Patra electronics

୧୦୦ ଦିନର ସଫଳତାର ଶେଷ ୫ ଦିନ, ଓଡିଶା ପୁଲିସର କଳା କାରନାମା

ଡେସ୍କ: ଗୋଟିଏ ପଟେ ରାଜ୍ୟର ନୂଆ ବିଜେପି ସରକାର ପ୍ରଥମ ୧୦୦ ଦିନର ସଫଳତା ବର୍ଣ୍ଣନା କରୁଥିବା ବେଳେ ଶେଷ ୫ ଦିନରେ ଭରତପୁର ଥାନା ଭିତରେ ଜଣେ ମହିଳାଙ୍କୁ ପୁଲିସ ଅଧିକାରୀଙ୍କ ଅମାନବୀୟ ଓ ଅଶ୍ଳୀଳ ବ୍ୟବହାର କେବଳ ଯେ ପ୍ରଶାସନିକ ବିଫଳତାକୁ ପଦାରେ ପକାଇ ନାହିଁ ବରଂ ଜାତୀୟ ସ୍ତରରେ ଓଡିଶା ପୁଲିସ ଓ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିଛି। ସଫଳତା ଖୁସିରେ ମସଗୁଲ ସରକାର ହୁଏତ ଭୁଲି ଯାଇଥିଲେ ମହିଳାଙ୍କ ସୁରକ୍ଷା ବିଷୟ।

ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧୀନରେ ଥିବା ଗୃହ ବିଭାଗର ଏଭଳି କାର୍ଯ୍ୟକଳାପ ନେଇ ଯଦିଓ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି କିନ୍ତୁ ଘଟଣା ଘଟିବା ଦିନ ଠାରୁ (ସେପ୍ଟେମ୍ବର ୧୫) ଆଜି ଯାଏଁ କାହିଁକି ଚୁପ ଥିଲେ ଜଣାପଡ଼ୁନି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟର ମହିଳା ମାନଙ୍କ ବିକାଶ କଥା କହୁଥିବା ବେଳେ ଜଣେ ମହିଳାଙ୍କ ଦୁଃଖ ଓ ନିର୍ଯାତନା ପ୍ରସଙ୍ଗ ବୁଝିବା ପାଇଁ କାହିଁକି ୫ ଦିନ ସମୟ ନେଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ସେତିକି ନୁହେଁ, ଗତ ୧୦୦ ଦିନ ମଧ୍ୟରେ ଘଟିଥିବା ଆଉ ଏକ ଘଟଣାରେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁରୀ ରଥଯାତ୍ରା ସମୟରେ ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ବରଂ ସମ୍ପୃକ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏଭଳି କ୍ଷେତ୍ରରେ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳଙ୍କ ଇସ୍ତଫା ଦାବି ହୋଇଥିଲେ ମଧ୍ୟ ରାଜ୍ୟପାଳ କୌଣସି ପଦକ୍ଷେପ ଗ୍ରହଣ କରିବା ସପକ୍ଷରେ ନ ଥିବା ଜଣାପଡୁଛି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରିଛି ଯାହାର ଉତ୍ତର କେବଳ ସମୟ ଦେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭରତପୁର ଥାନା ପୀଡ଼ିତାଙ୍କୁ ଭେଟିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି, ତେବେ ଦେଖିବା କଥା ହେଉଛି ରାଜ୍ୟ ସରକାରଙ୍କ ପ୍ରଥମ ୧୦୦ ଦିନର ସଫଳତା କ୍ଷେତ୍ରରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଘଟଣା ଆଗାମୀ ୧୦୦ ଦିନ ଭିତରେ କାର୍ଯ୍ୟରେ ପରିଣତ ହେବ ତ… ଆଗାମୀ ୧୦୦ ଦିନ ଭିତରେ ପୀଡ଼ିତାଙ୍କୁ ମିଳିବ ତ ନ୍ୟାୟ?

Comments are closed.