ଇସ୍ତଫା ଦେଲେ ଆର.ଜି.କର ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତର

କଲକାତା: ପଶ୍ଚିମବଙ୍ଗରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ କନିଷ୍ଠ ଡାକ୍ତରମାନେ ଯେଉଁ ଅନଶନ ଚଳାଇଛନ୍ତି, ତାହାକୁ ସମର୍ଥନ ଜଣାଇ କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ଜଣ ବରିଷ୍ଠ ଡାକ୍ତର ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏହି ବରିଷ୍ଠ ଡାକ୍ତରମାନେ ସମୂହ ଇସ୍ତଫା ଦେଉଥିବାବେଳେ ଡାକ୍ତରୀ ଛାତ୍ରମାନେ ସେମାନଙ୍କୁ କରତାଳି ମାଧ୍ୟମରେ ଅଭିନନ୍ଦନ ଜଣାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ରାଜ୍ୟ ସରକାର ସେମାନଙ୍କର ସବୁ ଦାବି ପୂରଣ କରିନଥିବାରୁ କନିଷ୍ଠ ଡାକ୍ତରମାନେ ଶନିବାରଠାରୁ କଲକାତାର ଧରମତାଲାଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏହି ଆମରଣ ଅନଶନରେ ୬ ଜଣ ଡାକ୍ତର ସାମିଲ ଅଛନ୍ତି। ଇତିମଧ୍ୟରେ ଚାରିଦିନ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବାରୁ ଏହି ବରିଷ୍ଠ ଡାକ୍ତରମାନେ କ୍ଷୋଭପ୍ରକାଶ କରିଛନ୍ତି। ଯଦି ଏହି ଅନଶନରତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୁଏ, ତେବେ ରାଜ୍ୟ ସରକାର ସମ୍ପୂର୍ଣ୍ଣଭାବେ ଦାୟୀ ରହିବେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ସକାଳେ ଆମରଣ ଅନଶନରେ ବସିଥିବା କନିଷ୍ଠ ଡାକ୍ତରଙ୍କ ପ୍ରତି ସମର୍ଥନ ଜଣାଇ ୧୫ ଜଣ ବରିଷ୍ଠ ଡାକ୍ତର ପ୍ରତୀକାତ୍ମକ ଆମରଣ ଅନଶନରେ ଯୋଗଦେଇଥିବା ଜଣାପଡିଛି।

ଆଉ ଦୁୁଇ ଦିନ ଗଲେ କଲକାତା ସମେତ ସମଗ୍ର ପଶ୍ଚିମବଙ୍ଗ ଦୁର୍ଗାପୂଜାକୁ ନେଇ ସମ୍ପୂର୍ଣ୍ଣଭାବେ ଉତ୍ସବମୁଖର ହୋଇପଡିବ। ଏହି ସମୟରେ କନିଷ୍ଠ ଡାକ୍ତରମାନେ ଆମରଣ ଅନଶନରେ ବସିବା ଏହି ପାର୍ବଣ ପରିବେଶକୁ ନଷ୍ଟ କରୁଛି ବୋଲି ଅଧିକାଂଶ ବରିଷ୍ଠ ଡାକ୍ତର କହିଛନ୍ତି। ରାଜ୍ୟରେ ଥିବା ୯୦ ପ୍ରତିଶତ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନଭେମ୍ବର ସୁଦ୍ଧା ଶେଷ ହେବ ବୋଲି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୋଜ ପନ୍ଥ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କନିଷ୍ଠ ଡାକ୍ତରମାନେ ଅନଶନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଅଗଷ୍ଟ ୯ରେ ଆର.ଜି.କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ରାଜ୍ୟରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାରଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସିବିଆଇ ବର୍ତ୍ତମାନ ମାମଲାର ତଦନ୍ତ କରୁଥିବାବେଳେ ସୋମବାର କଲକାତାର ଏକ ଅଦାଲତରେ ଅଭିଯୋଗ ଫର୍ଦ ଦାଖଲ କରିଛି। ଏଥିରେ ସଞ୍ଜୟ ରାୟକୁ ମୁଖ୍ୟ ଓ ଏକମାତ୍ର ଅପରାଧୀ ଭାବେ ଉପସ୍ଥାପନ କରାଯାଇଛି।

Comments are closed.