ମାଟିଆପଡା ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ୍‍, ୩ ଅଟକ

ପିପିଲି: ପିପିଲି ଥାନା ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମାଟିଆପଡା ଗ୍ରାମରେ ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‍ପିଟ୍‍ ଘଟି ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେଠାରେ ପୁଲିସ ମୁତୟନ କରାଯାଇଛି। ଉଭୟ ପକ୍ଷର ଅଭିଯୋଗକୁ ଆଧାର କରି ପିପିଲି ଥାନାରେ ୨ଟି ମାମଲା ରୁଜୁ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ମାଟିଆପଡା ଗ୍ରାମରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବୁଧବାର ସକାଳେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ବେଳେ ଏଥିରେ ଜଣେ ମହିଳା ଆଇନଜୀବୀଙ୍କ ସମେତ ପରିବାରର ଏକାଧିକ ସଦସ୍ୟ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସେହିପରି ଅପରଗୋଷ୍ଠୀର ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ପ୍ରଶାନ୍ତ ପ୍ରଧାନ (୪୦) ନାମକ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ ସେଠାରୁ କ୍ୟାପିଟାଲ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି। ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ତଥା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ ଏହି ମାମଲାରେ ଉଭୟ ଗୋଷ୍ଠୀର ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛନ୍ତି। ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟିଆପଡା ଗ୍ରାମରେ ପୁଲିସ ଫୋର୍ସ ମୂତୟନ କରାଯାଇଥିବା ସଂପର୍କରେ ଆଇଆଇସି ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.