ଅନୁମତି ନଥାଇ ଚାଲିଲା ଯାତ୍ରା, ହେଲା ଗଣ୍ଡଗୋଳ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକର ଦାମାହୁଦାଠାରେ ଚାଲିଥିଲା କଳିଙ୍ଗ କନ୍ୟା ଗଣନାଟ୍ୟ । ଯାହାର ଅନୁମତି ୧୭ ସେପ୍ଟେମ୍ବରରୁ ୨୧  ସେପ୍ଟେମ୍ବର ଯାଏଁ ରହିଥିଲା । ଅପେରା କମିଟି ତରଫରୁ ଏନେଇ ଉପଜିଲାପାଳଙ୍କଠାରୁ  ଚିଠି ନମ୍ବର ୮୫୭୬ ରେ ଅନୁମତି ମଧ୍ୟ ନେଇଥିଲେ । ମାତ୍ର ପ୍ରଶାସନର ଅନୁମତିକୁ ବେଖାତିର କରି ୨୨  ସେପ୍ଟେମ୍ବରରେ ମଧ୍ୟ ଖୋଲାଖୋଲି ଅପେରା ଚାଲିଥିଲା । ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ବିନା ଅନୁମତିରେ ୨୨  ତାରିଖରେ ଦାମାହୁଦା ଅପେରା କମିଟି ପକ୍ଷରୁ ଜଣେ ଆଇଟମ ଗାର୍ଲକୁ ଆଣି ନଚା ଯାଇଥିଲା । ଯାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଉକ୍ତ ରାତିରେ ଆଇଟମ ଗାର୍ଲ ଆସିବା ବାହାନାରେ ଟିକେଟ ମଧ୍ୟ ଅଧିକ ବିକ୍ରି ହୋଇଥିଲା । ଖଚାଖଚ ଭିଡ଼ ଭିତରେ ଆଇଟମ ଗାର୍ଲ ଆସିବା ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ଦର୍ଶକ ପେଣ୍ଡାଲକୁ ଚେୟାର ଫିଙ୍ଗି ପ୍ରତିବାଦ କରିଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ କମିଟି ତରଫରୁ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ନାଟକ ବନ୍ଦ ରଖିବାକୁ ପଡିଥିଲା।  ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ଉକ୍ତ ରାତିରେ କୌଣସି ଅଘଟଣ ଘଟିଥାନ୍ତା ତାହେଲେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତା । ପ୍ରଶାସନ ସହ ସଲାସୁତୁରା ନା ଅପେରା କମିଟିର ମର୍ଜିରେ ଅପେରା କରିବା ସହ ଆଇଟମ ଗାର୍ଲକୁ ନଚେଇଲେ ତାହା ତଦନ୍ତ ସାପେକ୍ଷ । ଏନେଇ କିଛି ସାଧାରଣ ଲୋକ ପ୍ରତିବାଦ କରିବାରୁ ଅପେରା କମିଟିର ସଦସ୍ୟ ମାନେ ମଧ୍ୟ ସେମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଯାତ୍ରା ପେଣ୍ଡାଲଠାରୁ ଦୁଇ ଶହ ମିଟର ବ୍ୟବଧାନରୁ କମ ଦୂରତାରେ ଏଠାରେ ଦୁଇ ଦୁଇଟି ଶିକ୍ଷା ଅନୁଷ୍ଠାନ ଥିବା ସତ୍ତ୍ବେ ପ୍ରଶାସନ ମଧ୍ୟ କିପରି ଯାତ୍ରା ପାଇଁ ଅନୁମତି ଦେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.