କାନିବାରୁ ଏବଂ ସିନ୍ଧିବାଲି ଗ୍ରାମର ଡାଇରିଆ ସ୍ଥିତି ନିୟନ୍ତ୍ରିତ, ପାଣି ଫୁଟେଇକି ପିଇବାକୁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: କନ୍ଧମାଳ ଜିଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ କାନିବାରୁ ଏବଂ ସିନ୍ଧିବାଲି ଗ୍ରାମରେ ଡାଇରିଆ ବ୍ୟାପିଥିବାର ଖବର ପାଇବା ମାତ୍ରେ ଜିଲା ଏବଂ ବ୍ଲକ୍‌ର ତ୍ୱରିତ ପ୍ରତିକ୍ରିୟା ଦଳର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ସଂପୃକ୍ତ ଗ୍ରାମକୁ ଯାଇ ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଓ ଔଷଧ ଯୋଗାଇ ଦେଇଛନ୍ତି । ଚିକିତ୍ସା ପରେ ରୋଗୀମାନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଆଶାତୀତ ଉନ୍ନତି ଆସିଛି ଏବଂ ପ୍ରାୟ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଉକ୍ତ ଦୁଇଟି ଗ୍ରାମରୁ ସ୍ୱାସ୍ଥ୍ୟକର୍ମୀମାନେ ଜଳ ଓ ମଳ ନମୂନା ସଂଗ୍ରହ କରି ତା’ର ପରୀକ୍ଷା ପାଇଁ ପଠାଇଛନ୍ତି ।

ଜନସାଧାରଣଙ୍କୁ ବିଶେଷଷତଃ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ପାଣି ଫୁଟାଇ ବା ପାଣିରେ ହାଲୋଜେନ୍‌ ବଟିକା ପେକେଇ ପାଣି ପିଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଖୋଲାସ୍ଥାନରେ ମଳ ତ୍ୟାଗ ନ କରିବାକୁ ପରାମର୍ଶ ଦିଆଯାଇଛି । ଦୂଷିତ ପାଣି ବା ଖାଦ୍ୟ ଖାଇବା ଦ୍ୱାରା ଡାଇରିଆ ରୋଗ ହୋଇଥାଏ ।

ଏଣୁ ଲୋକମାନେ ସଚେତନ ହେଲେ ଡାଇରିଆ ରୋଗକୁ ସଂପୂର୍ଣ୍ଣ ରୋକାଯାଇ ପାରିବ । ଡାଇରିଆ ଓ ଅନ୍ୟାନ୍ୟ ରୋଗ ସମ୍ବନ୍ଧରେ ସଚେତନତାକୁ ବ୍ୟାପକ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସଂପୃକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷିତ ଯୁବକଯୁବତୀମାନଙ୍କୁ ଡାଇରିଆ ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ଜନସାଧାରଣଙ୍କୁ, ବିଶେଷକରି, ମହିଳା ଓ ଶିଶୁମାନଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରାଯାଇଛି ।

Comments are closed.