www.samajalive.in
Saturday, December 6, 2025
17.1 C
Bhubaneswar

ଉତ୍କର୍ଷ ଓଡିଶାରେ ବିପୁଳ ପୁଞ୍ଜି ଆସିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ସହ ୮ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବିଶେଷକରି ଦକ୍ଷତା ବିକାଶ, ଅକ୍ଷୟ ଶକ୍ତି, ସବୁଜ ଶକ୍ତି, ସେମିକଣ୍ଡକ୍ଟର, ଇଣ୍ଡଷ୍ଟ୍ରିଆଲ ପାର୍କ, ଲଜିଷ୍ଟିକ, ସହରାଞ୍ଚଳ ବିକାଶ, ପେଟ୍ରୋ କେମିକାଲ କ୍ଷେତ୍ର ପାଇଁ ଚୁକ୍ତି ସ୍ବାକ୍ଷର କରାଯାଇଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ପୁଞ୍ଜିନିବେଶର ଦ୍ୱାର ଖୋଲିଛି। ଏହା ଆଗକୁ ସିଙ୍ଗାପୁର ଏବଂ ଓଡ଼ିଶା ମଧ୍ୟରେ ବ୍ୟାବସାୟିକ ଓ ସାଂସ୍କୃତିକ ସମ୍ପର୍କକୁ ଦୃଢ଼ୀଭୂତ କରିବ ବୋଲି ବୁଝାମଣାପତ୍ର ସ୍ବାକ୍ଷର ପରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
ସେ କହିଛନ୍ତି ଯେ, ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି। ସିଙ୍ଗାପୁର ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବ। ଆମର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରହିଛି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ବିପୁଳ ପୁଞ୍ଜିନିବେଶ ଆସିବ। ସିଙ୍ଗାପୁର ସହିତ ଆମର ସମ୍ପର୍କ ବଢ଼ିଲେ, ଏହା ମାଧ୍ୟମରେ ଓଡ଼ିଶା ଉପକୃତ ହେବ। ସ୍ବାକ୍ଷରିତ ୮ ଚୁକ୍ତିନାମା ଗୁଡ଼ିକ ମଧ୍ୟରୁ ଅକ୍ଷୟ ଶକ୍ତି ଜ୍ଞାନକୌଶଳ ସମ୍ପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ ଓ ଆଇଆଇଟି ଭୁବନେଶ୍ବର ଏବଂ ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟି, ସିଙ୍ଗାପୁର ସହ ବୁଝାମଣା ହୋଇଛି। ସେହିପରି ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଇଡ୍‌କୋ ଏବଂ ସିଙ୍ଗାପୁରର ସେମ୍ବକର୍ପ, ନୂତନ ସହରର ବିକାଶ ପାଇଁ ବିଡିଏ ଏବଂ ସିଙ୍ଗାପୁରର ସୁରଚନ ଜୁରୋଙ୍ଗ, ଗ୍ରିନ ହାଇଡ୍ରୋଜେନ୍ କ୍ଷେତ୍ର ଲାଗି ଇପିକଲ ଓ ସେମ୍ବକର୍ପ, ପିସିପିଆଇଆର କ୍ଷେତ୍ର ନିମନ୍ତେ ଇଡ୍‌କୋ ଏବଂ ସୁରବନ ଜୁରୋଙ୍ଗ, ଆର୍ଥିକ ପ୍ରଯୁକ୍ତିଗତ ପ୍ରବନ୍ଧନର ସୁଦୃଢ଼ୀକରଣ କ୍ଷେତ୍ର ଲାଗି ବୈଦ୍ୟୁତିକ ଅଣୁବିଜ୍ଞାନ ତଥା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସହ ଡିଏଫ୍‌ଟିଏନ୍‌ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। ଏହାସହ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ କ୍ଷେତ୍ରକୁ ଗୁରୁତ୍ବ ଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍
ସର୍ଭିସେସ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ନିମନ୍ତେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହ ଆଇଟିଇ ଏଜୁକେସନ ସର୍ଭିସେସର ବୁଝାମଣା ହୋଇଛି । ପ୍ରଥମ ଦିନରେ ସିଙ୍ଗାପୁର ରାଷ୍ଟ୍ରପତି ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ବିଶ୍ବ ଦକ୍ଷତା କେନ୍ଦ୍ରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସିଙ୍ଗାପୁର ଓ ଓଡ଼ିଶା ମଧ୍ୟରେ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସଡ଼ିଶା-ସିଙ୍ଗାପୁର ସଂପର୍କ ଦ୍ବାରା ଓଡ଼ିଶାର ଦକ୍ଷତା ପରିସଂଖ୍ୟାନ ଓ ମାନବ ପୁଞ୍ଜିକୁ ଅଧିକ ସଶକ୍ତ କରିବ ବୋଲି କହିଥିଲେ। ଶିକ୍ଷା, ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ଆଗକୁ ବଢିବା ସହ ଭାଗିଦାରୀ ବଢାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଦକ୍ଷତା ବିକାଶ, ଶିଳ୍ପ ପାର୍କ, ମାଷ୍ଟରପ୍ଲାନିଂ, ବନ୍ଦର ଏବଂ ପାରାଦ୍ବୀପ, ଅକ୍ଷୟଶକ୍ତି, ସେମିକଣ୍ଡକ୍ଟର, ସୂଚନା ପ୍ରଯୁକ୍ତିବିଦ୍ୟା, ତଥ୍ୟ କେନ୍ଦ୍ର, ସଂସ୍କୃତି ଏବଂ ସଂଯୋଗୀକରଣ ଭଳି ବିଷୟବସ୍ତୁକୁ ମୁଖ୍ୟ ସଚିବ ମନୋଜ ଆହୁଜା ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି ଶ୍ରୀ ଥର୍ମନ ବିଶ୍ବ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରାନ୍ସପୋର୍ଟ ଲାବ ଏବଂ ଟ୍ରାଭେଲେଟର ଲାବ୍ ପରିଦର୍ଶନ କରିଥିଲେ। ବୈଷୟିକ ଶିକ୍ଷା ଏବଂ ନବସୃଜନ ପାଇଁ ଓଡ଼ିଶାର ଅଙ୍ଗୀକାରବଦ୍ଧତାକୁ ଦର୍ଶାଇ ସେ ଛାତ୍ର ଓ ପ୍ରଶିକ୍ଷକଙ୍କ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ ତଥା ନବସୃଜନକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶାର ଉଦ୍ୟମକୁ ଶ୍ରୀ ଥର୍ମନ ପ୍ରଶଂସା କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଭୂପେନ୍ଦ୍ର ସିଂ ପୁନିଆ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶ୍ବ ଦକ୍ଷତା କେନ୍ଦ୍ର ସିଇଓ ରଶ୍ମିତା ପଣ୍ଡା ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରମୁଖ ସ୍ବାଗତ କରିଥିଲେ। ଆଇଟିସି ୱେଲକମ ହୋଟେଲଠାରେ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ଓ ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏଥିସହ ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ କଳାଭୂମି ପରିଦର୍ଶନ କରିଥିଲେ ସିଙ୍ଗାପୁର ରାଷ୍ଟ୍ରପତି। ଶନିବାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories