Patra electronics

ଆଠଗଡ ଦଶହରା ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ: ଆଠଗଡର ପ୍ରସିଦ୍ଧ ଦଶହରା ଓ ଶାରଦୀୟ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଏନଏସି ନିର୍ବାହୀ ଅଧିକାରୀ ଡଃ ପ୍ରଦୀପ କୁମାର ସାହା, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ବ୍ଲକ ବିତ୍ତ ଅଧିକାରୀ ନବ କୁମାର କଟକିଆ ଓ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସମେତ ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଅକ୍ଟୋବର ୧୦ ତାରିଖରେ ପୂଜା ମଣ୍ଡପରେ ମହାସପ୍ତମୀ ଠାରୁ ୧୩ ତାରିଖ ଦଶହରା ପର୍ଯ୍ୟନ୍ତ ଏହି ପର୍ବ ସରସସୁନ୍ଦର ଓ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତହସିଲଦାର ଶ୍ରୀ ସ୍ବାଇଁଙ୍କ ସଂଯୋଜନାରେ ହୋଇଥିବା ଆଲୋଚନା ସମୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ସହରର ସମସ୍ତ ରାସ୍ତାଘାଟର ମରାମତି ଆସନ୍ତା ଅକ୍ଟୋବର ୧୦ ତାରିଖ ପୂର୍ବରୁ ଶେଷ କରିବାକୁ ଉପଜିଲ୍ଲାପାଳ ଶ୍ରୀ ଶର୍ମା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦାରଖ କରିବାକୁ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ ଓ ଏନଏସି ନିର୍ବାହୀ ଅଧିକାରୀ ଡଃ ସାହାଙ୍କୁ ନେଇ ଗଠିତ କମିଟି ମରାମତି କାମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ସେହିପରି ଦଶହରା ଦିନ ଓ ତା ପୂର୍ବରୁ ସହର ପରିମଳ ବ୍ୟବସ୍ଥାର ସୁଧାର ଆଣିବା, ନିରବଛିନ୍ନ ବିଦ୍ୟୁତ ଯୋଗାଣ ଓ ରାସ୍ତାପାର ତାରକୁ ଉଚ୍ଚା କରିବା, ଅଧିକ ସମୟ ପାନୀୟଜଳ ଯୋଗାଣ କରିବା, ସୂଚନା କେନ୍ଦ୍ର ଓ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବା, ଟ୍ରାଫିକ ନିୟନ୍ତ୍ରଣ ଆଦି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭସାଣି ଉତ୍ସବ ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ କରାଯିବ ଏବଂ ଏହି ସମୟ ମଧ୍ୟରେ ସବୁ ମେଢ ଭସାଣି କରାଯିବ। ୧୬ ତାରିଖରେ ସବୁ ପ୍ରମୁଖ ବଜାରର ମେଢ଼ଗୁଡିକ ସାମୁହିକ ଭସାଣି ପାଇଁ ସ୍ଥିରୀକୃତ ହୋଇଛି। ସାମୁହିକ ଭସାଣି ଦିନ ସମସ୍ତ ବିଦେଶୀ ମଦ ଦୋକାନ ବନ୍ଦ ରହିବ। ମେଢ଼ଗୁଡିକ ଆଠଗଡ ଓ କନ୍ତୋଲଠାରେ ସାପୁଆ ନଦୀରେ ଏନଏସି ଦ୍ବାରା ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ। ସେହିପରି ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଡାକବାଜି ଶବ୍ଦ ୫୭ ଡେସିବଲ ମଧ୍ୟରେ ସୀମିତ ରଖିବା ଅନ୍ୟଥା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ। ସଂସ୍ଥା ଅଧିକାରୀ ଦିନେଶ ବେହେରା ବୈଠକରେ ସହଯୋଗ କରିଥିବା ବେଳେ ଏସଡିପିଓ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.