ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ଆଜି ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ପାଇଁ ବ୍ୟାପକ ସଫେଇ ଅଭିଯାନ ଆରମ୍ଭ କରାଯାଇଛି। ସ୍ବଚ୍ଛତା ହିଁ ସେବା ସ୍ଲୋଗାନ ନେଇ ଆଜି ଏନଏସଏସର ସ୍ବଚ୍ଛାସେବୀମାନେ କ୍ୟାମ୍ପସ ପରିସରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫା କରିଥିଲେ। ଏହାସହ କ୍ୟାମ୍ପସକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ଶପଥ ପାଠ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ଏକ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିଥିଲେ। ସ୍ବଭାବ ସ୍ବଚ୍ଛତା ଓ ସଂସ୍କାର ସ୍ବଚ୍ଛତା ବାର୍ତ୍ତା ନେଇ ଏନଏସଏସ ସ୍ବେଛାସେବୀମାନେ କ୍ୟାମ୍ପସ ପରିସରରୁ ପାଖାପାଖି ଶହେ କେଜି ପ୍ୟାଷ୍ଟିକ ବର୍ଜବସ୍ତୁ ସଂଗ୍ରହ କରିଥିଲେ।
ସେଣ୍ଟର ଫର ଏନଭ୍ୟାରମେଷ୍ଟାଲ ଏଜୁକେସନ ଓ ସେଣ୍ଟର ଫର ରୁରାଲ ଏକ୍ସିଲେନସି ସହାୟତାରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ସହ ଏହାର ରିସାଇକେଲ ଓ ସଫଳ ପରିଚାଳନା ନେଇ ନୂତନ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏନଏସଏସ ବ୍ୟୁରୋ ସଂଯୋଜକ ଡ. ଜୟନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସେଣ୍ଟର ଫର ଏନଭ୍ୟାରମେଷ୍ଟାଲ ଏଜୁକେସନର ରାଜ୍ୟ ସଂୟୋଜକ ଶାନ୍ତୁନୁ କୁମାର ସାହୁ, ପରିବେଶ ବିଜ୍ଞାନ ବିଭାର ମୁଖ୍ୟ ପ୍ରଫେସର ଅଞ୍ନନ କୁମାର ପୃଷ୍ଟି, ଜିଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ସାହୁ, କାର୍ଯ୍ୟକ୍ରମ ଅଧିକାରୀ ଡ. ଶଂକରର୍ଷଣ ମଲ୍ଲିକ, ଡ. ଦୀପକ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଏନଏସଏସ ଭଲ୍ୟୁଣ୍ଟିୟରଙ୍କ ସହ ପରିବେଶ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହ ଶୂନ ବର୍ଜ୍ୟବସ୍ତୁ ପରିସର କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।



