ସେପ୍ଟେମ୍ବର ୧୩ରେ ମୁକ୍ତିଲାଭ କରିବ “ଆଭା”

ଭୁବନେଶ୍ବର : ବଡ଼ ପରଦାରେ ଆସନ୍ତା ୧୩ ତାରିଖରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର “ଆଭା” । ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତାରିଖ ଘୋଷଣା ହୋଇଥିବାବେଳେ ଆଭା ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି ଆଭା ଚଳଚ୍ଚିତ୍ର। କାର୍ଯ୍ୟକ୍ରମରେ ସିନେମାର ମୁକ୍ତିଲାଭ ତାରିଖ ଘୋଷଣା କରିଥିଲେ ପ୍ରଯୋଜକ ପ୍ରବୀର ମହାପାତ୍ର । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ପ୍ରବୀର ମହାପାତ୍ର, ଅଭିନେତା ଵିଶାଲ, ଅଭିନେତ୍ରୀ ମାମାଲି, ସହ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ, ଆଭା ଚଳଚ୍ଚିତ୍ରରେ ଆଭା ଚରିତ୍ରରେ ଅଭିନୟ କରିଥିବା ସୋନା ମଲ୍ଲିକଙ୍କ ସମେତ ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ମାର୍କେଟିଙ୍ଗ୍ ଓ ପିଆର୍  ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଆଭାର ପୋଷ୍ଟର ରିଲିଜ ହୋଇଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହା ଆଗାମୀ ଦିନରେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି କୁହାଯାଇଛି । ଆଭା ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ସଂଳାପ ରଚନା କରିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଚଳଚ୍ଚିତ୍ରର ଫଟୋଗ୍ରାଫି ନିର୍ଦ୍ଦେଶକ ଚିତ୍ତରଞ୍ଜନ ବିଶ୍ୱାଳ, ନିର୍ଦ୍ଦେଶକ ପ୍ରଲବ ରୟ, କାର୍ଯ୍ୟକାରୀ ପ୍ରଯୋଜକ ସତ୍ୟ ପ୍ରକାଶ ସାହୁ ଏହି ଚଳଚ୍ଚିତ୍ରକୁ ନେଇ ବହୁତ ଆଶାବାଦୀ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ । ସ୍କ୍ରିପ୍ଟ, ସ୍କ୍ରିନ୍ ପ୍ଲେ ଏବଂ ଡିରେକସନ ପଲ୍ଲଵ ରୟ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପକାଇବ ବୋଲି ଟିମ୍ ଆଶା ରଖିଛି ।

Comments are closed.