www.samajalive.in
Sunday, December 14, 2025
26.1 C
Bhubaneswar

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଚଳିତ ମାସ ୩୧ରେ ଶେଷ ହେଉଛି। ନୂଆବର୍ଷରେ ଓଡ଼ିଶାକୁ ନୂଆ ମୁଖ୍ୟ ଶାସନ ସଚିବ ମିଳିବା ସମ୍ଭାବନା ରହିଛି। ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା ଜୋର୍ ଧରିଲାଣି। ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ଦ୍ବିତୀୟ ଥର ପାଇଁ ସରକାର ବୃଦ୍ଧି କରିବେ ନା ନୂଆ ଅଧିକାରୀଙ୍କୁ ଓଡ଼ିଶାର ପ୍ରଶାସନର ମୁଖିଆ ନିଯୁକ୍ତ କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
୨୦୨୪ ଜୁନ୍ ୧୨ରେ ବିଜେପି ଓଡ଼ିଶାରେ ନୂଆ ସରକାର ଗଠନ କରିବା ପରେ ସେହି ମାସ ୨୯ରେ ଶ୍ରୀ ଆହୁଜାଙ୍କୁ ମୁଖ୍ୟ ସଚିବ ନିଯୁକ୍ତ କରିଥିଲେ। ରାଜ୍ୟର ୪୬ତମ ମୁଖ୍ୟ ସଚିବ ଦାୟିତ୍ବ ଗ୍ରହଣ ପୂର୍ବରୁ ଶ୍ରୀ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ଗତବର୍ଷ ଡିସେମ୍ବର ୩୧ରେ ଶ୍ରୀ ଆହୁଜା ସରକାରୀ ଚାକିରିରୁ ଅବସର ନେବା ପରେ ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ (ଏକବର୍ଷ) ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ। ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରାଯିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବନାହିଁ। ଏପରିସ୍ଥଳେ ଆସନ୍ତା ଜାନୁଆରୀ ପହିଲାରୁ ମୁଖ୍ୟ ସଚିବ ଚୌକିରେ ପୁରୁଣା ନା ଆଉ କେଉଁ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ ତାକୁ ନେଇ ରାଜନୈତିକ, ପ୍ରଶାସନିକ ଓ ସାଧାରଣରେ ଉତ୍କଣ୍ଠା ରହିଛି। ନୂଆ ମୁଖ୍ୟ ସଚିବ ନିଯୁକ୍ତି ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ । କିନ୍ତୁ କିଛି ବରିଷ୍ଠ ଅଧିକାରୀଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ପ୍ରଶାସନିକ ଅଧିକାରୀ ସଞ୍ଜୀବ ଚୋପ୍ରା ଓ ଗୁଡ଼ି ଶ୍ରୀନିବାସଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ମୁଖ୍ୟ ସଚିବ ପଦ ଦେଇପାରନ୍ତି। ଶ୍ରୀ ଚୋପ୍ରାଙ୍କ କାର୍ଯ୍ୟକାଳ ୨୦୨୭ ଏପ୍ରିଲରେ ଶେଷ ହେଉଥିବା ବେଳେ ଶ୍ରୀ ଶ୍ରୀନିବାସ ଅଗଷ୍ଟ ୨୦୨୬ରେ ଅବସର ନେବେ। ଅପରପକ୍ଷେ ବର୍ତ୍ତମାନ ରାଜ୍ୟ ଉନ୍ନୟନ ଆୟୁକ୍ତ ଥିବା ଅନୁ ଗର୍ଗ ଏବଂ ଗୃହ ତଥା ବନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ନାମ ବି ଚର୍ଚ୍ଚାରେ ରହିଛି। ଉଭୟ ହେଉଛନ୍ତି ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ। ଶ୍ରୀମତୀ ଗର୍ଗଙ୍କ କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ଥିବାବେଳେ ଶ୍ରୀ ସାହୁଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୭ରେ ଶେଷ ହେବ। ଶ୍ରୀମତୀ ଗର୍ଗ ପୂର୍ବ ସରକାର ଓ ଏବର ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସଫଳତାର ସହ ନିର୍ବାହ କରିଆସୁଛନ୍ତି। ଓଡ଼ିଶାର ସରକାରୀ ଓ ରାଜନୈତିକ ସମୀକରଣ ସହିତ ସେ ଭଲ ଭାବେ ଜଡ଼ିତ। ସେହିପରି ଶ୍ରୀ ସାହୁ ମଧ୍ୟ ଗୃହ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବେଶ୍ ଦକ୍ଷତାର ସହ ସମ୍ପାଦନ କରି ଆସୁଛନ୍ତି।
ଓଡ଼ିଶାରେ ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦେଶକ ପଦରେ ଦୁଇ ଅଣ ଓଡ଼ିଆ ଅଧିକାରୀଙ୍କୁ ବସାଇବାକୁ ନେଇ କିଛିଟା ସମା‌େ‌ଲାଚନାର ଶରବ୍ୟ ହୋଇଥିଲେ। ତେଣୁ ନୂଆ ମୁଖ୍ୟ ସଚିବ ମନୋନୟନ ସମୟରେ ମଧ୍ୟ ଏହାକୁ ସରକାର ଦୃଷ୍ଟି ଦେବେ ବୋଲି କୁହାଯାଉଛି। ଅପରପକ୍ଷେ ଅନୁ ଗର୍ଗଙ୍କୁ ଦାୟିତ୍ବ ଦେଇ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ନିଯୁକ୍ତ କରିବା ସହିତ ମହିଳା କାର୍ଡ ଖେଳିବା ସୁଯୋଗକୁ ମଧ୍ୟ ରାଜ୍ୟ ସରକାର ହାତଛଡ଼ା କରି ନ ପାରନ୍ତି। ରାଜ୍ୟରେ ଥିବା ଡବଲ ଇଞ୍ଜିନ ସରକାର ନୂଆ ମୁଖ୍ୟ ସଚିବ ନିଯୁକ୍ତି ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ଉପରେ ବି ନିର୍ଭର କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଓଡ଼ିଶାର ପ୍ରଶାସନିକ ଗତିବିଧି ସହ ଜଡ଼ିତ ଥିବାରୁ ନୂଆ ମୁଖ୍ୟ ସଚିବ ନିଷ୍ପତ୍ତି ଦିଲ୍ଲୀରୁ ଚୂଡ଼ାନ୍ତ ହେବା ସମ୍ଭାବାନକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କୁହାଯାଉଛି।
ନୂଆ ମୁଖ୍ୟ ସଚିବ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ଦିଗରୁ ଚିନ୍ତା କରି ନିଷ୍ପତ୍ତି ନେବାକୁ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ନିର୍ମାଣ ଲକ୍ଷ୍ୟ ନେଇ କାମ କରୁଥିବା ରାଜ୍ୟ ସରକାରଙ୍କ ଆଗରେ ଅନେକ ଆହ୍ବାନ ରହିଛି। ରାଜ୍ୟରେ ଶିଳ୍ପାୟନ, ଭିତ୍ତିଭୂମି ନିର୍ମାଣ ସହ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, କର୍ମନିଯୁକ୍ତିରେ ସରକାର ବଡ଼ ସଫଳତା ଆଶା ରଖିଛନ୍ତି। ଆଗାମୀ ୧୦ ବର୍ଷକୁ ଦୃଷ୍ଟିରେ ରଖି ସରକାର ନୂଆ କାର୍ଯ୍ୟକ୍ରମ ଯୋଜନା ହାତକୁ ନେଉଛନ୍ତି। କେନ୍ଦ୍ରୀୟ ଯୋଜନା ଗୁଡ଼ିକରେ ଓଡ଼ିଶା କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବ ତାହାର ଚାପ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ରହିଛି। ଅପରପକ୍ଷେ ଆଗକୁ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ଥିବାରୁ ସରକାର ମାପି ଚୁପି ପଦକ୍ଷେପ ଗ୍ରହଣ କରୁଛନ୍ତି। ଦଳ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାମ କରିବା ମଧ୍ୟ ଜରୁରୀ। ବଡ଼ କଥା ହେଲା ଉତ୍ତମ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହେବା ବିଜେପି ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ। ତେଣୁ ଏସବୁ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରୁଥିବା ଅଧିକାରୀଙ୍କୁ ଦିଆଯାଇପାରେ ମୁଖ୍ୟ ସଚିବ ଦାୟିତ୍ବ। ଗୁରୁତ୍ବପୂର୍ଣ୍ଣ ହେଉଛି, ପିଏମ୍‌ଓ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ତାଳମେଳ ରକ୍ଷା କରି କାର୍ଯ୍ୟ କରିବା ସହ କେନ୍ଦ୍ରର ବିଶ୍ବାସଭାଜନ ହେବା ଦାୟିତ୍ବ ଅନେକାଂଶରେ ମୁଖ୍ୟ ଶାସନ ସଚିବଙ୍କ ଉପରେ ନିର୍ଭର କରେ। ତେଣୁ ଏହି ପଦରେ ରାଜ୍ୟ ସରକାର କାହାକୁ ଦାୟିତ୍ବ ଦେବେ, ତାକୁ ନେଇ ସାଧାରଣରେ ଚର୍ଚ୍ଚା ବଢିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories