ନିର୍ବାଚନ ମଣ୍ଡଳୀର କ୍ଷତିଗ୍ରସ୍ତ ଧାନ କିଆରୀ ବୁଲି ଦେଖିଲେ ମନ୍ତ୍ରୀ

ଗୋପାଳପୁର: ଗତ ୨ ଦିନ ଧରି ଗଞ୍ଜାମ ଜିଲାରେ ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁଁ ଗଞ୍ଜାମ ଜିଲା ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଧାନ ଚାଷ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ଆଖି ଆଗରେ ରଖି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଥିବା ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ନିଜ ଅଞ୍ଚଳର ସମସ୍ତ ପଞ୍ଚାୟତ ଗସ୍ତ କରି କ୍ଷତିଗ୍ରସ୍ତ ଧାନ ଫସଲ ଦେଖିବାସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।ଏହି କ୍ରମରେ ମନ୍ତ୍ରୀ ପ୍ରଥମେ ଗୋଳାବନ୍ଧ ଗସ୍ତ କରିବା ସହ ସେଠାରେ କ୍ଷତିଗ୍ରସ୍ତ ଚାଷ ଜମି ନିଜେ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୋଳଥିଗାଁ, ମନ୍ତ୍ରୀଡି, ଶାସନପଦର, ମେଣ୍ଡରାଜପୁର, କୋଠାର ସିଂ, ପଦ୍ମପୁର, ଚାନ୍ଦପୁର, ଫୁଲଟା, ବୁରୁକୁଦି, ଗଞ୍ଜୁ, କମଳାପୁର, ପୁରା, ବଡକୁଶସ୍ଥଳୀ, ସାତକୁଟଣୀ, ଗୁରୁଣ୍ଠି, ହୁଗଳାପଟା, ବୁରୁକୁଦି ଆଦି ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଉପସ୍ଥିତ ଥିବା କନିଷି ତହସିଲଦାର କବିରାଜ ପ୍ରଧାନ ଓ କୃଷି ବିଭାଗର ଅଧିକାରୀମାନଙ୍କୁ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଉତ୍ପାଦିତ ଧାନକୁ କିପରି ମଣ୍ଡିରେ ବିକ୍ରି କରିବେ ଓ ସରକାର ପ୍ରଦାନ କରୁଥିବା ସୁବିଧା ପାଇପାରିବେ ସେ ନେଇ ଉପସ୍ଥିତ କନିଷି ଓ କୁକୁଡାଖଣ୍ଡି ତହସିଲଦାର ଓ କୃଷି ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.