଧି ସରକାରଙ୍କ ନିଷ୍ପତ୍ତି ଦ୍ବାରା ବୃଦ୍ଧି କରାଯାଇ ପାରିିବ। ଏହି ଯୋଜନା ପାଇଁ ୫ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ଏକ ହଜାର କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଥିଲା। ବିକାଶ କାର୍ଯ୍ୟ ସମ୍ପର୍କରେ ପଲ୍ଲୀସଭା ବସି ନିଷ୍ପତ୍ତି ନିଆଯିବ। ସ୍ବାସ୍ଥ୍ୟ କ୍ଷେତ୍ରକୁ ବିକଶିତ କରାଯିବ। ଏଥିପାଇଁ ୫ ହଜାର ଡାକ୍ତରଙ୍କୁ ଶୀଘ୍ର ନିଯୁକ୍ତି ଦିଆଯିବ। ୧୨୬ ଦନ୍ତ ଚିକିତ୍ସକଙ୍କୁ ମଧ୍ୟ ନିଯୁକ୍ତି ମିଳିବ। ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା କରି ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବ। ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ସମ୍ବର୍ଗରେ ନିଯୁକ୍ତି ମେଡିକାଲ ଅଫିସରଙ୍କ ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ର ପ୍ରଣୟନ ସଂଶୋଧନ କରିବାକୁ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି। ଏହି ସଂଶୋଧନରେ ଲେଭେଲ ୭ରୁ ୬ ଲେଭେଲକୁ ହ୍ରାସ କରାଯାଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗର ଓଡ଼ିଶା ଡାକ୍ତରୀ ସେବା ନିୟମାବଳୀ-୨୦୨୨ର ସଂଶୋଧନ କରାଯାଇଛି। ଓଡ଼ିଶା ରାଜ୍ୟ ବିଧି ଆୟୋଗ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଯେଉଁ ମହତ ଉଦ୍ଦେଶ୍ୟ ନେଇ ଆୟୋଗ ଗଠନ କରାଯାଇଛି ତାହାର ସର୍ବୋତ୍ତମ କାର୍ଯ୍ୟସିଦ୍ଧି ନିମନ୍ତେ ବିଧି, ପ୍ରଶାସନ ତଥା ଅନ୍ୟାନ୍ୟ ବୈଷୟିକ ବିଷୟରେ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ଜ୍ଞାନ ଓ ଅଭିଜ୍ଞତା ଥିବା ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବଙ୍କୁ ମନୋନୟନ କରିବାରେ ଥିବା ପ୍ରତିବନ୍ଧକ ଦୂର କରାଯିବ। ଏଥିପାଇଁ ସଂକଳ୍ପରେ ସଭାଧ୍ୟକ୍ଷ, ଅନ୍ୟ-ପୂର୍ଣ୍ଣକାଳୀନ ଅଣସରକାରୀ ସଦସ୍ୟ ଓ ଅଣକାଳୀନ ସଦସ୍ୟଙ୍କ ମନୋନୟନ ପାଇଁ ଥିବା ବୟସର ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି।
ଶକ୍ତି ବିଭାଗର ବାଣିଜ୍ୟିକ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନରୁ ଅବଧି ଋଣ ପାଇବା ପାଇଁ ରାଜ୍ୟ ସରକାର ଗ୍ରିଡକୋକୁ ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରିଥାନ୍ତି। ଆଜି କ୍ୟାବିନେଟ ବାଣିଜ୍ୟିକ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନରୁ ଅଦଳ ବଦଳ ଆଧାରରେ ମିଳିଥିବା ଅବଧି ଋଣ ପାଇଁ ଗ୍ରିଡକୋ ସପକ୍ଷରେ ୩୧୦୮.୨୧କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଗ୍ରିଡକୋର ସୁଧଭାରକୁ ହ୍ରାସ କରିବ ଏବଂ ଶେଷ ଉପଭୋକ୍ତାଙ୍କ ଉପରେ ବୋଝ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ଅଧିବେଶନ ଆହୁତ ସମ୍ପର୍କିତ ରହିଛି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ।

Comments are closed.