www.samajalive.in
Sunday, December 14, 2025
14.1 C
Bhubaneswar

‘ଆସିବ ପୁଞ୍ଜି; ବିକଶିତ ହେବ ଓଡ଼ିଶା’: ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଠନ ଯାତ୍ରାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ନେବ। ଆଗାମୀ ଦିନରେ ଓଡ଼ିଶା ଦେଶରେ ଶିଳ୍ପ ହବ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଶାବ୍ୟକ୍ତ କରିଛନ୍ତି। ବୁଧବାର ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ସିଙ୍ଗାପୁରରେ ଅବସ୍ଥାନ କରୁଥିବା ୪୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଶ୍ବ ମାନଚିତ୍ରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଭୁବନେଶ୍ବରରେ ୨୦୨୫ ଜାନୁଆରୀ ୮ରୁ ୧୦ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଏବଂ ଜାନୁଆରୀ ୨୮ ଓ ୨୯ତାରିଖ ଦୁଇଦିନ ଧରି ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ଓ ମେକ ଇନ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବାକୁ ପ୍ରବାସୀ ଓଡ଼ିଆଙ୍କୁ ସେ ଆମନ୍ତ୍ରଣ କରିଥିଲେ। ଇକୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସହପ୍ରତିଷ୍ଠାତା ମାର୍କସ ଲିମଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାକ୍ଷାତ କରି ସମୁଦ୍ରର ଲୁଣା ଜଳକୁ କିପରି ଶିଳ୍ପ ଓ ସହରାଞ୍ଚଳରେ ପାନୀୟଜଳ ଭାବେ ବ୍ୟବହାର କରିହେବ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏହାପରେ ପ୍ରତିନିଧି ଦଳ ଏପି ମୋଲର ମାୟେରସ୍କ ଗ୍ରୁପର ରେନେ ପିଲ ପେଡରସନଙ୍କ ସହିତ ପୁରୁଣା ଜାହାଜର ପୁନଃପ୍ରକ୍ରିୟାକରଣ, କଣ୍ଟେନର ତିଆରି ଏବଂ ବନ୍ଦର ସମ୍ବନ୍ଧିତ ଶିଳ୍ପ ଭିତ୍ତିଭୂମିର ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳ ବିଶ୍ବସ୍ତରୀୟ ସମ୍ମିଳନୀ, ପ୍ରଦର୍ଶନୀ ପାଇଁ ବିଶେଷ ପ୍ରସିଦ୍ଧି ହାସଲ କରିଥିବା ସନଟେକ ସିଟି କନଭେନସନ ହଲ ଏବଂ ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିଥିଲେ। ସେମିକଣ୍ଡକ୍ଟର ଉତ୍ପାଦନରେ ବିଶ୍ବରେ ଚାହିଦା ଥିବା ପେପ ଇନୋଭେସନ ପ୍ରା.ଲି. ପରିଦର୍ଶନ କରି ଓଡ଼ିଶା ଇଲୋ‌େ‌କ୍ଟ୍ରାନିକ୍ସ ଏବଂ ସେମିକଣ୍ଡକ୍ଟର ଭିତ୍ତିଭୂମି ପ୍ରସ୍ତୁତିରେ କିପରି ସଫଳ ହେବ, ସେ ସଂକ୍ରାନ୍ତରେ ଏହି ପ୍ରତିନିଧି ଦଳ ଅଭିଜ୍ଞତା ସାଉଁଟିଥିଲେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ଦଳ ବିକଶିତ ଓଡ଼ିଶା ଗଠନ ପାଇଁ ବ୍ୟାପକ ଶିଳ୍ପ ସ୍ଥାପନା ନେଇ ଜେରା, ଫାନ ବାକ, ଆଇଏଚଆଇ କର୍ପୋରେସନ, ମାସନ ହାଇଟେକ ମାଟେରିଆଲ୍ସ କର୍ପୋରେସନ ଏବଂ ଏସଇ ଗ୍ୟାସେସର ଉଚ୍ଚ ଅଧିକାରୀଙ୍କ ସହିତ ବିଭିନ୍ନ ଯନ୍ତ୍ରାଂଶ ଉତ୍ପାଦ, ଶୀତଳଭଣ୍ଡାର, ସବୁଜ ଉଦ୍‌ଯାନ, ସବୁଜ ଆମୋନିଆ, ମୂଲ୍ୟବାନ ଖଣିଜ ସମ୍ପଦ ଏବଂ ଇଣ୍ଡଷ୍ଟ୍ରିଆଲ ଗ୍ୟାସ ସେକ୍ଟରର ବିଭିନ୍ନ ଅଧିକାରୀଙ୍କ ସହିତ ବିଶଦ ଆଲୋଚନା କରିଥିଲେ। ଓଡ଼ିଶାକୁ ସମଗ୍ର ବିଶ୍ବ ସହିତ ଯୋଡ଼ିବାରେ ଏହି ଗସ୍ତ ବିଶେଷ ଫଳପ୍ରଦ ହୋଇଛି। ଏକାଧିକ ଶିଳ୍ପପତିଙ୍କ ସହିତ ସକାରାତ୍ମକ ଆଲୋଚନା ଓଡ଼ିଶାର ବିକାଶରେ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ଅଧିକରୁ ଅଧିକ ବନ୍ଦର ଭିତ୍ତିକ ଶିଳ୍ପ କାରଖାନା ସ୍ଥାପନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ସ୍ଥାପନ ସହିତ ବିଶ୍ବସ୍ତରୀୟ ଦକ୍ଷତା ତାଲିମ କ୍ଷେତ୍ରକୁ ସରକାର ବିଶେଷ ଗୁରୁତ୍ବ ଦେଉଥିବା ଶିଳ୍ପମନ୍ତ୍ରୀ ସମ୍ପଦପ୍ରସାଦ ସ୍ବାଇଁ କହିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories