ବାତ୍ୟାର ସଫଳ ମୁକାବିଲା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରାକ୍ ପ୍ରସ୍ତୁତି

କଟକ: ବାତ୍ୟା “ଦାନା” ର ସଫଳ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ଏହାର ପ୍ରାକ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛି । ଏହି ଅବସରରେ ଆଜି ପୁଣିଥରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ  ସୁଧାଂଶୁ ଷଡଙ୍ଗୀ ଏହି ସଂକ୍ରାନ୍ତରେ  ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ,  ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅଗ୍ନିଶମାଧିକାରୀ,  ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଅଗ୍ନିଶମାଧିକାରୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ବାତ୍ୟା ଦ୍ଵାରା ପ୍ରଭାବିତ ସମ୍ଭାବ୍ୟ  ବିଭିନ୍ନ ଅଞ୍ଚଳ ଗୁଡିକରେ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀମାନେ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସେମାନେ ଆବଶ୍ୟକ କରୁଥିବା ଉଦ୍ଧାରକାରୀ ଦଳ ଏବଂ ସରଞ୍ଜାମ ବିଷୟରେ ମହାନିର୍ଦ୍ଦେଶକ ମହୋଦୟଙ୍କୁ ଅବଗତ କରାଇଥିଲେ ।

ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲା ଗୁଡିକରେ ସର୍ବମୋଟ ୧୮୨ ଗୋଟି ଉଦ୍ଧାରକାରୀ ଦଳକୁ ପ୍ରଶାସନର ପରାମର୍ଶକ୍ରମେ ବିଭିନ୍ନ ସ୍ଥାନ ମାନଙ୍କରେ ମୁତୟନ କରାଯାଇଛି । ପ୍ରତ୍ୟେକ ଦଳକୁ  ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଅବିରତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିବାପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯଥା-ପାୱାର ସ, କମ୍ବି ଟୁଲସ୍, ଟାୱାର ଲାଇଟ୍, ପାୱାର ବୋଟ୍, ପ୍ଲାଜମା କଟର ଏବଂ ଅନ୍ୟାନ୍ୟ ଉପକରଣ ଗୁଡିକୁ ଯୋଗାଇ ଦିଆଯାଇଛି । ଏହି ଦଳ ଗୁଡିକ ବାତ୍ୟା ସମୟରେ ଉପୁଡିପଡିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟକୁ କାଟି ରାସ୍ତା ସଫା କରିବା ସହିତ, ପାଣି ଘେରରେ ରହିଥିବା ମଣିଷ ଓ ଜୀବଜନ୍ତୁ ମାନଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵରେ ରଖାଯିବା ସହ ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଏହି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ୧୦ ଗୋଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ସ୍ଥିତି ଅନୁସାରେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ମୁତୟନ କରିବା ଲାଗି ଭୁବନେଶ୍ଵର ଠାରେ ସଜାଗ ରଖାଯାଇଛି ।  ଆଜିର ବୈଠକରେ ବାତ୍ୟା ପ୍ରଭାବିତ ହେବାକୁଥିବା ଅଞ୍ଚଳର ଅଗ୍ନିଶମ କେନ୍ଦ୍ର ଗୁଡିକୁ ଛୋଟ ଛୋଟ ଉଦ୍ଧାରକାରୀ ଦଳ ଗଠନ କରି ଲୋକମାନଙ୍କୁ ଆବଶ୍ୟକୀୟ ଜରୁରୀକାଳୀନ ସେବା ପ୍ରଦାନ କରାଇବା ଲାଗି ମହାନିର୍ଦ୍ଦେଶକ, ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସମ୍ଭାବ୍ୟ ବାତ୍ୟା କୌଣସି କାରଣରୁ ଏହାର ଦିଗ ପରିବର୍ତ୍ତନ କରି ଅନ୍ୟ ଦିଗ ଆଡକୁ ଯଦି ମୁହାଏଁ, ତେବେ ଉଦ୍ଧାରକାରୀ ଦଳ ଗୁଡିକ ନୂତନ ଭାବେ କ୍ଷତିଗ୍ରସ୍ଥ ହେବାକୁଥିବା ଅଞ୍ଚଳ ଗୁଡିକରେ କିପରି ସ୍ୱଳ୍ପ ସମୟ ମଧ୍ୟରେ ନିୟୋଜିତ କରାଯାଇ ପାରିବ, ସେ ଉପରେ ପୂର୍ବରୁ ପ୍ରସ୍ତୁତି ହୋଇ ରହିବା ପାଇଁ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ କଟକ, ଭୁବନେଶ୍ଵର, ପୁରୀ ଓ ଅନ୍ୟାନ୍ୟ ସହର ଗୁଡିକର ବାତ୍ୟା ପ୍ରଭାବିତ ସମ୍ଭାବ୍ୟ ଅଞ୍ଚଳ ଗୁଡିକରେ ଜଳ ମଗ୍ନ ହୋଇପଡିଲେ, ଜଳ ନିଷ୍କାସନ ନିମିତ୍ତ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ରାଜ୍ୟର ପ୍ରଭାବିତ ଅଞ୍ଚଳର ଜନସାଧାରଣ ମାନଙ୍କୁ ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ତୁରନ୍ତ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାଲାଗି, ପରାମର୍ଶ ଦିଆଯାଇଅଛି । ଏଥି ନିମନ୍ତେ ଅଗ୍ନିଶମ ଏବଂ ଜରୁରୀକାଳୀନ ନିର୍ଦ୍ଦେଶାଳୟଠାରେ ବାତ୍ୟା ନିୟନ୍ତ୍ରଣ କକ୍ଷ ରେ ହେଲ୍ପ ଲାଇନ ନମ୍ବର  (୦୬୭୧-୨୩୦୩୧୦୧) ଖୋଲା ଯାଇ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ।

Comments are closed.