ଚାଷୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ ୱାନ୍ ଷ୍ଟପ୍ କେନ୍ଦ୍ର ହୋଇଛି ସମବାୟ ସମିତି

ଡ଼େସ୍କ: ଦେଶରେ ସମବାୟ ସମିତିଗୁଡ଼ିକୁ ସଶକ୍ତ କରିବା ଏବଂ ଗ୍ରାମାଞ୍ଚଳରେ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ଭୁବନେଶ୍ୱରରେ ସଫଳତାର ସହ ଶେଷ ହୋଇଛି। ବୈଠକକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦଘାଟନ କରିଥିବା ବେଳେ ସମବାୟ ମନ୍ତ୍ରଣାଳୟ ସଚିବ ଡ. ଆଶିଷ କୁମାର ଭୂଟାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୩ଟି ପ୍ରମୁଖ ପଦକ୍ଷେପ ଉପରେ ମାନକ ପରିଚାଳନା ପ୍ରକ୍ରିୟାରେ ୨ ଲକ୍ଷ ନୂତନ ଏମପିଏସିଏସ, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତି ଗଠନ ଓ ସୁଦୃଢ଼ୀକରଣ, ‘ଶ୍ୱେତ ବିପ୍ଳବ ୨.୦’ ଏବଂ ‘ସମବାୟ ମଧ୍ୟରେ ସହଯୋଗ’ ଉପରେ ଏସଓପି ଅନ୍ତର୍ଭୁକ୍ତ। ଦୁଇ ଦିନିଆ ସମୀକ୍ଷା ବୈଠକରେ ପ୍ୟାକ୍ସଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ରପ୍ତାନି ପାଇଁ ସୁଯୋଗ ପ୍ରଦାନ କରି ଏକ ସକ୍ରିୟ ଆର୍ଥିକ ୟୁନିଟରେ ପରିଣତ କରିବାର ଲକ୍ଷ୍ୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସରକାରଙ୍କ ପ୍ରଥମ ୧୦୦ ଦିନରେ ସମବାୟ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ୧୦ଟି ପଦକ୍ଷେପ ମଧ୍ୟରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିକଟରେ ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀରେ ତିନୋଟି ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିଥିଲେ । ମନ୍ତ୍ରଣାଳୟର ୧୦୦ ଦିନିଆ କାର୍ଯ୍ୟ ଯୋଜନାର ସଫଳ ରୂପାୟନ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା। ସମବାୟ ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ପାଇଁ ଯୁବବର୍ଗଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହା ଉପରେ ବୈଠକରେ ବିଚାରବିମର୍ଶ ହୋଇଥିଲା। ଆଗାମୀ ଦିନରେ ସମବାୟ ସମିତିରେ ଯୁବ ଭାଗିଦାରୀ ବୃଦ୍ଧି, ସମବାୟ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାର ଆଧୁନିକୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ତୃଣମୂଳ ସ୍ତରରେ ଶକ୍ତିଶାଳୀ ଅନୁଷ୍ଠାନ ଗଠନ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଥିଲେ ଯେଉଁଥିରେ ଗୁଣାତ୍ମକ ଇନପୁଟ୍‌, ସଂରକ୍ଷଣ ଢାଞ୍ଚା, ପ୍ରକ୍ରିୟାକରଣ ସୁବିଧା, ଋଣ ସୁବିଧା ଏବଂ ମାର୍କେଟିଂ ସୁବିଧା ଭଳି ସ୍ଥାନୀୟ ଲୋକଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ ।

Comments are closed.