ଅଯୋଧ୍ୟା ରାମ ମନ୍ଦିର ନେଇ ପରମ ଧର୍ମ ସଂସଦର ଘୋଷଣା: ଫେବୃଆରୀ ୨୧ରେ ଭିତ୍ତିପ୍ରସ୍ତର ସ୍ଥାପନ

0

ଲକ୍ଷ୍ନୌ,୩୦ା୧ : ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଏକରକମ ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ମଙ୍ଗଳବାର ଅଯୋଧ୍ୟାର ନିର୍ବିବାଦୀୟ ୬୭ଏକର ଜମିକୁ ଦଖଲ ମୁକ୍ତ କରି ଏହାର ମୂଳ ମାଲିକଙ୍କୁ ଫେରାଇ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିବାବେଳେ ଏହାର ଦିନକ ପରେ ପରମ ଧର୍ମ ସଂସଦ ପକ୍ଷରୁ ମନ୍ଦିର ନିର୍ମାଣ ପାଇଁ ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୨୧ରେ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ସଂସଦର ମୁଖ୍ୟ ସ୍ବାମୀ ସ୍ବରୂପାନନ୍ଦ ବୁଧବାର ଘୋଷଣା କରିଛନ୍ତି।
ହିନ୍ଦୁ ଧର୍ମଗୁରୁମାନଙ୍କ ସଂଗଠନ ପରମ ଧର୍ମ ସଂସଦ ପକ୍ଷରୁ ପୟାଗରାଜଠାରେ ଅନୁଷ୍ଠିତ ଦୁଇଦିନିଆ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସ୍‌ଏସ୍‌) ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଆହ୍ବାନ ଦିଆଯାଇଛି। ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଅରଏସ୍‌ଏସ୍‌ର ମନମୁଖୀ କାରବାରକୁ ଏଥିରେ ନିନ୍ଦା କରାଯାଇଛି। ଆରଏସ୍‌ଏସ୍‌ ନୁହେଁ; ସ୍ବରୂପାନନ୍ଦ ହିଁ ହିନ୍ଦୁ ହିନ୍ଦୁମାନଙ୍କ ନେତା ବୋଲି ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଛି। ରାମ ମନ୍ଦିର ନିର୍ମାଣ ଅଭିଯାନକୁ କୌଣସି ପରିସ୍ଥିତିରେ ବନ୍ଦ କରାଯିବ ନାହିଁ; ପ୍ରୟାଗରୁ ଫେରିବା ପରେ ୨୧ରେ ନିଶ୍ଚିତ ଭାବେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ ବୋଲି ସମ୍ମିଳନୀ ମଞ୍ଚରୁ ଘୋଷଣା କରିଛନ୍ତି ସ୍ବରୂପାନନ୍ଦ। ଏହାକୁ କେହି ଅଟକାଇପାରିବେ ନାହିଁ ବୋଲି ସେ କହିବା ସହ ଦେଶର ହିନ୍ଦୁମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ସରକାର ଆରଏସ୍‌ଏସ୍‌ ସହିତ ହାତ ମିଳାଇ ରାମ ମନ୍ଦିର ଅଭିଯାନକୁ ‘ହାଇଜାକ୍‌’ କରିନେଇଛନ୍ତି ବୋଲି ସମ୍ମିଳନୀରେ ଉପସ୍ଥିତ ଧର୍ମାଧିପତିମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆରଏସ୍‌ଏସ୍‌ ଓ ବିଶ୍ବ ହିନ୍ଦୁ ପରିଷଦ ମିଳିତ ଭାବେ ରାମ ଜନ୍ମଭୂମି ନ୍ୟାସ ସଂଗଠନ ନାମରେ ଗତ ତିନି ଦଶନ୍ଧି ଧରି ରାମ ମନ୍ଦିର ନିର୍ମାଣ ଅଭିଯାନ ଚଳାଇଛନ୍ତି।

Leave A Reply