ଗାଜିଆବାଦ କୋର୍ଟରେ ଉତ୍ତେଜନା, ଓକିଲ-ପୁଲିସ ସଂଘର୍ଷ ପରେ ପୁଲିସ ଆଉଟପୋଷ୍ଟରେ ଲଗାଇ ଦେଲେ ନିଆଁ
ଡେସ୍କ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା କୋର୍ଟ ପରିସରରେ ଜଣେ ବିଚାରପତି ଓ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିବା ସହ ବିଚାରପତି ଓକିଲଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ପୁଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ପୁଲିସ ବଳ ପ୍ରୟୋଗ କରି ଓକିଲମାନଙ୍କୁ କୋର୍ଟ ପରିସରରୁ ହଟାଇବା ପାଇଁ ଲାଠିଚାର୍ଜ କରୁଥିବା ଦେଖିବାକୁ ମିଳିଛି। ଗଣ୍ଡଗୋଳ ସମୟରେ କୋର୍ଟ ରୁମରେ ଚେୟାର ଫିଙ୍ଗି ଦିଆଯାଇଥିବା ମଧ୍ୟ ଫୁଟେଜରେ କଏଦ ହୋଇଛି।
ଜଣେ ସ୍ଥାନୀୟ ଓକିଲ କହିଛନ୍ତି ଯେ ଉତ୍ତ୍ୟକ୍ତ ଓକିଲମାନେ ଏହାର ଜବାବ ଦେଇ କୋର୍ଟ ପରିସରରେ ଥିବା ପୋଲିସ ଆଉଟପୋଷ୍ଟରେ ନିଆଁ ଲଗାଇ ଦେଇଥିଲେ। ଗାଜିଆବାଦ ବାର୍ ଆସୋସିଏସନର ପୂର୍ବତନ ସଭାପତି ଆଇନଜୀବୀ ନାହର ସିଂହ ଯାଦବ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଜଣେ ବିଚାରପତି ଅଦାଲତରେ ଓକିଲମାନଙ୍କୁ ଗାଳିଗୁଲଜ କରିବାରୁ ଏହି ସଂଘର୍ଷ ଘଟିଛି।
ସୂଚନା ଅନୁଯାୟୀ, ଏକ ଆଗୁଆ ଜାମିନ ଆବେଦନର ଶୁଣାଣି ସମୟରେ କିଛି ଓକିଲ ଜିଲ୍ଲା ଜଜଙ୍କୁ ଜାମିନ ଆବେଦନର ଶୁଣାଣି କିମ୍ବା ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। ଏହି ଘଟଣାରେ ପରିସ୍ଥିତି ଗମ୍ଭୀର ହେବାରୁ ପୁଲିସର ହସ୍ତକ୍ଷେପ ଓ ଲାଠିଚାର୍ଜ ଯୋଗୁଁ ଅଭିଷେକ ଯାଦବଙ୍କ ସମେତ ଅନେକ ଓକିଲ ଆହତ ହୋଇଛନ୍ତି।
ଏହି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଜିଲ୍ଲା ଜଜ୍ ଆଇନଜୀବୀମାନଙ୍କୁ ଧମକ ଦେବା ସହ ନ୍ୟାୟପାଳିକାର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ବାରର ପୂର୍ବତନ ସଭାପତି କହିଛନ୍ତି।
ଘଟଣାରେ ଗାଜିଆବାଦ ପୋଲିସ ବାରର ପୂର୍ବତନ ସଭାପତି ଯାଦବଙ୍କ ସମେତ ପାଖାପାଖି ୫୦ ଜଣ ଓକିଲଙ୍କ ବିରୋଧରେ ଦୁଇଟି ଏତଲା ରୁଜୁ କରିଛି।
Comments are closed.