ବାତ୍ୟା ପାଇଁ ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ

ଗୋପାଳପୁର: ଗଞ୍ଜାମ ଜିଲ୍ଲାରେ ବାତ୍ୟା ‘ଦାନା’ର ବିଶେଷ ପ୍ରଭାବ ନ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଗୋପାଳପୁର ଏନଏସି ପକ୍ଷରୁ ମଧ୍ୟ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମିକୁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଆଜି ପ୍ରଥମ ଦିନରେ ସକାଳୁ ବେଳାଭୂମିରେ ପୁଲିସ ମୁତୟନ ହୋଇଥିବା ବେଳେ ଦିନ ତମାମ ବେଳାଭୂମି ଖାଁ ଖାଁ ରହିଥିଲା। କିନ୍ତୁ ସନ୍ଧ୍ୟାରେ ପୁଲିସ ମୁତୟନ ସହ ବାରଣ ସତ୍ବେ ବେଳାଭୂମିରେ ସ୍ଥାନୀୟ ଲୋକଙ୍କ ସମେତ କିଛି ପର୍ଯ୍ୟଟକ  ବୁଲୁଥିବାବେଳେ କିଛି ଜଳ କ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ବାତ୍ୟାକୁ ନେଇ ବେଳାଭୂମିରେ ଥିବା ଉଠା ଦୋକାନୀ ଓ ଫାଷ୍ଟଫୁଡ ଦୋକାନ ବନ୍ଦ ରହିଛି। ବାତ୍ୟାକୁ ନଜରରେ ରଖି ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ରହିଛି। ବାତ୍ୟା ପ୍ରଭାବରେ ଗୁରୁବାର ବର୍ଷା ସମ୍ଭାବନା ରହିଥିବାରୁ ହଳଦିଆ ସତର୍କତା ଜାରି ହୋଇଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ସନ୍ଧ୍ୟା ସମୟରେ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ବେଳାଭୂମିରେ ପହଞ୍ଚି ବାରଣ କରୁଥିବା ଦେଖିବାକୁ ମିଳିଛି।

Comments are closed.