ବର୍ଷାରେ ଧୋଇଗଲା ଲକ୍ଷାଧିକ ଟଙ୍କାର ପୋଲ
ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ୱାର୍ଡ ନଂ ୪ରେ ଥିବା ଅତାବିରା ଦମଦମା ପୋଲର ପାର୍ଶ୍ଵରେ ସେହି ନାଳ ଉପରେ ତିଆରି ହୋଇଛି ଏକ ଛୋଟ ପୋଲ । ଏହି ପୋଲ ରାସ୍ତା ଦେଇ ଗଲେ ସିଧାସଳଖ ଖାଦ୍ୟ ନିଗମ, ଟୋପ ପାହାର ଶ୍ରୀଗିଡ଼ାକୁ ସଂଯୋଗ କରୁଛି । ଏକ୍ସଚେଞ୍ଜ ଛକ ଦେଇ ଗଲେ ଗୋଟିଏ କିମି ରାସ୍ତା ଅଧିକ ପଡ଼ିଥାଏ, ତେଣୁ ଏହି ରାସ୍ତା ଦେଇ ଶହ ଶହ ଲୋକ, ଛାତ୍ର ଛାତ୍ରୀ , ବ୍ୟବସାୟୀ ନିତିଦିନିଆ ଯିବା ଆସିବା କରିଥାନ୍ତି। ତେଣୁ ବୁଲାଣି ରାସ୍ତା ଠାରୁ ଏହି ରାସ୍ତାରେ ୯୦ ପ୍ରତିଶତ ଲୋକ ଯିବା ଆସିବା କରିଥାନ୍ତି । ଆଗରୁ କୌଣସି ପୋଲ ନଥିଲା ।ବର୍ଷାଦିନେ ଏହି ରାସ୍ତା ଦେଇ ଯିବା ଆସିବା ସମ୍ଭବ ହେଉ ନଥିଲା । ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଲୋକେ ନାଳା ପାରିହୋଇ ଯିବା ଆସିବା କରୁଥିଲେ । ତେଣୁ ଜନ ସାଧାରଣଙ୍କ ସୁବିଧା ତଥା ୱାର୍ଡର ବାସିନ୍ଦାମାନେ ଏହି ନାଲା ଉପରେ ପୋଲ ନିର୍ମାଣ ପାଇଁ ଦାବୀ କରିଥିଲେ । ଫଳରେ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ଛୋଟିଆ ପୋଲ (ସିମେଣ୍ଟ ନଳ ଉପରେ କଂକ୍ରିଟ କରି)ନିର୍ମାଣ କରାଯାଇଥିଲା ।
କିନ୍ତୁ ମାତ୍ର ଗୋଟିଏ ବର୍ଷ ନ ପୂରୁଣୁ ଏହି ପୋଲରେ ଖାଇ ସୃଷ୍ଟି ହୋଇଥିଲା ପ୍ରଥମ ବର୍ଷାରେ । ପୁଣି ତାକୁ ମାଟି ଦେଇ ପାଟ ଯାଇଥିଲା ।କିନ୍ତୁ ତାହା ଏବେ ଲଗାଣ ବର୍ଷାରେ ଧୋଇ ହୋଇ ଆହୁରି ବଡ଼ ଗର୍ତ୍ତ ସୃଷ୍ଟି କରିଛି ।ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ଲୋକଙ୍କ ପାଇଁ ବିପଦ ର ଆଶଙ୍କା ବଢ଼ାଇଚାଳିଛି । ଯାହାକୁ ନେଇ ସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି ।ଏହା ବ୍ୟତୀତ ପୋଲଟି ଏତେ ଖାଲୁଆ ହୋଇଛି ଯେ ଅସରାଏ ବର୍ଷା ହେଲେ ପୋଲ ଉପର ଦେଇ ପାଣି ଆସୁଛି । ଏବେ ପୋଳକୁ ଦେଖିଲେ ଲାଗୁଛି ଯଥା ପୂର୍ବମ୍ ତଥା ପରମ। ଆଉ କିଛି ଦିନ ପରେ ପୁଣି ସେହି ନାଳ ପାଣି ଦେଇ ଯିବାକୁ ପଡିବ ବୋଲି ଲୋକେ କହୁଛନ୍ତି ।ତେଣୁ ଏଠାରେ ଉଚ୍ଚ ଓ ଉନ୍ନତ ମାନର ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।
Comments are closed.