ବିଶ୍ବର ପ୍ରଦୂଷିତ ସହର ତାଲିକା : ୧୦୦ ସହରରୁ ଭାରତର ୩୯

ନୂଆଦିଲ୍ଲୀ : ବିଶ୍ବର ୧୦୦ ସର୍ବାଧିକ ପ୍ରଦୂଷିତ ସହର ତାଲିକା ମଧ୍ୟରେ ଭାରତର ୩୯ ସହର ରହିଛି। ଶୀତଋତୁରେ ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ କ୍ରମାଗତଭାବେ ୫୦୦ ଉପରେ ରହିଛି। ‘ଏସ୍‌ଆଣ୍ଡପି ଗ୍ଲୋବାଲ ମୋବିଲିଟି ୱେବ୍ ପ୍ରେଜେଣ୍ଟେସନ’ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଏହି ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ତାଲିକାରେ ୩୦ ପ୍ରଦୂଷିତ ସହର ସହ ଚୀନ ଦ୍ବିତୀୟ ସ୍ଥାନରେ ରହିଛି। ତୃତୀୟରେ ପଡ଼ୋଶୀ ପାକିସ୍ତାନର ୭ଟି ସହର ଥିବାବେଳେ ବାଂଲାଦେଶର ୫ ସହର ଓ ନେପାଳର ୨ଟି ସହର ସ୍ଥାନ ପାଇଛି। ଆଶ୍ଚର୍ଯ୍ୟଜନକ ଭାବେ, ବିଶ୍ବର ସର୍ବାଧିକ ପ୍ରଦୂଷିତ ୧୦୦ ସହରର ଅର୍ଦ୍ଧେକ  ଭାରତୀୟ ଉପମହାଦେଶରେ ରହିଛି। ତେଣୁ ଯାନବାହନ ବିଦ୍ୟୁତ୍‌କରଣ ଆଡ଼କୁ ଭାରତର ଆବଶ୍ୟକତାକୁ ଦର୍ଶାଯାଇଛି। ଏହି ରିପୋର୍ଟରେ ଭାରତର ପ୍ରମୁଖ ସହରରେ ବଢ଼ୁଥିବା ଟ୍ରାଫିକ୍‌ ସମସ୍ୟା ଉପରେ ଧ୍ୟାନ ଦେବାକୁ ଜୋର ଦିଆଯାଇଛି। ପ୍ରତି କିଲୋମିଟର ପ୍ରତି ୪୩୦ ଯାନ ସହ ମୁମ୍ବଇ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ୩୦୮ ଯାନ ସହ କଲକାତା ଦ୍ବିତୀୟ ସ୍ଥାନରେ ଥିବାବେଳେ ୨୪୮ ଯାନ ସହ ପୁନେ ତୃତୀୟରେ ଓ ପ୍ରତି କିଲୋମିଟର ୯୩ ଯାନ ସହ ଦିଲ୍ଲୀ ଚତୁର୍ଥ ସ୍ଥାନରେ ଥିଲେ ମଧ୍ୟ ତୁଳନାତ୍ମକ ଭାବେ ଭଲ ସ୍ଥାନରେ ରହିଛି। ଏସ୍‌ଆଣ୍ଡପି ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ବେଙ୍ଗାଲୁରୁରେ ସଡ଼କ ସମସ୍ୟା ଯୋଗୁଁ ହାରାହାରି ଯାନବାହନର ବେଗ ଘଣ୍ଟାକୁ ମାତ୍ର ୧୦ କିଲୋମିଟରକୁ ଖସି ଆସିଛି। ଭାରତର ପ୍ରଦୂଷଣ ସମସ୍ୟାର ଗମ୍ଭୀରତା ବାୟୁ ଗୁଣବତ୍ତା ଉପରେ ନଜର ରଖୁଥିବା ଭାରତ ଭିତ୍ତିକ କମ୍ପାନୀ ଏକ୍ୟୁଆଇ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ସର୍ବାଧିକ ପ୍ରଦୂଷିତ ୧୦୦ ସହର ମଧ୍ୟରୁ ଶୀର୍ଷ ୧୦ ସ୍ଥାନରେ ଭାରତର ଦିଲ୍ଲୀ, ଗାଜିଆବାଦ, ବୁଲନ୍ଦସହର, ହୁବଲି ଏବଂ ଗୁଲବର୍ଗ ଆଦି ସହର ଥିବାବେଳେ ଚୀନ୍‌ କେବଳ ୩ଟି ସହର ରହିଛି। ୨୦୨୩ରେ ‘ଆଇକ୍ୟୁଏୟାର’ ନାମକ ଏକ ଆନ୍ତର୍ଜାତିକ ମନିଟରିଂ ଏଜେନ୍ସି ଦିଲ୍ଲୀକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବରେ ସ୍ଥାନିତ କରିଥିବାବେଳେ ଚୀନ୍‌ର ବେଜିଂ ୧୮ତମ ସ୍ଥାନରେ ରହିଥିଲା। ସର୍ବାଧିକ କଣିକା ତତ୍ତ୍ବ ଏକାଗ୍ରତା ଥିବା ଦେଶମାନଙ୍କ ମଧ୍ୟରେ ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଚୀନ୍ ପ୍ରଦୂଷଣ ସ୍ତର ହ୍ରାସ କରିବାରେ ଏହାର ସ୍ପଷ୍ଟ ଅଗ୍ରଗତି ପ୍ରଦର୍ଶନ କରି ୧୯ ତମ ସ୍ଥାନରେ ରହିଛି।

Comments are closed.