Patra electronics

ଶିକ୍ଷକ ନିଯୁକ୍ତି ପାଇଁ ଛାତ୍ର ବିଜେଡିର ଦାବିପତ୍ର

ଆଠଗଡ: ଆଠଗଡ ବ୍ଲକ ଓ ଏନଏସିର ଅନେକ ସ୍କୁଲରେ ବହୁ ଶିକ୍ଷକ ପଦବୀ ଖାଲି ରହିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖାଲି ପଡିଥିବା ଶିକ୍ଷକ ପଦବୀଗୁଡିକ ଯଥାଶୀଘ୍ର ପୂରଣ ପାଇଁ ଆଠଗଡ ଛାତ୍ର ବିଜେଡ଼ି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆଠଗଡ଼ ଏନଏସି ଓ ବ୍ଲକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିବା ମୋଟ ୧୫୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ଏବଂ ସେସବୁ ସ୍କୁଲରେ ଏବେ ୧୨୬ ଶିକ୍ଷକ ପଦବୀ ଖାଲି ରହିଛି। କୁମାରପୁର, ଗୋବରା, ଛଅଗାଁ, ଗୁରୁଡିଝାଟିଆ, ରାଧାକୃଷ୍ଣପୁର, ମହାଲକ୍ଷ୍ମୀପୁର, ଖୁଣ୍ଟୁଣୀ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଥିବା ସ୍କୁଲ ଗୁଡିକରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ଗୁରୁତର ବାଧାପ୍ରାପ୍ତ ହେଉଛି। ଆଠଗଡର ସମସ୍ତ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀଗୁଡିକ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଛାତ୍ର ବିଜେଡି ପକ୍ଷରୁ ଦାବି କରି ଏକ ସ୍ମାରକପତ୍ର କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।

Comments are closed.