ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତି

ଆଠଗଡ: ଆଠଗଡ ଅଞ୍ଚଳ ଦେଇ ପ୍ରବାହିତ ମହାନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଏକ ପ୍ରସ୍ତୁତି ବୈଠକ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ଖାଡ଼ଙ୍ଗା, ସିଡିପିଓ, ବିଇଓ, ଜଳସେଚନ ଓ କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ, ଯୋଗାଣ ନିରୀକ୍ଷକ, କୃଷି, ଉଦ୍ୟାନ କୃଷି ଅଧିକାରୀ ଓ ପ୍ରାଣୀସମ୍ପଦ ଚିକିତ୍ସକଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ବନ୍ୟା ପରିସ୍ଥିତି ଉପୁଜିଲେ କିପରି ସଠିକ ମୁକାବିଲା କରାଯିବ ଏବଂ ଏଥିପାଇଁ କିଭଳି ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ବନ୍ୟା ପରିସ୍ଥିତିର ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଓ ଉଦ୍ଧାର କରିବା, ମଞ୍ଚେଶ୍ଵର ଓ କଟକିଆ ସାହିରେ ଡଙ୍ଗା ସହିତ ଚାଳକଙ୍କୁ ପ୍ରସ୍ତୁତ ରଖିବା, ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା, ପାଟେଣି ଗାଁ ଓ ଦହିସରା ବାତ୍ୟା ଆଶ୍ରୟସ୍ଥଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ସ୍କୁଲ ଗୁଡିକୁ ପ୍ରସ୍ତୁତ ରଖିବା, ଗୃହପାଳିତ ପଶୁମାନଙ୍କ ସୁରକ୍ଷା ଓ ସ୍ଥାନାନ୍ତର, ପାନୀୟଜଳ ଯୋଗାଣ ପାଇଁ ଆବଶ୍ୟକ ସ୍ଥଳେ ଜେନେରେଟର ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟସେବା ଲାଗି ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରଖିବା, ମହାନଦୀ ଓ ବିଭିନ୍ନ ଉପନଦୀର କିପରି ଘାଇ ସୃଷ୍ଟି ନହେବ ସେଥିପାଇଁ ନଦୀବନ୍ଧ ଗୁଡିକ ଉପରେ ଦୃଷ୍ଟି ରଖିବା ଆଦି ବିଷୟ ଉପରେ ଆଲୋଚନା କରାଯାଇ ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ନଦୀରୁ ବେଆଇନ ବାଲି ଉଠାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଏବଂ ସବୁ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର‌୍ୟ୍ୟକ୍ଷମ କରିବା ଉପରେ ତହସିଲଦାର ଶ୍ରୀ ସ୍ୱାଇଁ ଗୁରୁତ୍ଵାରୋପ କରିଥିଲେ । ସେହିପରି ବନ୍ୟାଞ୍ଚଳରେ ଥିବା ଗ୍ରାମ ଗୁଡିକରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଦ୍ୱାରା ନାଳନର୍ଦ୍ଦମା ସଫେଇ କରାଇବା ଲାଗି ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦାସ ପରାମର୍ଶ ଦେଇଥିଲେ ।

 

Comments are closed.