ମହତାବ ଥିଲେ ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ
ଜାତୀୟ ଗଣମାଧ୍ୟମ କନକ୍ଲେଭର ଅଷ୍ଟମ ସଂସ୍କରଣ ଉଦଯାପିତ
ଭୁବନେଶ୍ୱର: ନୂତନ ଓଡ଼ିଶା ଗଠନରେ ଡକ୍ଟର ହରେକୃଷ୍ଣ ମହତାବଙ୍କର ଭୂମିକା ଅତୁଳନୀୟ। ଓଡ଼ିଶା ଉଚ୍ଚ ନ୍ୟାୟଳୟ, ଉତ୍କଳ ବିଶ୍ୱବଦ୍ୟାଳୟ, ରାଜ୍ୟ ସଂଗ୍ରହାଳୟ, ଲଳିତ କଳା ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଭଳି ଅନେକ ଅନୁଷ୍ଠାନରେ ମହତାବଙ୍କର ଏକ ଅଲିଭା ଛାପ ଦେଖିବାକୁ ମିଳେ। ଜଣେ ଜନ ନେତା ଭାବରେ ଡକ୍ଟର ମହତାବ ଲୋକାଲ କୁ ଗ୍ଲୋବାଲ ସହିତ ଯୋଡିବାରେ ଅନନ୍ୟ ପ୍ରୟାସ କରିଥିଲେ, ଯେଉଁଥିପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ମତ ବ୍ୟକ୍ତ କରିଥିଲେ।
ଇନଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡିଜ୍ (ଆଇ.ଏମ୍.ଏସ୍.) ପକ୍ଷରୁ ଉତ୍କଳ ବିଶ୍ୱବଦ୍ୟାଳୟ, କିଟ୍ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ତିନିଦିନିଆ ଜାତୀୟ ମିଡ଼ିଆ ସମ୍ମିଳନୀରେ ଯୋଗଦେଇ ‘ନୂତନ ଓଡ଼ିଶା ଗଠନରେ ଡ. ହରେକୃଷ୍ଣ ମହତାବଙ୍କ ଅବଦାନ’ ଶୀର୍ଷକ ଆଲୋଚନା ଚକ୍ରରେ ସଭାପତିତ୍ବ କରି ସେ ମହତାବଙ୍କ ଚିନ୍ତାଧାରା ଓ କୃତିତ୍ୱ କୁ ମନେପକେଇଥିଲେ।
ପ୍ରଖ୍ୟାତ ଐତିହାସିକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ପ୍ରଫେସର ସୋମା ଚାନ୍ଦ କହିଥିଲେ ଯେ ଓଡ଼ିଶାର ଇତିହାସକୁ କେ ଭିନ୍ନ ଦୃଷ୍ଟିକୋଣ ଦେବାରେ ଡକ୍ଟର ମହତାବଙ୍କର ଅବଦାନ ଅନନ୍ୟ। ତାଙ୍କ ସମ୍ପାଦନାରେ ପ୍ରକାଶିତ ‘ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସ’ ପ୍ରକାଶିତ ହୋଇଥିଲା। ଅହମ୍ମଦ ନଗର ଫୋର୍ଟ ରେ ୩ବର୍ଷ କାରାଗାର ଭୋଗୁଥିବା ସମୟରେ ମହତାବ ଓଡିଶା ଇତିହାସ ରଚନା କରିଥିଲେ ବୋଲି ଚାନ୍ଦ ଉଲ୍ଲେଖ କରିଥିଲେ।
ମହତାବ ଆଗାମୀ ଶତାବ୍ଦୀ ପାଇଁ ଚିନ୍ତା କରୁଥିଲେ ବୋଲି ଅବିହିତକରି, ଉତ୍କଳ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଥିଲେ ଯେ ଆଜିର କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ମହତାବଙ୍କ ନେଚୁରାଲ୍ ଇଣ୍ଟେଲିଜେନ୍ସ ବା ପ୍ରାକୃତିକ ବୁଦ୍ଧିମତ୍ତା ପାଇଁ ଖୁବ୍ ପ୍ରାସଙ୍ଗିକ। ଓଡ଼ିଶାର ରାଜସୀ ରାଜ୍ୟମାନଙ୍କୁ ଓଡିଶାରେ ଏକତ୍ରିକରଣ କରି ବୃହତ ଭାରତବର୍ଷ ମାର୍ଗ ପ୍ରସ୍ତୁତ କରିଥିଲେ। ଯଦି ମହତାବ ଓଡ଼ିଶାରେ ଜନ୍ମ ହୋଇନଥାନ୍ତେ, ତାହାହେଲେ ବର୍ତ୍ତମାନର ଓଡ଼ିଶା ଆମେ ଦେଖିପାରିନଥାନ୍ତେ ବୋଲି ପ୍ରଫେସର ମିଶ୍ର କହିଥିଲେ।
ବିଶିଷ୍ଟ ଲେଖକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ବିଭାଗର ଆବାହକ ଡକ୍ଟର ଗୌରହରି ଦାସ ଭାରତ ବର୍ଷର ରାଜନୈତିକ ଶବ୍ଦକୋଷରେ ଡକ୍ଟର ମହତାବଙ୍କୁ ଜଣେ ‘ସବ୍ୟସାଚୀ’ ଓ ‘ତ୍ରିଲୋଚନ’ ବୋଲି ବର୍ଣ୍ଣନା କରିଥିଲେ। ଭାରତର ରାଜନୈତିକ ଇତିହାସରେ ଡକ୍ଟର ମହତାବ ଥିଲେ ଏକ ମାଇଲ ଖୁଣ୍ଟ। ସେ ଥିଲେ ଜଣେ ଅନନ୍ୟ ରାଷ୍ଟ୍ରନେତା। ସାମ୍ବାଦିକତା, ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟର ମହତାବ ତାଙ୍କର ଅବଦାନ ପାଇଁ ସବୁଦିନ ପାଇ ମନେ ରହିବେ, ବୋଲି ସେ ପ୍ରକାଶ କରିଥିଲେ।
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ନିଶାମଣି କର କହିଥିଲେ ଯେ ଡକ୍ଟର ମହତାବ ଭାରତବର୍ଷର ସ୍ବାଧୀନତା ସଂଗ୍ରାମ ଓ ଓଡ଼ିଶା ତଥା ନୂତନ ଭାରତର ଗଠନ ପାଇଁ ମନେ ରହିବେ। ସେ ଥିଲେ ଓଡ଼ିଆ ଅସ୍ମିତା ର ଅନନ୍ୟ ପ୍ରତୀକ ବୋଲି କର ମତବ୍ୟକ୍ତ କରିଥିଲେ।
ଆଜିର ଉଦଯାପନୀ ସଭାରେ ସଭାପତିତ୍ୱ କରି ଭାରତୀୟ ପ୍ରେସ ପରିଷଦର ସଭ୍ୟ ତଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର୍ ବଳଦେବ ରାଜ ଗୁପ୍ତା କହିଥିଲେ ଯେ ଆଜିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ମହତାବଙ୍କର ଲେଖନୀ ଓ ମାର୍ଗଦର୍ଶନ, ସାମ୍ବାଦିକତା ଶୈଳୀ ବେଶ ପ୍ରାସଙ୍ଗିକ। ଏଆଇର ନିଜସ୍ୱ ଆହ୍ୱାନ ଓ ନୈତିକ ପ୍ରଶ୍ନ ଅଛି। ସାମ୍ବାଦିକ ଓ ଗଣମାଧ୍ୟମ ପେସାଦାରମାନେ ସତ୍ୟର ସିଦ୍ଧାନ୍ତ ପ୍ରତି ଅଧିକ ପ୍ରତିବଦ୍ଧ ହେବା ଦରକାର। ଏଆଇ ଖବର ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କିନ୍ତୁ ଖବର ସମ୍ପାଦକଙ୍କ ଭଳି ଅଭିଜ୍ଞ ହୋଇପାରିବ ନାହିଁ। ଆଜି ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇବାର ଦିନ ବୋଲି ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ, ମାଙ୍ଗାଲୁରୁ ସ୍ଥିତ ନିଟି ଘରୋଇ ବିଶ୍ବବିଦ୍ୟାଳୟର ନିଟି ଇନଷ୍ଟିଟିଉଟ ଅଫ କମ୍ୟୁନିକେସନ, ପୁନେ ସ୍ଥିତ ସିମ୍ବବାଓସିସ ସେଣ୍ଟର ଫର୍ କମ୍ୟୁନିକେସନ, ଏନ.ଟି.ପି.ସି. ଲିମିଟେଡ଼ ଭୁବନେଶ୍ୱର, ଆର.ଇ.ସି. ଲିମିଟେଡ୍, ଏନ.ଏମ.ଡି.ସି. ଲିମିଟେଡ଼ ଏବଂ କଲିକତା ସ୍ଥିତ ଦାମୋଦର ଭ୍ୟାଲି କର୍ପୋରେସନକୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏନ୍ଏସିପୁରସ୍କାର-୨୦୨୪ରେ ସମ୍ମାନିତ କରାଯାଇଥିଲା।
ସମାନ୍ତରାଳ ବୈଷୟିକ ଅଧିବେଶନରେ ପ୍ରାୟ ୮୦ଟି ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପିତ ହୋଇଥିଲା। ସେଥି ମଧ୍ୟରୁ ଛ ଜଣ ଯୁବ ଗବେଷକଙ୍କୁ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ ପାଇଁ ପୁରସ୍କୃତ କରାଯାଇଥିଲା ବୋଲି କନକ୍ଲେଭର ସଭାପତି ପ୍ରଫେସର ଉପେନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଜାତୀୟସ୍ତରର ସୁନାମଧନ୍ୟ ମିଡ଼ିଆ ଶିକ୍ଷାବିତ ପ୍ରଫେସର ବି.ପି. ସଞ୍ଜୟ, ପ୍ରଫେସର କେ.ଜି ସୁରେଶ, ପ୍ରଫେସର୍ ଅର୍ଚ୍ଚନା ସିଂ ଓ ପ୍ରଫେସର ପ୍ରଦୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆଇଏମ୍ଏସ୍ ସାମ୍ବାଦିକତା ଓ
ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ମନୋରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ଜାତୀୟ ଗଣମାଧ୍ୟମ କନକ୍ଲେଭର ଅଷ୍ଟମ ସଂସ୍କରଣ ନଭେମ୍ବର ୨୩ରୁ ତିନିଦିନ ଧରି ଭୁବନେଶ୍ୱରସ୍ଥିତ କିଟ ବିଶ୍ୱବିଦ୍ୟାଳୟ ପରିସରରେ କିମସ ଅଡିଟୋରିୟମରେ ଅନୁଷ୍ଠିତ ହେଉଥିଲା।
ଏହାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦଘାଟନ କରିଥିଲେ। ଏହାକୁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓକାକ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ICSSR) ସହଯୋଗ କରିଥିଲେ।
Comments are closed.