ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଭାବଶାଳୀ ଆଇନଗତ ଢାଞ୍ଚା ଗୁରୁତ୍ୱ ବହନ କରିଥାଏ 

ଉତ୍କଳ ବିଶ୍ବବିଦ୍ୟାଳୟରେ 'ବିପର୍ଯ୍ୟୟ ପରିଚାଳନାରେ ଆଇନଗତ ସୀମା: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ଦୃଷ୍ଟିକୋଣ' ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ ବିଭାଗ ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଇନଗତ ସୀମା: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ଦୃଷ୍ଟିକୋଣ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଆନନ୍ଦଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଲୋଚନାଚକ୍ରକୁ ଉଦଘାଟନ କରି ବିପର୍ଯ୍ୟୟ ପରିଚାଳନାରେ ଆଇନଗତ ଆହ୍ୱାନ ଏବଂ ଦୃଷ୍ଟିକୋଣଗୁଡିକ ଉପରେ ବକ୍ତବ୍ୟ ରଖିଥିଲେ। ବିପର୍ଯ୍ୟୟମୁକାବିଲା ପାଇଁ ପ୍ରଭାବଶାଳୀ ଆଇନଗତ ଢାଞ୍ଚାର ଗୁରୁତ୍ୱ ବହନ କରିଥାଏ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫, ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ଯାହା ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଗଠନମୂଳକ ତଥା ଅନୁଷ୍ଠାନିକ ବୈଷୟିକ ସହାୟତା ଯୋଗାଇଥାଏ। ଏହା ବିପର୍ଯ୍ୟୟ ପ୍ରତିରୋଧ ସାଙ୍ଗକୁ କିଭଳି ହ୍ରାସ କରାଯାଇପାରିବ ସେ ସମ୍ପର୍କରେ ସହାୟକ ହୋଇଥାଏ। ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ଏହାର ପରିବର୍ତ୍ତୀ ସମୟରେ ନିରାପଦ ଜୀବନଯାପନଶୈଳୀ ସହ ଜଡିତ ଭିତ୍ତିଭୂମି ସୃଷ୍ଟି ଏବଂ ସମୃଦ୍ଧ ଭାରତ ଗଠନ କରିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି ବୋଲି ଜଷ୍ଟିସ ବେହେରା ପ୍ରକାଶ କରିଥିଲେ।

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସମ୍ମାନୀତ ଅତିଥି ଭାବେଯୋଗଦେଇ ୨୦୦୫ର ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ଜଳବାୟୁ ପରିବର୍ତ୍ତନ ଏବଂ ପରିଚାଳନାକୁ କିପରି ମୁକାବିଲା କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ।
ଡବ୍ଲ୍ୟୁବି-ଓଏଚଇପିଇଇ ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେି  ଜଳବାୟୁ ପରିବର୍ତ୍ତନର ସଂକ୍ଷିପ୍ତ ବିଶ୍ଳେଷଣାତ୍ମକ ବିବରଣୀ ପ୍ରକାଶ କରିଥିଲେ। ଆସନ୍ତା କୋଡିଏ ବର୍ଷ ମଧ୍ୟରେ ଭାରତ କିପରି ଜଳ ଅଭାବର ମୁକାବିଲା କରିବ ଏବଂ ଆମେ କିପରି ବିପର୍ଯ୍ୟୟକୁ ହ୍ରାସ କରିବାକୁ ସମର୍ଥ ହୋଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ଡ.କାହ୍ନୁ ଚରଣ ଧୀର ସଂକ୍ଷେପରେ ବିପର୍ଯ୍ୟୟର ଏକ ଇତିହାସ ପ୍ରଦାନ କରିଥିଲେ। ତାଙ୍କ ଅଭିଭାଷଣରେ ସେ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟର କ୍ରମାନୁକ୍ରମିକ ଘଟଣା ଏବଂ ଏହା ଲୋକମାନଙ୍କ ଉପରେ କିପରି ପ୍ରଭାବ ପକାଇଥାଏ ସେ ବିଷୟରେ ବର୍ଣ୍ଣନା କରିଥିଲେ।
କାର୍ଯ୍ୟକ୍ରମରେ ମୁମ୍ବାଇ ଏମଏନଏଲୟୁ ପୂର୍ବତନ କୁଳପତି ପ୍ରଫେସର ଭବାନୀ ପ୍ରସାଦ ପଣ୍ଡା ଯୋଗଦେଇ ଓଡିଶା କିପରି ବିପର୍ଯ୍ୟୟର କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଏକକାଳୀନ ସର୍ବୋତ୍ତମ ବିପର୍ଯ୍ୟୟ ପରିଚାଳନା ରାଜ୍ୟ ଭାବରେ ପୁରସ୍କୃତ ହୋଇଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ଆସାମ ଏନଏଲୟୁଜେ କୁଳପତି ପ୍ରଫେସର କେ.ଭି.ଏସ୍ ଶର୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ହ୍ରାସ  ରଣନୀତି ଏବଂ ଏହାର ଆଇନଗତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ଆଇନ ବିଭାଗ ମୁଖ୍ୟ ପ୍ରଫେସର ଏସ.କେ.ସାଡୁଆଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ପ୍ରଫେସର ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ ବିଭାଗ ପକ୍ଷରୁ ବିପର୍ଯ୍ୟୟ ପରିଚାଳନାରେ ଆଇନଗତ ସୀମା: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ଦୃଷ୍ଟିକୋଣ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଆଇନ ବିଶ୍ବବିଦ୍ୟାଳୟ ଓ ଆଇନ ମହାବିଦ୍ୟାଳୟର ଅଧ୍ୟାପକ, ପ୍ରଫେସର, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଆଶୁତୋଷ ଦାଶ, ଅମ୍ବରିଶ ମିଶ୍ର ଏବଂ ଶ୍ରୀନିବାସ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।

Comments are closed.