www.samajalive.in
Saturday, December 6, 2025
26.1 C
Bhubaneswar

ସ୍କ୍ରବ ଟାଇଫସ୍‌ ନେଲାଣି ୪ ଜୀବନ

ସମ୍ବଲପୁର : ବରଗଡ଼ ଜିଲାରେ ସଂପ୍ରତି ଚାଷୀମାନଙ୍କ ମଧ୍ୟରେ ସ୍କ୍ରବ ଟାଇଫସ ଆତଙ୍କ ଖେଳିଯାଇଛି। ଏହି ଜିଲାର ବିଭିନ୍ନ ବ୍ଲକରେ ସ୍କ୍ରବ ଟାଇଫସ ପୋକ କାମୁଡ଼ାରେ ୧୦ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ୫ ଜଣ ଗୁରୁତର ଅସୁସ୍ଥ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ବରଗଡ଼ ଜିଲାରେ ସ୍କ୍ରବ ଟାଇଫସ କୀଟ କାମୁଡ଼ାଜନିତ ଅସୁସ୍ଥତା ଯୋଗୁ ପ୍ରଥମ ମୃତ୍ୟୁ ଘଟିଥିଲା ୧୦ ଦିନ ତଳେ ଭେଡ଼େନ ବ୍ଲକର ବଗର୍ତ୍ତୀପାଲି ଗ୍ରାମରେ। ଏହି ଗାଁର ଦୁର୍ଗା ବଗର୍ତ୍ତୀ ସ୍କ୍ରବ ଟାଇଫସ କାମୁଡ଼ାରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏକ ଘରୋଇ ନର୍ସିଂହୋମରେ ତାଙ୍କ ମୃତ୍ୟୁ ଘଟିଛି। ଅଗଷ୍ଟ ୧୮ ତାରିଖରେ ଅମ୍ବାଭୋନା ବ୍ଲକ ବଙ୍ଗାପାଲି ଗ୍ରାମର ଚାଷୀ ସରୋଜ ପ୍ରଧାନ ସ୍କ୍ରବ ଟାଇଫସ କାମୁଡ଼ାରେ ଅସୁସ୍ଥ ହୋଇ ଦୀର୍ଘ ୨୦ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କଲା ପରେ ଗତ ୮ ତାରିଖରେ ବରଗଡ଼ର ଏକ ନର୍ସିଂହୋମରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତାଙ୍କ ଚିକିତ୍ସା ପାଇଁ ପରିବାର ୩/୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ ବୋଲି ଜଣାପଡ଼ିଛି। ସେହିପରି ପଦ୍ମପୁର ବ୍ଲକର ଦୁଇଟି କୃଷକ ପରିବାରର ଦୁଇ ଜଣ ସଦସ୍ୟ ସ୍କ୍ରବ ଟାଇଫସ କାମୁଡ଼ାରେ ଗୁରୁତର ଅସୁସ୍ଥ ହେଲା ପରେ କାଲି ଓ ଆଜି ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସଖୀ ରଣା ଓ ବୁଧବାର ସକାଳେ ଶିଖା ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସ୍କ୍ରବ ଟାଇଫସ କାମୁଡ଼ାରେ ଗୁରୁତର ଅସୁସ୍ଥ ହୋଇଥିବା ଆହୁରି ୫ ଜଣ ଗୁରୁତର ଅସୁସ୍ଥ ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପଦ୍ମପୁର ବ୍ଲକ ସତୀଭଟା ଗ୍ରାମର ଉମେଶ କୁମାର ସୀତାର, ସୋହେଲା ବ୍ଲକ ଗଣ୍ଡପାଲିର ବାସନ୍ତୀ ମଲ୍ଲିକ, ଗାଇସିଲେଟ ବ୍ଲକ ଜନକେଡ଼ା ଗ୍ରାମର ସନ୍ତୋଷିନୀ ସାହୁ ଓ ପାଇକମାଲ ବ୍ଲକ କଟଙ୍ଗପାଲି ଗ୍ରାମର ବିଜୟୀ ଚାନ୍ଦଙ୍କ ସହିତ ଅନ୍ୟ ଜଣେ ସ୍କ୍ରବ ଟାଇଫସ ପୋକ କାମୁଡ଼ା ଯୋଗୁ ଅସୁସ୍ଥ ହୋଇ ବରଗଡ଼ର ଏକ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀମାନଙ୍କ ଅବସ୍ଥା ଗୁରୁତର ଅଛି। ପୋକ କାମୁଡ଼ାରୁ ଏହି ରୋଗ ହୋଇଛି ବୋଲି ସେମାନଙ୍କ ପରିବାରକୁ ଡାକ୍ତର କହିଛନ୍ତି। ମୃତ ଓ ଅସୁସ୍ଥ ବ୍ୟକ୍ତିମାନଙ୍କ ସ୍କ୍ରବ ଟାଇଫସ ଚିକିତ୍ସା ଚାଲିଥିବା ସମ୍ପର୍କରେ ସେମାନଙ୍କ ଡାକ୍ତରୀ ଚିଠାରୁ ଜଣାପଡ଼ିଛି ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ କୃଷକ ସଙ୍ଗଠନ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ବିଶେଷକରି କୃଷକ ପରିବାରର ସଦସ୍ୟ ଏହାଦ୍ବାରା ଆକ୍ରାନ୍ତ ହେଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଗୁରୁତର ଅସୁସ୍ଥ ରୋଗୀମାନଙ୍କ କିଡନୀ ଓ ଯକୃତ ଆଦି ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇସାରିଲାଣି ବୋଲି ସେ ବ୍ୟକ୍ତିଗତ ଭାବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହିତ ଆଲୋଚନା କଲା ପରେ କହିଛନ୍ତି। ଏହି କୃଷକ ସଙ୍ଗଠନର ପ୍ରତିନିଧିମାନେ ଆଜି ଜିଲା ପ୍ରଶାସନକୁ ଭେଟି ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସ୍କ୍ରବ ଟାଇଫସ ଏକ ଜଙ୍ଗଲୀ କୀଟ ହୋଇଥିବାରୁ ଏହାର କାମୁଡ଼ାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ଅନ୍ୟ ରୋଗୀଙ୍କୁ ଚିିକିତ୍ସା ସହାୟତା ଯୋଗାଇ ଦେବାକୁ ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ବରଗଡ଼ ଅତିରିକ୍ତ ଜିଲାପାଳଙ୍କୁ ଭେଟିଥିବା ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories