ବର୍ତ୍ତମାନ ପରିବେଶ ସୁରକ୍ଷା ଆମ ପାଇଁ ବଡ ଆହ୍ବାନ- ମନ୍ତ୍ରୀ
ଜଳବାୟୁ ପରିବର୍ତ୍ତନ ଉପରେ ଜାତୀୟ ସମ୍ମିଳନୀ
ଭୁବନେଶ୍ୱର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ଜଳବାୟୁ ପରିବର୍ତ୍ତନ ଉପରେ ଜାତୀୟ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ, ଆଇସିସି ଷ୍ଟେଟ୍ କାଉନ୍ସିଲ୍ ରାଜୀବ ଏସ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଆମେରିକା ଓ ଚାଇନା ପରେ ଭାରତ ବର୍ତ୍ତମାନ ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି। ଅର୍ଥନୀତିରେ ବିକାଶ ହେଲେ ଶିଳ୍ପାଞ୍ଚଳ ବଢିବ। ଶିଳ୍ପାଞ୍ଚଳ ବଢିଲେ ପ୍ରଦୂଷଣ ବୃଦ୍ଧି ପାଇବ।
ଏହାକୁ କମାଇବାକୁ ହେଲେ ଆମକୁ ସ୍ଥାୟୀ ବିକାଶ କରିବାକୁ ପଡିବ। ଯାହା ବି ବିକାଶ ହେଉ କିନ୍ତୁ ପ୍ରଦୂଷଣ ରୋକିବା ଦିଗରେ ସମସ୍ତ ବିଭାଗ ଉଦ୍ୟମ କରିବା ସହ ଏହି ଦିଗରେ ସ୍ବତନ୍ତ୍ର ଧ୍ୟାନ ଓ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ। ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଥିଲେ ବର୍ତ୍ତମାନ ପଞ୍ଚମ ଓ ଷଷ୍ଠ ପିଢିରେ ଆମେ ବସବାସ କରୁଛୁ। ପୃଥିବୀ ଯାହା ଦେଇଥିଲା ସେଥିରୁ ଆମେ ୬୦ରୁ ୭୦ ଭାଗ ବ୍ୟବହାର କରି ସାରିଲୁଣି। ସମୟ ଆସିଛି ସେଗୁଡିକ କିଭଳି ସଂରକ୍ଷଣ କରିବା। ଇକୋ ସିଷ୍ଟମ୍ ବଜାୟ ରଖିବା ଆମ ପାଈ ବଡ ଆହ୍ୱାନ। ରାଜ୍ୟରେ ଜୈବ ବିବିଧତା ଭରି ରହିଛି ଯାହା ଦେଶର ଚତୁର୍ଥ ସ୍ଥାନରେ ରହିଛି।
କୃଷି ଜମି କମି କମି ଯାଉଛି ଯାହାର ସଂରକ୍ଷଣ ଆବଶ୍ୟକ। ଓଡିଶାର ୭ଟି ସହର ପ୍ରଦୂଷଣ ରହିଛି। ଓଡିଶାରେ ପ୍ରାୟ ୭୦ ଭାଗ ଗ୍ରାମାଞ୍ଚଳ ଯେଉଥିରେ ଆଦିବାସୀ ଅଧିକ ରହୁଛନ୍ତି। ଜଙ୍ଗଲ ବୃଦ୍ଧି ସହ ସଂରକ୍ଷଣ ଦରକାର। ପ୍ରକୃତିକୁ ସଂରକ୍ଷଣ ନିମନ୍ତେ ୫ କୋଟି ଗଛ ଲଗାଯାଇଛି। ଆହୁରି ଅଧିକ ଗଛ ଲଗାଇବାର ଆବଶ୍ୟକ ରହିଛି। ଜଳବାୟୁ ପରିବର୍ତ୍ତନ ପାଇଁ ଉତ୍ତାପ ବଢିବା ସହ ଅଦିନିଆ ବର୍ଷା ହେଉଛି। ତାହାକୁ ନଜରରେ ରଖି ସଚେତନ ଦରକାର। ୧୮ ହଜାର କୋଟି ଡିଏମଏଫ୍ ଫଣ୍ଡ ବ୍ୟବହାର ନହୋଇ ପଡି ରହିଛି।
ଶୀତତାପ ନିୟନ୍ତ୍ରିତ କୋଠୀରୀରେ ବସି ଯେଉଁ ପରିବେଶ ରକ୍ଷା ନିମନ୍ତେ ଯେଉଁ ଆଲୋଚନା କରାଯାଉଛି ତାହାକୁ ତୃଣମୂଳ ସ୍ତରରେ କାମରେ ଲାଗାଇବା ଆମ ପାଇଁ ଏକ ଆହ୍ବାନ । ପୁନଶ୍ଚ ପୃଥିବୀ ଦିଗରେ ପଦକ୍ଷେପ ନେବା ସହ ଜଳ, ଜଙ୍ଗଲ, ଜମିକୁ ସୁରକ୍ଷା ଦରକାର। ସୁସ୍ଥ ପରିବେଶରେ କିଭଳି ବଂଚିବା ସେଥିପାଇଁ ଧ୍ୟାନ ଦେବାକୁ ହେବ। ପରିବେଷ ସୁରକ୍ଷା ନିମନ୍ତେ ଜଳ, ଶକ୍ତି, ଜଙ୍ଗଲ, ପ୍ରଦୂଷଣ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ। ଜଳବାୟୁ ପରିବର୍ତ୍ତନ ବିଭାଗର ଉପ ନିର୍ଦ୍ଦେଶକ ଏ.ଟି ମିଶ୍ର ଏହି ସମ୍ମିଳନୀ ରେ ଯୋଗଦେଇ କହିଥିଲେ ଯେ ଆମର ଜୀବନଶୈଳୀ ବଦଳି ଯାଇଛି। ଆବଶ୍ୟକଠୁ ଅଧିକ ବ୍ୟବହାର କରୁଛୁ।
ଗୋଟିଏ ଜିନିଷ ଦରକାର ହେଲେ ଆମେ ୧୦ଟା କ୍ରୟ କରୁଛୁ। ପରିବାର ପାଇଁ ଗୋଟେ ଗାଡି ଆବଶ୍ୟକ ହେଲେ ଆମେ ୫ଟି ଗାଡି ଆମେ ଆଣି ରଖୁଛୁ। ପୂର୍ବରୁ ପ୍ରକୃତି ସହ ଆମେ ମିଶିକି ରହୁଥିଲୁ। ହେଲେ ଦିନକୁ ଦିନ ପ୍ରକୃତି ଠାରୁ ଆମେ ଦୂରେଇ ଯାଉଛୁ। ଯାହା ଫଳରେ ଏବେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ଦିଗରେ ସମସ୍ତେ ଯତ୍ନବାନ୍ ହେବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ସଦସ୍ୟ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡ଼, ଓଡ଼ିଶା, ଡ଼କ୍ଟର କେ.ମୁରୁଗେସନ୍, ଅନ୍ୟତମ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝା, କାରଖାନା ଓ ବାଷ୍ପୀୟ ନିର୍ଦେଶାଳୟ ଉପ ନିର୍ଦ୍ଦେଶକ ମଳୟ କୁମାର ପ୍ରଧାନ ,ଜିନ୍ଦଲ ଷ୍ଟିଲ ଓ ପାଓ୍ବାର ଲିମିଟେଡ୍ର ଉପସଭାପତି ବିଭୂ ପ୍ରସାଦ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଏସଏନଏମ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି,ଆଇସିସି ଓଡ଼ିଶା ଷ୍ଟେଟ୍ କାଉନ୍ସିଲ ଇଏସଏଚ୍ କମିଟି ଆବାହକ ଡକ୍ଟର ଏନ୍. ଆର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଉପରେ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ସ୍ୱତନ୍ତ୍ର ଅତିଥିମାନେ ଯୋଗଦାନ କରିଥିଲେ ।ଏହି ସମ୍ମିଳନୀ ରେ ଆଇସିସିର ଇଏସ୍ଏଚ୍ କମିଟି ର ସହ ଆବାହକ ଇଂ ରାଜେସ୍ କାନୁନ୍ଗୋ ଧନ୍ୟବାଦ ଅର୍ପଣ କରିଥିଲେ । ଆଇସିସି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା କାଉନ୍ସିଲ୍ର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପାଲଙ୍କ ସହ ଆଇସିସିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
Comments are closed.