ରୁଦ୍ରପ୍ରୟାଗ : ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଘଟିଥିବାରୁ ପ୍ରଶାସନ ପକ୍ଷରୁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଫଳରେ ଏହି ରାସ୍ତାର ଉଭୟପାର୍ଶ୍ବରେ ସହସ୍ରାଧିକ ଶ୍ରଦ୍ଧାଳୁ ଅଟକି ରହିଛନ୍ତି। ବଦ୍ରିନାଥରୁ କେଦାରନାଥକୁ ସଂଯୋଗ କରୁଥିବା ଏକମାତ୍ର ପାହାଡ଼ିଆ ରାସ୍ତାର ପ୍ରାୟ ୧୫ ମିଟର ଅଂଶ ହଠାତ୍ ଭୁଶୁଡି ପଡ଼ିଛି ବୋଲି ରୁଦ୍ରପ୍ରୟାଗ ଏସ୍ପି ଜଣାଇଛନ୍ତି। ଫଳରେ କେଦାରନାଥ ଯାଉଥିବା ତଥା କେଦାରନାଥ ଦର୍ଶନ ଶେଷ କରି ଫେରୁଥିବା ସହସ୍ରାଧିକ ଶ୍ରଦ୍ଧାଳୁ ଅଟକିଛନ୍ତି। ଅବଶ୍ୟ ଅନ୍ୟ ଏକ ବିକଳ୍ପ ରାସ୍ତା ଦେଇ ଇତିମଧ୍ୟରେ ୫ ହଜାର ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଇଛି। ଏହି କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍ ଯବାନଙ୍କ ସମେତ ଉତ୍ତରାଖଣ୍ଡ ପୁଲିସକୁ ନିୟୋଜିତ କରାଯାଇଛି। କେଦାରନାଥ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଫାଟା, ରୁଦ୍ରପ୍ରୟାଗ ଏବଂ ଗୁପ୍ତକାଶୀଠାରେ ଅଟକିବାକୁ ପରାମର୍ଶ ଦିଆଯାଇଛି। ତେବେ ଗୌରୀକୁଣ୍ଡ ଏବଂ ସୋନ୍ପ୍ରୟାଗରୁ ବାହାରୁଥିବା ଶ୍ରଦ୍ଧାଳୁଙ୍କୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଯାତ୍ରାରମ୍ଭ ନ କରିବାକୁ କୁହାଯାଇଛି।
Popular Categories



