ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣେ ଗିରଫ

ଆଠଗଡ : ଆଠଗଡ ଡାକ୍ତରଖାନାରେ ଗତ ୧୮ ତାରିଖରେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଭଙ୍ଗାରୁଜା କରିଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡିଛି । ୫ଦିନ ପୂର୍ବରୁ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇନଥିବାରୁ ଏଠାରେ କାର୍ଯ୍ୟରତ ଡାକ୍ତର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଓମସା ଏହାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ନିଷ୍ପତ୍ତି ନେଇଥିଲେ । ୨୩ ତାରିଖ ସମାଜରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଆଠଗଡ ପୁଲିସ ବେଶ୍ ତତ୍ପର ହେବା ସହ କିଛି ଘଣ୍ଟା  ମଧ୍ୟରେ କନ୍ତୋଲ ଅଞ୍ଚଳର ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

୧୭ ତାରିଖ ବିଳମ୍ବିତ ରାତିରେ କନ୍ତୋଲ ଅଞ୍ଚଳର ଜଣେ ମହିଳା ସାପ କାମୁଡା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କର୍ତ୍ତବ୍ଯରତ ଡାକ୍ତର ମାନସ ସାହୁ ମହିଳାଙ୍କର ପରୀକ୍ଷା କରିବା ପରେ କୌଣସି ଲକ୍ଷଣ ଦେଖାନଯିବାରୁ ତାଙ୍କୁ ଡାକ୍ତରଖାନାରେ ରଖି ସ୍ଵାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ । ହେଲେ ପରିବାର ଲୋକ ସଂପୃକ୍ତ ମହିଳାଙ୍କୁ ଘରକୁ ନେଇଯାଇଥିଲେ । ତେବେ ପୁଣି ୧୮ ତାରିଖ ସକାଳେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଡାକ୍ତରଖାନା ଆଣିଥିଲେ । ସେତେବେଳେ କର୍ତ୍ତବ୍ୟରତ ଡାକ୍ତର ପ୍ରମୋଦ କୁମାର ସାହୁ ଓ ଡାକ୍ତର ସୁଚିତ୍ରା ବାରିକ ତାଙ୍କର ଚିକିତ୍ସା କରି ଆବଶ୍ୟକୀୟ ଇଞ୍ଜେକସନ ଔଷଧ ଦେଇ ରଖିଥିଲେ । ଅବସ୍ଥାରେ ସୁଧାର ନ ଆସିବାରୁ ଏବଂ ଏଠାରେ ଭେଷଜ ବିଶେଷଜ୍ଞ ନଥିବାରୁ ଅପରାହ୍ନ ୧ଟାରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ କନ୍ତୋଲ ଅଞ୍ଚଳର ପ୍ରାଣକୃଷ୍ଣ ରାଉତଙ୍କ ପୁଅ ବିକ୍ରମ ରାଉତ ଓ ଅନ୍ୟ କିଛି ଲୋକ ଡାକ୍ତର ଓ  ଅନୁପସ୍ଥିତ ଥିବା ଡାକ୍ତରଖାନାର ଅଧିକ୍ଷକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମୁଖ୍ୟ ଫାଟକଟିକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ଭାରପ୍ରାପ୍ତ ଅଧିକ୍ଷକଙ୍କୁ ସଂପୃକ୍ତ ଦୁଇ ଡାକ୍ତର ଲିଖିତ ଅଭିଯୋଗ କରିବା ପରେ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ନିହାର ରଞ୍ଜନ ମିଶ୍ର ଉକ୍ତ ଲିଖିତ ଅଭିଯୋଗକୁ ଏତଲା ଆକାରରେ ଆଇଆଇସିଙ୍କ ପାଖକୁ ପଠାଇଥିଲେ । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବିକ୍ରମକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସିସିଟିଭି ଯାଞ୍ଚ ପରେ ଏଥିରେ ଯଦି ଆଉ କିଏ ସଂପୃକ୍ତ ଥିବା ଜଣାପଡେ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

Comments are closed.