Patra electronics

ସାନ୍ତାଳୀ ଅସ୍ମିତା ପ୍ରତି ଏକ ଶକ୍ତ ପ୍ରହାର ଓ ଉପହାସ, ମାରିସା ପକ୍ଷରୁ ଦୃଢ଼ ବିରୋଧ

ବାଙ୍ଗିରିପୋଷି :ବାଙ୍ଗିରିପୋଷି ଅନ୍ତର୍ଗତ କଳାବାଡିଆ ଠାରେ ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ନେତୃତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବୈଠକର ସିନ୍ଧାନ୍ତକ୍ରମେ ନିର୍ଦ୍ଦେଶକ ଶିକ୍ଷକ ଓ ରାଜ୍ୟ ଶିକ୍ଷକ ଶିକ୍ଷଣ ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ନିର୍ଦ୍ଦେଶାଳୟକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଡିଏଲଇଡି ୨୦୨୪ ପରୀକ୍ଷାରେ ସାନ୍ତାଳୀ ଭାଷାପାଇଁ ପ୍ରଶ୍ନପତ୍ର ସନ୍ତାଳୀଲିପି ” ଅଲଚିକି ” ପରିବର୍ତ୍ତେ ଦେବନାଗରୀ ଲିପି ଓ ହିନ୍ଦୀ ଲିପି ବ୍ୟବହୃତ ହୋଇଥିବାରୁ ମାରିସା ପକ୍ଷରୁ ଖଦୋକ୍ତି ପ୍ରକାଶ କରିବା ସଙ୍ଗେସଙ୍ଗେ ଦୃଢ ପ୍ରତିବାଦ କରାଯାଇଛି । ସାନ୍ତାଳୀ ଏକ ସାମ୍ବିଧାନିକ ସ୍ଵୀକୃତ ଭାଷା ହୋଇଥିବାରୁ ଓ ଏହାର ଏକ ସ୍ୱତନ୍ତ୍ର ଲିପି ଅଲଚିକି ରହିଥିବାରୁ ଏହା ସାନ୍ତାଳୀ ଅସ୍ମିତା ପ୍ରତି ଏକ ଶକ୍ତ ପ୍ରହାର ଓ ଉପହାସ ଅଟେ।

ସାନ୍ତାଳୀ ଲିପି ଅଲଚିକି ପ୍ରତି ବୈମାତୃକ ମନୋଭାବର ଏହା ଏକ ଉଜ୍ଜଳ ଦୃଷ୍ଟାନ୍ତ ତଥା ସାନ୍ତାଳୀ ଭାଷା ଓ ଲିପିକୁ ସମାପ୍ତ କରିବାର ଏକ ହୀନ ଉଦ୍ୟମ ଓ ଚକ୍ରାନ୍ତ ଅଟେ ବୋଲି ମାରିସା ପକ୍ଷରୁ ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ପରୀକ୍ଷାରେ ବିଗତ ବର୍ଷ ଗୁଡ଼ିକରେ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପି ନିରନ୍ତର ଭାବେ ବ୍ୟବହୃତ ହୋଇଆସୁଥିଲା । ଏଥିରେ ପରୀକ୍ଷର୍ଥୀମାନେ ଅଭ୍ୟସ୍ତ ଥିଲେ ଏବଂ ଅକ୍ଲେଶରେ ବିନା ଦ୍ବିଧାରେ ଏହି ପରୀକ୍ଷା ଦେଇ ଆସୁଥିଲେ , କିନ୍ତୁ ହଠାତ୍ କୌଣସି ଆଗୁଆ ସୂଚନା ନ ଥାଇ ଦେବନାଗରୀ ଲିପିରେ ଏହି ବର୍ଷ ପ୍ରଶ୍ନପତ୍ର ଆସିବାରୁ ସାନ୍ତାଳୀ ଭାଷାରେ ଦେଉଥିବା ପରୀକ୍ଷାର୍ଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଲେ।

ଓଡ଼ିଶାରେ ହିନ୍ଦିଭାଷା ଓ ଦେବନାଗରୀ ଲିପିର ବହୁଳ ପ୍ରସାର ନାହିଁ । ଓଡ଼ିଶାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ପାଠ୍ୟପୁସ୍ତକରେ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପି ହିଁ ବ୍ୟବହୃତ ହେଉଥିବାରୁ ପରୀକ୍ଷାର୍ଥୀମାନେ ତଦ୍ ଅନୁଯାୟୀ ପ୍ରାକ୍ ପ୍ରସ୍ତୁତି କରିଥିଲେ । ସାନ୍ତାଳୀ ଭାଷା ୨୦୦୪ ରେ ଭାରତ ସମ୍ବିଧାନର ୮ମ ତଫସିଲରେ ଅନ୍ତର୍ଭୁକ୍ତ ହୋଇଅଛି ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନସ୍ଥ ସାହିତ୍ୟ ଏକାଡେମୀରେ ମଧ୍ୟ ୨୦୦୫ରୁ ସାନ୍ତାଳୀ ଭାଷାକୁ ସ୍ୱୀକୃତି ପ୍ରଦାନ କରାଯାଇଅଛି , ଯେଉଁଥିରେ ସାନ୍ତାଳୀ ଭାଷାପାଇଁ ଅଲଚିକି ଲିପିରେ ହେଁ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି ।

ଏହି ପରୀକ୍ଷାରେ ଓଡିଆ ଭାଷାପାଇଁ ଓଡିଆ ଲିପି ବ୍ୟବହୃତ ହୋଇଥିବା ସ୍ଥଳେ ସାନ୍ତାଳୀ ଭାଷାପାଇଁ ଅଲଚିକି ଲିପି ପରିବର୍ତ୍ତେ ଦେବନାଗରୀ ଲିପି ହିନ୍ଦୀ ଲିପିର ବ୍ୟବହାର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି । ଭାରତରେ ସାନ୍ତାଳୀ ଭାଷାକୁ ବ୍ୟବହାର କରୁଥିବା ସ୍ଥଳେ ଏହା ଭାରତ ୧୭ମ ସ୍ଥାନରେ ରହିଛି ଓ ବିଶ୍ଵରେ ଏହି ଭାଷା ୮୩ତମ ସ୍ଥାନରେ ରହିଛି । ଏଣୁ ନିର୍ଦ୍ଦେଶାଳୟର ଏପରି ଉଦ୍ଯମକୁ ମାରିସା ଦୃଢ ବିରୋଧ କରିଛି ।

Comments are closed.