୩୦ ବର୍ଷ ହେଲା ପାଲଟଣା କୁଡିଆରେ ରହୁଛନ୍ତି ବେଲ ମୁଣ୍ଡାଙ୍କ ୫ ଜଣିଆ ପରିବାର

ପାଟଣା : ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ମାଙ୍କଡଡିହା ସାହିରେ ଆଜକୁ ୩୦ ବର୍ଷରୁ ଅଧିକ ସମୟ ଧରି ଏକ ପାଲଟଣା କୁଡିଆରେ ରହୁଛନ୍ତି ବୃଦ୍ଧା ବେଲ ମୁଣ୍ଡା ଓ ତାର ପୁଅ ଝିଅ ନାତି ନାତୁଣୀଙ୍କୁ ମିଶାଇ ପାଞ୍ଚ ଜଣିଆ ପରିବାର । ସେମାନଙ୍କୁ ମିଳିପାରୁନାହିଁ ଖଣ୍ଡେ ଆବାସ ଯୋଜନାରେ ଘର । ଛାତ ଥିବା ଲୋକଙ୍କୁ ମିଳିପାରୁଛି ପ୍ରଧାନ ମନ୍ତ୍ରୀ ଆବାସ। କିନ୍ତୁ ଏପରି ଅସହାୟଙ୍କ ପାଇଁ ନାହିଁ କୌଣସି ଯୋଜନା । ପ୍ରକାଶ ଥାଉକି ବେଲ ମୁଣ୍ଡାର ବାପ ଘର ଉଦୟପୁର ମାଙ୍କଡଡିହା ସାହିରେ ହୋଇଥବାବେଳେ ସେ ବିବାହ ପରେ ଶ୍ବଶୂର ଘର ମୟୁରଭଞ୍ଜ ଜିଲାକୁ ଚାଲି ଯାଇଥିଲେ । ସେଠାରେ ତାଙ୍କର ତିନି ପୁଅ ଓ ଦୁଇ ଝିଅ ମଧ୍ୟ ଜନ୍ମ ହୋଇଥିଲେ। କିନ୍ତୁ ଶ୍ବଶୂର ଘର ଲୋକ ଏବଂ ସାହି ଲୋକଙ୍କ ରୋଷର ଶିକାର ହୋଇ ରହି ସେ ରହି ପାରିନଥିଲେ। ଛୁଆ ପିଲାଙ୍କୁ ଧରି ଚାଲି ଆସିଥିଲେ ବାପ ଘର ଗାଁକୁ । ମାତ୍ର ବାପ ଘରେ ମଧ୍ୟ ଅଧିକ ଘର ନଥିବାରୁ ବାପା ଘରକୁ ଲାଗି ଏକ ସରକାରୀ ଜାଗାରେ ପାଲ ଟାଣି ସେବେଠୁ ସେ ଓ ତାଙ୍କ ଛୁଆପିଲା ଏହି ଠାରେ ରହି ଆସୁଛନ୍ତି । ଆଦିବାସୀ ଜମିଜମା ନିୟମ ଅନୁଯାୟୀ ଵିବାହିତ ଝିଅର ବାପା ସମ୍ପତିରେ କୌଣସି ଅଧିକାର ନଥିବାରୁ ଭାଇ ମାନେ ଭଉଣୀକୁ ମଧ୍ୟ ଜମି ଦେବାକୁ ରାଜି ନୁହନ୍ତି ।

କେବଳ ଘର ଡିହ ଟିକେ ଦେବାକୁ ରାଜି ଥିଲେ ମଧ୍ୟ ଆଦିବାସୀ ଜମି ରେଜିଷ୍ଟ୍ରି କରିବା ନିୟମ ନଥିବାରୁ ତାହା ମଧ୍ୟ ହୋଇପାରିଲାନାହିଁ । ଶେଷରେ ବିଡ଼ିଓଙ୍କଠାରେ ଘର ଖଣ୍ଡେ ପାଇଁ ଗୁହାରି କରିବାରୁ ବିଡ଼ିଓ ଘରଡ଼ିହ ନଥିଲେ ଘର ଦିଆଯିବ ନାହିଁ ବୋଲି କହିଲେ । ଶେଷରେ ତହସିଲଦାରଙ୍କୁ ଗୁହାରି କରିବାରୁ ତହସିଲଦାର ନିଜେ ଆସି ଗୋଟେ ସରକାରୀ ଜାଗା ଦେଖାଇଦେଲେ ମାତ୍ର ଦୁଇ ବର୍ଷରୁ ଅଧିକ ସମୟ ହେବ ଆର ଆଇ ଅଫିସ ଓ ତହସିଲ ଅଫିସକୁ ଦୈଡି ଦୌଡ଼ି ନୟାନ୍ତ ହେବାପରେ ମଧ୍ୟ ବେଲ ମୁଣ୍ଡାଙ୍କୁ ଦଖଲ ଜମି ପଟ୍ଟା ମିଳି ପାରୁନାହିଁ ବୋଲି କାନ୍ଦ କାନ୍ଦ ହୋଇ କହିଛନ୍ତି ବେଲ ମୁଣ୍ଡା । ପର ଘରେ କାମ କଲେ ପେଟ ପୋଷେ ନହେଲେ ଉପବାସ, ସରକାର ପାଞ୍ଚ କିଲୋ ଚାଉଳ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ବୋଲି କହନ୍ତି ବେଲ ମୁଣ୍ଡା । ନାତି ନାତୁଣୀ ମାନେ ମଧ୍ୟ ବେଳେ ବେଳେ ପର ଘରେ କାମ କରନ୍ତି।  ଅଭାବରେ ପାଠ ପଢାଇ ପାରୁନାହିଁ ବୋଲି ସେ କହିଛନ୍ତି । ଯକ୍ଷ୍ମା ଆକ୍ରାନ୍ତ ହେବା କାରଣରୁ ଆଉ କାମକରିପାରୁ ନାହିଁ।

ଆଶା ଦିଦି ଔଷଧ ଦେଉଛନ୍ତି ତାକୁ ଖାଇ ଟିକେ ସୁସ୍ଥ ହେଉଛି ବୋଲି ସେ କହିଥିଲେ । ଆରଆଇ ଦେଖାଇ ଥିବା ଜାଗାରେ ଦୁଇ ଟ୍ରାକ୍ଟର ପଥର ଓ ଏକ ଟ୍ରିପ ଇଟା ପକାଇଛି ଘର କରିବାକୁ । କାମକରା ପଇସାରୁ ବଞ୍ଚାଇ ଏତିକି କରିଛି କୋଉଠୁ ସାହାଯ୍ୟ ପାଇଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ କରିପାରନ୍ତି ବୋଲି ସେ କହିଛନ୍ତି । ସରକାରଙ୍କୁ ଆଉ ଗୁହାରି କରିବି ନାହିଁ ବୋଲି ଅଭିମାନରେ କହିଛନ୍ତି ବେଲ ମୁଣ୍ଡା । ଅଭାବ ସମୟରେ ଉଦୟପୁର ଗ୍ରାମର କିଛି ଦୟାଳୁ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରନ୍ତି । ପାଲ ଖଣ୍ଡେ ଖଣ୍ଡେ ମଧ୍ୟ ସେମାନେ ପ୍ରତିବର୍ଷ ଦିଅନ୍ତି ବୋଲି କହିଛନ୍ତି । ଯଦି କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାନ୍ତେ ତା ହେଲେ ଏ ପରିବାରଟି ଘର ଖଣ୍ଡିଏ କରିପାରନ୍ତେ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

Comments are closed.