ଚେକ୍ ଡ଼୍ୟାମ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ସମାଜସେବୀ

ପାଟଣା : ଘଟଗାଁ ଠାରୁ ୧୨ କିମି ଦୂର କୁଣ୍ଡାପିଠା ନିକଟସ୍ଥ କୁକୁରକଟା ନଦୀର ଗଦଗଦୀ ଘାଟରେ ରହିଛି ଏକ ବହୁ ପୁରାତନ ଶୈବପୀଠ। କିମ୍ୱଦନ୍ତୀ ବହୁଳ ଏହି ତ୍ରିସଙ୍ଗମ ସ୍ଥଳରେ ଘଟଗାଁ ଏବଂ ପାଟଣା ବ୍ଲକର ବଡ଼ଜାମୁପଶି ,ବଡ଼ମସିଣାବିଲା ଓ ଚିନାମାଳିପଶି ୩ଟି ଗ୍ରାମପଞ୍ଚାୟତର ୩ଟି ଗ୍ରାମ କୁଣ୍ଡାପିଠା, ପାଣୁପଶି ଓ ନୂଆପଡ଼ାର ମିଳନସ୍ଥଳ। ୩ ଟି ନଦୀ କୁକୁରକଟା, ଜାମୁନାଳିଆ ଓ ସୀତାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ଶୈବପୀ ରେ ୩ଟି ବୃକ୍ଷ ମୂଳରେ ୩ ଠାକୁର ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ପୂଜା ପାଉଥିବା ବେଳେ ଏଠାରେ ବାବା କୁଣ୍ଡେଶ୍ୱରଙ୍କ ମନ୍ଦିର ରହିଛି। ବାଥୁଡ଼ି ସଂପ୍ରଦାୟର ଆରାଧ୍ୟ ଦେବତା ବଡ଼ାମବୁଢ଼ା ଓ ବଡ଼ାମବୁଢ଼ୀ ଏଠାରେ ରହିଛନ୍ତି। ବହୁ ବର୍ଷ ଧରି ଏହି ପବିତ୍ର ତ୍ରୀସଙ୍ଗମ ସ୍ଥଳରେ ମକର ସଂକ୍ରାନ୍ତି ଠାରୁ ସପ୍ତାହ ବ୍ୟାପୀ ମକର ମେଳା ଅନୁଷ୍ଠିତ ହୋଇଥାଏ। କୁକୁରକଟା ନଦୀ ପାର ହୋଇ ଏହି ରାସ୍ତା ଦେଇ ବହୁ ଲୋକ ଢେଙ୍କିକୋଟ ଓ କେନ୍ଦୁଝରକୁ ପ୍ରତିଦିନ ଯାତାୟତ କରିଥାନ୍ତି। କୁଣ୍ଡେଶ୍ୱର ମନ୍ଦିରର ଉଦ୍ୟୋକ୍ତା ମାନଙ୍କ ପ୍ରଚେଷ୍ଟାରେ ପ୍ରତି ବର୍ଷ ମକର ମେଳା ପୂର୍ବରୁ ଏହି ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଏ।

ନଦୀରେ ବନ୍ୟା ଜଳ ଆସିଲେ ପୋଲ ଭାସିଯାଏ। ତାପରେ ଲୋକମାନଙ୍କ ଯାତାୟତ ପାଇଁ କୁଣ୍ଡେଶ୍ୱର ମନ୍ଦିର ପାଖରେ ଥିବା ଚେକଡ଼୍ୟାମ ହିଁ ଭରଷା। ଏହି ନଦୀରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ସର୍ଭେ କଲେ ମଧ୍ୟ ସ୍ଥାନୀୟ ନେତା ଓ ଜନ ସାଧାରଣଙ୍କ ଅପାରଗତା ଯୋଗୁଁ ପୋଲ ନିର୍ମାଣ ହୋଇ ପାରୁନାହିଁ। ବିପଦପୂର୍ଣ୍ଣ ଚେକଡ଼୍ୟାମ ଉପରେ ବହୁ ଲୋକ ଓ ଛାତ୍ରଛାତ୍ରୀ ସବୁବେଳେ ଯିବାଆସିବା କରୁଥିବାବେଳେ, ଚେକଡ଼୍ୟାମର ଫୁକାର ଗୁଡିକ ଡେଇଁଲା ବେଳେ ପାଣିସ୍ରୋତରେ ପଡ଼ି ଖଣ୍ଡିଆ ଖାବରା ହୋଇଥାନ୍ତି। କୁଣ୍ଡେଶ୍ୱର ମନ୍ଦିରକୁ ଭକ୍ତମାନେ ଯିବା ପାଇଁ ଅସୁବିଧାରେ ପଡିଥାନ୍ତି। କିଛି ଦିନ ତଳେ ଜଣେ ସ୍ତ୍ରୀ ଲୋକ ଏହି ଚେକଡ଼୍ୟାମରେ ପଡ଼ି ମୃତ୍ୟୁବରଣ କରିଥିଲେ । କୁଣ୍ଡେଶ୍ୱର ମନ୍ଦିରର ପ୍ରତିଷ୍ଠାତା ବିଜୟ କୁମାର ପଲେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାବେଳେ ଲୋକ ତଥା କୋମଳ ମତି ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ଯାତାୟତ ସୁବିଧା ପାଇଁ ନିଜ ପ୍ରଚେଷ୍ଟାରେ ଏହି ଚେକ୍ ଡ଼୍ୟାମ ଉପରେ ସିମେଣ୍ଟର କଂକ୍ରିଟ ସ୍ଲାବ ପକାଇ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି। ପଲେଇଙ୍କର ଉକ୍ତ କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

Comments are closed.