କାର୍ଯ୍ୟର ଉନ୍ନତ ମାନ ବଜାୟ ରଖି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କ ନିର୍ଦେଶ
ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ
ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଡିଭିଜନ୍ର କାର୍ଯ୍ୟ ଓ ଖର୍ଚ୍ଚ ସମ୍ବନ୍ଧୀୟ ସବିଶେଷ ତଥ୍ୟ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ ।
ଏହି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଡିଭିଜନ୍ର କାର୍ଯ୍ୟ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନାଗୁଡ଼ିକ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ୨୦୨୩ ଅକେଫାବର ୩୧ ତୁଳନାରେ ୨୦୨୪ ଅକେଫାବର ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜ୍ୟ ଯୋଜନାରେ ୧୧୦୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥରାଶି ଖର୍ଚ୍ଚ କରିପାରିଥିବା ବିଷୟରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ତଥ୍ୟ ରଖିଥିଲେ । ଏଥି ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ୫ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ୩୦ ହଜାର କି.ମି. ଗ୍ରାମ୍ୟ ରାସ୍ତା ନିର୍ମାଣର ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସମୀକ୍ଷା ବୈଠକରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ବିଭାଗର ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ମାତ୍ର ଏହିସବୁ ନିର୍ମାଣ କାର୍ଯ୍ୟର ମାନ ଉପରେ ଗୁରୁତ୍ୱ ଦେବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଆର୍ଥିକ ବର୍ଷର କାର୍ଯ୍ୟ ଶେଷ କରିବା ସହ ଆଗାମୀ ଆର୍ଥିକ ବର୍ଷ ପାଇଁ ରାସ୍ତା ଓ ସେତୁ ନିର୍ମାଣ ସଂକ୍ରାନ୍ତୀୟ ପ୍ରସ୍ତାବ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ବିତ୍ତ ପରାମର୍ଶଦାତା, ଅତିରିକ୍ତ ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ-୧, ସର୍ବୋଚ୍ଚ ଯନ୍ତ୍ରୀ-୨ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହା ସହ ରାଜ୍ୟର ସମସ୍ତ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍ର ଯନ୍ତ୍ରୀମାନେ ମଧ୍ୟ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ ।
ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାରୁ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କାର୍ଯ୍ୟ କରିବାକୁ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Comments are closed.