ବଡଗଡ ଗଣେଶ ମହୋତ୍ସବ: ଏଥର ଆକର୍ଷଣ ସାଜିବ ୫୭ ଫୁଟ ଉଚ୍ଚ ମୂର୍ତ୍ତି, ରୂପା ପାଦ
ସମାଜ ଡିଜିଟାଲ ଡେସ୍କ: ଆଉ କେଇଟା ଦିନ ପରେ ଗଣେଶ ପୂଜା। ଅଗ୍ରପୂଜ୍ୟଙ୍କୁ ସ୍ଵାଗତ କରିବା ଲାଗି ରାଜଧାନୀ ଭୁବନେଶ୍ଵରରେ ଚାଲିଛି ପ୍ରସ୍ତୁତି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ସଜବାଜ। ପ୍ରସିଦ୍ଧ ବଡ଼ଗଡ଼ ଗଣେଶ ପୂଜା ମହୋତ୍ସବ କମିଟି ପକ୍ଷରୁ ଏଥର ମହାରାଷ୍ଟ୍ର ଲାଲବାଗ ଆକୃତିର ୫୭ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ପୂଜା ପାଇବେ। ଏହାସହିତ ତିଆରି ହେଉଛି ୧୨ ଫୁଟ ଉଚ୍ଚର ମୂଷିକ ବାହନ।
ଏଠାରେ ୨୦୧୮ ମସିହାରେ ୩୫ ଫୁଟ ଉଚ୍ଚର ମୂର୍ତ୍ତି ଏବଂ ୨୦୨୩ ମସିହାରେ ୫୫ଫୁଟ ଉଚ୍ଚର ମୂର୍ତ୍ତି ପୂଜାପାଇଥିଲେ। ଏଥର ପୂଜାର ମୁଖ୍ୟ ଆକର୍ଷଣ ହେବ ୧୦ କେଜି ଓଜନର ରୂପା ପାଦ ଓ ୫୭ କେଜି ଓଜନର ଲଡ଼ୁ ଭୋଗ। ପୂଜାର ଆୟୋଜକ ବ୍ରାଇଟ୍ ଷ୍ଟାର ୟୁଥ୍ ଆସୋସିଏସନ ଓ ବଡଗଡ ଗଣେଶ ମହୋତ୍ସବ ପୂଜା କମିଟି ପକ୍ଷରୁ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶ୍ରୀ ଗଣେଶ ଠାକୁରଙ୍କ ପରିଧାନ ନିମନ୍ତେ ଏକ ମୂଲ୍ୟବାନ ବସ୍ତ୍ର ସୋନପୁରର ବୁଣାକାର ଶ୍ରୀ ବିକ୍ରମ ମେହେରଙ୍କ ଦ୍ଵାରା ବୁଣାଯାଇଛି। ଏହି ବସ୍ତ୍ର ପାଇଁ ୫୪ ହଜାର ଟଙ୍କା ବ୍ୟୟ ହୋଇଛି। ଏହି ପରିଧାନ ବସ୍ତ୍ରର ପ୍ରସ୍ତୁତି ପାଇଁ ବୁଣାକାରଙ୍କୁ ମାସାଧିକ ସମୟ ଲାଗିଛି। ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ବ୍ୟବହୃତ ହେବ ପ୍ରାକୃତିକ ରଙ୍ଗ। ଏଥିସହିତ ଏଥିରେ ଟାଇଟାନିକ୍ ଆକୃତିର ଆଲୋକ ତୋରଣ ମଧ୍ୟ ଶୋଭା ପାଇବ। ପ୍ରତିଦିନ ସନ୍ଧ୍ୟାରେ ଠାକୁରଙ୍କ ଖେଚୁଡି ପ୍ରସାଦ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରାଯିବ। କଟକର ତ୍ରିଶୁଳିଆରୁ ମାଟି କିଣାଯାଇ କୁଶଳୀ କ।ରିଗରମାନଙ୍କ ଦ୍ୱାରା ମୂର୍ତ୍ତି ଗଢିବା କାର୍ଯ୍ୟ ଚାଲିଛି। ୭ ଦିନ ଧରି ପୂଜାକୁ ଜାକଜମକରେ ପାଳନ କରାଯିବ। ପୂଜା ମଣ୍ଡପରେ ଜର୍ମାନର ହ୍ୟାଙ୍ଗର ସେଡ, ମିନି ପାଗୋଡା ନିର୍ମାଣ କରାଯିବ। ବଡଗଡର ଗଣେଶ ପୂଜା ମଣ୍ଡପ, ଗ୍ରାମ ଛକରୁ କଳ୍ପନା ଛକ ଯାଏ ଆଲୋକ ମାଳାରେ ଝଲସି ଉଠିବ। ପୂଜା ମଣ୍ଡପରେ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ହୁଇଲ ଚେୟାର ସୁବିଧା କରାଯାଇଛି। କମିଟି ସମ୍ପାଦକ ସଂଗ୍ରାମ ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଓଲିଉଡ ଷ୍ଟାର ଅର୍ଚ୍ଚନା ପାଢ଼ୀ, ବିଶିଷ୍ଟ ଗାୟିକା ଇରା ମହାନ୍ତି, କୁଲଦୀପ୍ ପଟ୍ଟନାୟକ, ନାଭ୍ୟା ଦୁର୍ଗା, ତାରିକ୍ ଅଜିଜ୍, ଅଙ୍କିତ ପାତ୍ର, ମଣ୍ଟୁ ଛୁରିଆ ଏବଂ ସହଯୋଗୀ ପ୍ରମୁଖ ସଙ୍ଗୀତ ମହାକୁମ୍ଭରେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Comments are closed.